ବାତ୍ୟା ‘ଦାନା’ ମୁକାବିଲା ପାଇଁ ପ୍ରଶାସନର ଜୋରଦାର ପ୍ରସ୍ତୁତି, ୬୦କି.ମିରୁ ଅଧିକ ବେଗରେ ପବନ ବହିଲେ ବନ୍ଦ ରହିବ ବିଦ୍ୟୁତ ସରବରାହ

ପିପିଲି:ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା “ଦାନା’ ଆସନ୍ତା ୨୪ ତାରିଖ ରାତି କିମ୍ବା ୨୫ ତାରିଖ ସକାଳୁ ଭୀଷଣ ରୂପରେ ଓଡିଶାର ପୁରୀ ଏବଂ ପଶ୍ଚିମବଙ୍ଗର ସାଗରଦ୍ୱୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯିବା ପରେ ଏବେ ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଛି। ବାତ୍ୟା ସଂପର୍କିତ ସତର୍କତା ଓ ସଜାଗ ରହିବା ପାଇଁ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯିବା ସହ ବାତ୍ୟାର ସଫଳ ମୁକାବିଲା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଥିବା ସୂଚନା ମିଳିଛି।ଏଥିପାଇଁ ପିପିଲି ବ୍ଲକ, ପିପିଲି ତହସିଲ ଓ ପିପିଲି ଏନ୍‌‌ଏସିରେ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌‌ ଖୋଲାଯାଇଛି।

ସାମୁଦ୍ରିକ ବାତ୍ୟା “ଦାନା’ର ସଫଳ ମୁକାବିଲା କରିବା ପାଇଁ ପ୍ରଶାସନ ପକ୍ଷରୁ ମଙ୍ଗଳବାର ଦିନ ପିପିଲି ବ୍ଳକ ସମ୍ମିଳନୀ କକ୍ଷରେ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଡିଓ ସରୋଜ କୁମାର ରାଉତ, ତହସିଲଦାର ଦିଲିପ କୁମାର ମାଝୀ, ପିପିଲି ଏସ୍‌‌ଡିପିଓ ବିରଞ୍ôଚ ନାରାୟଣ ପତୀ ପ୍ରମୁଖ ଉପସ୍ଥିତ ରହି ବାତ୍ୟାର ସଫଳ ମୁକାବିଲା କରିବା ପାଇଁ ଆଗୁଆ ପ୍ରସ୍ତୁତି ଓ ସତର୍କତା ସଂପର୍କରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

ବାତ୍ୟାକୁ ନେଇ ଲୋକେ ଆଦୌ ଭୟଭିତ ନହୋଇ ବାତ୍ୟା ସମୟରେ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବା ସହ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି। ପିପିଲି ବ୍ଲକର ବିଲିପଡା, ଲକ୍ଷ୍ମୀନାରାୟଣପୁର, ପମସରା-କାଇରୀ ଓ କାକୁଡିଆ ଠାରେ ଥିବା ମୋଟ୍‌‌ ୪ଟି ସ୍ଥାୟୀ ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀ ସମେତ ୨୫ଟି ପଞ୍ଚାୟତର ଅନ୍ୟ ୬୦ଟି ବିଦ୍ୟାଳୟରେ ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ସଂପୂର୍ଣ୍ଣ ପ୍ରସ୍ତୁତ ରଖାଯାଇଥିବା ସଂପର୍କରେ ବିଡିଓ ଶ୍ରୀରାଉତ ସୂଚନା ଦେଇଛନ୍ତି।

ଆଜି ଅପରାହ୍ନରେ ପୁରୀର ଅତିରିକ୍ତ ଉପଜିଲାପାଳ ନୀଳମାଧବ ମାଝୀଙ୍କ ସହ ବିଡିଓ, ତହସିଲଦାର ପ୍ରମୁଖ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ସେଠାରେ କରାଯାଇଥିବା ବ୍ୟବସ୍ଥାକୁ ତଦାରଖ କରିଥିଲେ। ସେଠାରେ ଲୋକଙ୍କ ପାଇଁ ରହିବା, ଖାଇବା, ପାନୀୟ ଜଳ ଓ ଆଲୋକ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ତେବେ ପରିସ୍ଥିତିକୁ ନଜରରେ ରଖି ଆବଶ୍ୟକ ହେଲେ କଚ୍ଚାଘରେ ରହୁଥିବା ଓ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ବିଡିଓ ସୂଚନା ଦେଇଛନ୍ତି।

ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆବଶ୍ୟକ ପରିମାଣରେ ଶୁଖିଲା ଖାଦ୍ୟକୁ ମହଜୁଦ ରଖାଯାଇଥିବା ବେଳେ ପ୍ରଚୁର ପରିମାଣରେ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି। ପିପିଲି ପୌରାଞ୍ଚଳରେ ଥିବା ୮ଟି ବିଦ୍ୟାଳୟରେ ଆଶ୍ରୟ ସ୍ଥଳୀକୁ ମଧ୍ୟ ସଂପୂର୍ଣ୍ଣ ପ୍ରସ୍ତୁତ ରଖାଯାଇଥିବା ସୂଚନା ମିଳିଛି। ପିପିଲି ବ୍ଲକ ଓ ଏନ୍‌‌ଏସି ଅଞ୍ଚଳର ୩୦ଜଣ ଆସନ୍ନ ପ୍ରସବା ଗର୍ଭବତୀ ମହିଳାଙ୍କୁ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ସଂପର୍କରେ ପିପିଲି ବ୍ଲକ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିନୟ କୁମାର ପଣ୍ଡା ସୂଚନା ଦେଇଛନ୍ତି।

ବାତ୍ୟାର ସଫଳ ମୁକାବିଲା ପାଇଁ ପିପିଲି ପୁଲିସ ମଧ୍ୟ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା ବେଳେ ଆଇଆଇସି ସୌମେନ୍ଦୁ ଶେଖର ତ୍ରିପାଠୀ ଆଜି ସମସ୍ତ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଏକ ବୈଠକ କରିଥିଲେ। ଥାନା ଅଞ୍ଚଳର ସମସ୍ତ ଗୃହରକ୍ଷୀଙ୍କୁ ବାତ୍ୟା ନିମନ୍ତେ ସଂପୂର୍ଣ୍ଣ ସଜାଗ ରହିବାକୁ ଶ୍ରୀତ୍ରିପାଠୀ ନିର୍ଦ୍ଦେଶ ଦେବା ସହ ବାତ୍ୟା ଜନିତ ଯେକୌଣସି ଅଘଟଣ ସଂପର୍କରେ ତୁରନ୍ତ ଥାନାକୁ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଥାନା ପକ୍ଷରୁ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯାଇଥିବା ବେଳେ ବାତ୍ୟାର ପୂର୍ବ ଓ ପରବର୍ତ୍ତି ସମୟରେ ଚୋରି ଭଳି ଘଟଣା ଘଟିବାର ସମ୍ଭାବନା ଥିବା ଦୃଷ୍ଟିରୁ ସେଥିପ୍ରତି ମଧ୍ୟ ପୁଲିସ ପକ୍ଷରୁ କଡା ନଜର ରଖାଯାଇଥିବା ସୂଚନା ମିଳିଛି। ବାତ୍ୟା ପରବର୍ତ୍ତି ପୁନଃର୍ଦ୍ଧାର କାର୍ଯ୍ୟ ପାଇଁ ପିପିଲି ଅଗ୍ନିଶମ ବିଭାଗ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା ସଂପର୍କରେ ଅଗ୍ନିଶମ ଅଧିକାରୀ ଭଗବାନ ରାଉତ ସୂଚନା ଦେଇଛନ୍ତି।

ବାତ୍ୟା ସମୟରେ ଗଛ ଉପୁଡି ବିଦ୍ୟୁତ ତାର ଛିଣ୍ଡିବା ଓ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ବିୁଦ୍ୟତ୍‌‌ ଦୁର୍ଘଟଣା ଘଟିବାର ଯଥେଷ୍ଟ ସମ୍ଭାବନା ଥିବାରୁ ସେଥିପ୍ରତି ବିଦ୍ୟୁତ ବିଭାଗ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି। ବିଦ୍ୟୁତ ଦୁର୍ଘଟଣାକୁ ଏଡାଇବା ପାଇଁ ବାତ୍ୟା ସମୟରେ ପବନର ବେଗ ଘଣ୍ଟା ପ୍ରତି ୬୦ କିଲୋମିଟରରୁ ଊର୍ଦ୍ଧ୍ବ ହେଲେ ଅଞ୍ଚଳର ବିଦ୍ୟୁତ ସରବରାହକୁ ସଂପୂର୍ଣ୍ଣ ଭାବେ ବନ୍ଦ ରଖାଯିବ ବୋଲି ପିପିଲି ବିଦ୍ୟୁତ ବିଭାଗ ଉପଖଣ୍ଡ ଅଧିକାରୀ ବିପିନ କୁମାର ସାହୁ ସୂଚନା ଦେଇଛନ୍ତି। ଛିଣ୍ଡି ପଡ଼ିଥିବା ତାର ଓ ବିଦ୍ୟୁତ ସରଞ୍ଜାମକୁ ନଛୁଇଁ ସେସଂପର୍କରେ ତୁରନ୍ତ ବିଦ୍ୟୁତ୍‌‌ ବିଭାଗକୁ ସୂଚନା ଦେବା ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ବାତ୍ୟା ପରବର୍ତ୍ତି ବିଦ୍ୟୁତ୍‌‌ କ୍ଷୟକ୍ଷତିର ତୁରନ୍ତ ମରାମତି କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ବେଳେ ୪ଟି ରାପିଡ୍‌‌ ରେସ୍ପନ୍ସ ଟିମ୍‌‌ ପ୍ରସ୍ତୁତ ରହିଥିବା ସୂଚନା ମିଳିଛି।

ବାତ୍ୟାକୁ ନେଇ ପିପିଲି ଓ ଏହାର ଆଖପାଖ ଅଞ୍ଚଳର ଚାଷୀକୂଳ ବିଶେଷ ଭାବେ ଭୟଭିତ ହୋଇପଡ଼ିଛନ୍ତି। ଶହ ଶହ ହେକ୍ଟର ଜମିରେ ଧାନ ଲହଡି ଭାଙ୍ଗୁ ଥିବା ବେଳେ ବାତ୍ୟା ଜନିତ ବର୍ଷା ଓ ପବନରେ ସେସବୁ ଉଜୁଡି ଯିବାର ସମ୍ଭାବନା ଚାଷୀଙ୍କୁ ଚିନ୍ତାରେ ପକାଇଛି। ସେହିପରି ପନିପରିବା ଫସଲ, କଦଳୀ, ଅମୃତଭଣ୍ଡା, ଛତୁଚାଷ ଉଜୁଡି ଯିବାର ଚିନ୍ତା ଚାଷୀଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ବାତ୍ୟା ଭୟରେ ଚାଷୀମାନେ କଦଳୀ କାନ୍ଧି ଓ ଅମୃତଭଣ୍ଡାକୁ ପିପିଲି ଓ ସାତଶଙ୍ଖ ସାପ୍ତାହିକ ହାଟରେ ଅତି ଶସ୍ତାଦରରେ ବେପାରୀଙ୍କୁ ବିକ୍ରୀ କରୁଥିବା ପରିଲକ୍ଷିତ ହୋଇଛି। ବାତ୍ୟା ଭୟରେ ଲୋକେ ସେମାନଙ୍କ ଗୃହପାଳିତ ପଶୁଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ତତ୍ପରତା ପ୍ରକାଶ କରିଥିବା ସୂଚନା ମିଳିଛି।

 

Comments are closed.