ଶୂନ ମୃତ୍ୟୁ ସହ ଶତ ପ୍ରତିଶତ ସୁରକ୍ଷାକୁ ସରକାରଙ୍କ ପ୍ରାଧାନ୍ୟ: ଉଚ୍ଚଶିକ୍ଷା ମନ୍ତ୍ରୀ

ଦୋବଲ: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଧାମନଗର ବ୍ଲକ ପ୍ରଶାସନର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ପ୍ରାକୃତିକ ବିପର୍ଯ୍ୟୟରେ ରାଜ୍ୟ ସରକାରଙ୍କର ଶୂନ ମୃତ୍ୟୁ ସହ ଶତ ପ୍ରତିଶତ ସୁରକ୍ଷାକୁ ପ୍ରାଧାନ୍ୟ ଦେଇଛନ୍ତି ମନ୍ତ୍ରୀ। ସେ କହିଛନ୍ତି ଯେ, ବାତ୍ୟାରେ ଯେପରି କାହାରି ଜୀବନ ନ ଯିବ ଓ ସବୁ ଲୋକ ସୁରକ୍ଷିତ ରହିବେ, ସେ ଦିଗରେ ପଦକ୍ଷେପ ନେଇଛି ପ୍ରଶାସନ। । ପ୍ରଭାବିତ ହେବାକୁ ଥିବା ଅଞ୍ଚଳ, ତଳିଆ ଅଞ୍ଚଳ ଓ କଚା ଘରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତରକୁ ସେ ଜୋର ଦେଇଛନ୍ତି। ସେହିପରି ପ୍ରଭାବିତ ଅଞ୍ଚଳରେ ଗୋ ଖାଦ୍ୟ ମହଜୁଦ୍ ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ପ୍ରସୂତି, ଗର୍ଭବତୀ ଓ ପିଲାଙ୍କ ଖାଦ୍ୟ ମହଜୁଦ୍ ରଖିବାକୁ ବିଭାଗୀୟ ଅଧିକାରୀଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏହାଛଡ଼ା ଆସନ୍ନ ପ୍ରସବାଙ୍କୁ ନିକଟସ୍ଥ ହସ୍ପିଟାଲରେ ଆଣି ଭର୍ତ୍ତି କରିବାକୁ ପଦକ୍ଷେପ ନିଆଯାଇଛି। ବାତ୍ୟା ଓ ବର୍ଷା ସମୟରେ ସାପ କାମୁଡ଼ା ଭୟ ଥିବାରୁ ଏହାର ମୁକାବିଲା କରିବାକୁ ପଦକ୍ଷେପ ନେଇଛି ସ୍ବାସ୍ଥ୍ୟ ବିଭାଗ। ଧାମନଗର ଅଞ୍ଚଳରେ ଥିବା ସମସ୍ତ ପ୍ରମୁଖ ଡାକ୍ତରଖାନାରେ ସାପ କାମୁଡ଼ା ଇଂଜେକ୍ସନ, ବ୍ଲିଚିଂ ପାଉଡର ଓ ହାଲୋଜେନ୍ ଟାବଲେଟ ଗଛିତ ରଖାଯାଇଚି। ଏହାସହ ପ୍ରତ୍ୟେକ ବାତ୍ୟା ଆଶ୍ରୟସ୍ଥଲୀ, ନିରାପଦ ଆଶ୍ରୟସ୍ଥଳୀ ଓ ଉଚ୍ଚ କୋଠାଘର ବା ନିକଟସ୍ଥ ସ୍କୁଲ ଘରେ ବ୍ଲିଚିଂ ପାଉଡର ଏବଂ ହାଲୋଜେନ୍ ଟାବଲେଟ ରଖିବାକୁ ସେ ସ୍ଥାନୀୟ ପ୍ରଶାସନକୁ କହିଛନ୍ତି।

ସମୀକ୍ଷା ବୈଠକ ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ବ୍ଲକର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ, ନିରାପଦ ଆଶ୍ରୟସ୍ଥଳୀ ଓ ସ୍କୁଲ ଘର ବୁଲି ଦେଖିଛନ୍ତି। ପ୍ରଭାବିତ ଅଞ୍ଚଳର ଲୋକ, କଚା ଘରେ ରହୁଥିବା ଲୋକଙ୍କୁ ଏହିସବୁ ଆଶ୍ରୟସ୍ଥଲୀକୁ ସ୍ଥାନାନ୍ତର କରିବା ଲାଗି ଜିଲ୍ଲା ପ୍ରଶାସନକୁ ଶକ୍ତ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ। ଯେଉଁଠି ଯାହା ଆବଶ୍ୟକ ତାହା ଜରୁରୀକାଳୀନ ଭିତ୍ତିରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ବାତ୍ୟା ଆଶ୍ୟସ୍ଥଳୀରେ ଜେନେରେଟର ନାହିଁ ସେଠାରେ ଭଡ଼ାରେ ଆଣି ଲଗାଇବାକୁ କହିଛନ୍ତି। ସେହିପରି ପାନୀୟ ଜଳର ନିରନ୍ତର ବ୍ୟବସ୍ଥା କରିବାକୁ ସେ ପ୍ରାଧାନ୍ୟ ଦେଇଛନ୍ତି।

କେବଳ ପ୍ରାଶାସନିକ ତଥ୍ୟ ଉପରେ ଭରସା ନ କରି କେଉଁ ସ୍ଥାନରେ କେତେ ପରିମାଣର ଜରି ପାଲ, ଶୁଖିଲା ଖାଦ୍ୟ ଅଛି ତାହା ନିଜେ ପହଞ୍ଚି ଅନୁଧ୍ୟାନ କରିଥିଲେ। ପଞ୍ଚାୟତ ଗୋଦାମ, ପଣ୍ୟାଗାର ମଧ୍ୟ ବୁଲି ଦେଖିଛନ୍ତି ମନ୍ତ୍ରୀ। ସେପଟେ ଧାମନଗର ଅଗ୍ନିଶମ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତି ହୋଇଛି। ଆସ୍କା ଲାଇଟ୍, କଟର, ଲାଇଫ ଜାକେଟ, ପାୱାର ବୋଟ୍ ଆଦି ପ୍ରସ୍ତୁତ କରି ରଖାଯାଇଛି। ବାତ୍ୟା ପରେ ପରେ ଅଗ୍ନିଶମ ଟିମ୍ ପହଞ୍ଚି ରାସ୍ତା ସଫା କରିବା ଓ ଉଦ୍ଧାର କାର୍ଯ୍ୟ କରିବାକୁ କୁହାଯାଇଛି।

Comments are closed.