ଫୁଲୁଛି ସୋନ, ବର୍ଷାରେ ଭିଜି ଆଶ୍ରିତଙ୍କୁ ଥଇଥାନ କଲେ ଉପଜିଲାପାଳ

ନୀଳଗିରିରେ ୬ହଜାରରୁ ଊର୍ଦ୍ଧ୍ୱ ଲୋକ ସ୍ଥାନାନ୍ତର

ନୀଳଗିରି: ବାଲେଶ୍ୱର ଜିଲାର ନୀଳଗିରି ଅଞ୍ଚଳରେ ବାତ୍ୟା ‘ଦାନା’ର ପ୍ରଭାବ ଯୋଗୁ ଲଗାତର ବର୍ଷା ପବନ ଲାଗି ରହିଛି । ନୀଳଗିରିରେ ପ୍ରବାହିତ ସୋନନଦୀ ଫୁଲିବାରେ ଲାଗିଛି । ଅବିଶ୍ରାନ୍ତ ବର୍ଷା ଲାଗି ରହିଲେ ବନ୍ୟା ପାଣି କୂଳଲଙ୍ଘି ମାଡ଼ିଯିବା ଆଶଙ୍କା ରହିଛି । ପୂର୍ବ ବାତ୍ୟାର କରାଳ ଦୃଶ୍ୟ ଲୋକଙ୍କ ମାନସ ପଟ୍ଟରେ ଆଙ୍କି ଯାଉଥିବା ଯୋଗୁ ଅଞ୍ଚଳବାସୀ ଭୟାତୁର ହୋଇ ଉଠିଛନ୍ତି ।

ନୀଳଗିରିର ବିଭିନ୍ନ ସ୍ଥାନରେ ଏନେଇ ପ୍ରଶାସନ ପକ୍ଷରୁ ୯୭ଟି ବାତ୍ୟା ଆଶ୍ରୟସ୍ଥଳୀ ଖୋଲା ଯାଇଛି । ଅଞ୍ଚଳର ୬ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ଉକ୍ତ ଆଶ୍ରୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ସେପଟେ ବ୍ଲକର ମଛୁଆ ପଞ୍ଚାୟତ ଅଧୀନ ସିଙ୍ଗିରି ଗାଁରେ ଖୋଲା ଯାଇଥିବା ଆଶ୍ରୟସ୍ଥଳୀରେ ଅବ୍ୟବସ୍ଥା ହୋଇଥିବା ସମ୍ପର୍କରେ ଖବର ପାଇବା ପରେ ଆଜି ରାତିରେ ନୀଳଗିରି ଉପଜିଲାପାଳ ଶୁଭଶ୍ରୀ ରଥ ବର୍ଷାରେ ଭିଜି ଭିଜି ଉକ୍ତ ଆଶ୍ରୟ ସ୍ଥଳୀରେ ପହଞ୍ଚିଥିଲେ ।

ଲୋକଙ୍କ ଅସୁବିଧା ସମ୍ପର୍କରେ ପଚାରି ବୁଝିବା ପରେ ସେମାନଙ୍କୁ ଥଇଥାନ କରାଇଥିବା ଦେଖିବାକୁ ମିଳିଛି । ଅନ୍ୟମାନଙ୍କ ମଧ୍ୟରେ ୨ନଂ ଜୋନର ଜିଲାପରିଷଦ ସଭ୍ୟ ଗତିକୃଷ୍ଣ ନନ୍ଦ, ନୀଳଗିରି ଯୋଗାଣ ବିଭାଗ ଅଧିକାରିଣୀ ରାଜଲକ୍ଷ୍ମୀ ପଣ୍ଡା ଏବଂ ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟ ପରିଚାଳନା କରିଥିଲେ ।

Comments are closed.