ବାତ୍ୟା ପାଇଁ ଏନଏସିରେ ୪ଟି ଆଶ୍ରୟସ୍ଥଳ

ଆଠଗଡ: ଆସନ୍ନ ସାମୁଦ୍ରିକ ବାତ୍ୟା ପାଇଁ ଆଠଗଡ ଏନଏସି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ଆଠଗଡ ଏନଏସିର ୧୮ଟି ଓ୍ବାର୍ଡ ପାଇଁ ୪ଟି ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ କରାଯାଇଛି। ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବିଶ୍ବନାଥ ବିଦ୍ୟାପୀଠ, କନ୍ତୋଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯାଇଛି। ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ନିର୍ଦ୍ଦେଶ କ୍ରମେ ଏନଏସି ଅଧ୍ୟକ୍ଷା ସସ୍ମିତା ରାଉତ, ତାଙ୍କ ପ୍ରତିନିଧି ପ୍ରକାଶ କୁମାର ରାଉତ, ଉପାଧ୍ୟକ୍ଷ ବି.ଶୁଭ୍ରଶଙ୍କର ଜ୍ୟୋତି, ସମସ୍ତ କାଉନସିଲର ବିଭିନ୍ନ ଓ୍ବାର୍ଡରେ ଘରକୁ ଘର ବୁଲି ଲୋକଙ୍କ ସତର୍କ ଓ ସଚେତନ କରିଛନ୍ତି।

ସନ୍ଧ୍ୟା ସୁଦ୍ଧା ଏନଏସିର ବିଭିନ୍ନ ୱାର୍ଡରେ କଚ୍ଚା ଓ ଦୁର୍ବଳ ଘରେ ରହୁଥିବା ୩୫ ଜଣଙ୍କୁ ୪ଟି ଆଶ୍ରୟସ୍ଥଳକୁ ଆଣି ରଖାଯାଇଛି। ସମସ୍ତଙ୍କୁ ଶୁଖିଲା ଖାଦ୍ୟ ଦିଆଯାଇଥିବା ନିର୍ବାହୀ ଅଧିକାରୀ ଡଃ ପ୍ରଦୀପ କୁମାର ସାହାଙ୍କ ସୂତ୍ରରୁ ପ୍ରକାଶ। ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀରେ ଏନଏସିର କର୍ମଚାରୀମାନେ ନିୟୋଜିତ ରହିଛନ୍ତି । ବାତ୍ୟାର ପ୍ରକୋପ ବୃଦ୍ଧି ପାଇଲେ ଅଧିକ ଲୋକଙ୍କ ଆଗମନକୁ ଦୃଷ୍ଟିରେ ରଖି ସମସ୍ତ ପ୍ରସ୍ତୁତି କରାଯାଇଛି ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି।

Comments are closed.