www.samajalive.in
Monday, December 8, 2025
24.1 C
Bhubaneswar

୧୨ ବର୍ଷ ପରେ ବି ଯାତ୍ରୀ ସେବାରେ ଆସିପାରିଲାନି ଅତ୍ୟାଧୁନିକ ବସ୍‌‌ଷ୍ଟାଣ୍ଡ

କେନ୍ଦୁଝରଗଡ଼: କେନ୍ଦୁଝର ସହରକୁ ସ୍ୱଚ୍ଛ ଓ ସୁନ୍ଦର କରି ଗଢ଼ିବା ସହ ସହରବାସୀଙ୍କୁ ଟ୍ରାଫିକ୍‌‌ମୁକ୍ତ ଜୀବନଯାପନ ଲକ୍ଷ୍ୟରେ କେନ୍ଦୁଝର ପୁରୁଣାବଜାରଠାରେ ଟାଟା କମ୍ପାନୀ ପକ୍ଷରୁ ୮କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ ନବନିର୍ମିତ ଅତ୍ୟାଧୁନିକ ବସ୍‌‌ଷ୍ଟାଣ୍ଡକୁ ତତ୍‌‌କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୧ ଜାନୁୟାରୀ ୨୦୧୩ରେ ଉଦ୍‌‌ଘାଟନ କରିଥିଲେ। ଇତିମଧ୍ୟରେ ଉଦ୍‌‌ଘାଟନକୁ ୧୨ବର୍ଷ ବିତିବାକୁ ବସିଥିବାବେଳେ ଏହି ଅତ୍ୟାଧୁନିକ ବସ୍‌‌ଷ୍ଟାଣ୍ଡ ଦିନଟିଏ ପାଇଁ ଯାତ୍ରୀସେବାରେ ଆସି ନ ପାରିବା ଜିଲା ଓ ପୌର ପ୍ରଶାସନର ଅସହାୟତାକୁ ସ୍ପଷ୍ଟ ପ୍ରମାଣିତ କରିଛି ବୋଲି ରାଜ୍ୟ କଂଗ୍ରେସ ନେତା ଆଲୋକ ମିଶ୍ର ଅତ୍ୟନ୍ତ କ୍ଷୋଭର ସହ ଏହା କହିଛନ୍ତି। ଏହି ଅତ୍ୟାଧୁନିକ ବସ୍‌‌ଷ୍ଟାଣ୍ଡ ପୂର୍ଣ୍ଣ କାର୍ଯ୍ୟକ୍ଷମ ନ ହେବାରୁ ଏହା ଗତ କିଛିବର୍ଷ ଧରି ଟ୍ରକ ପାର୍କିଂ ସ୍ଥଳ ପାଲଟିଛି। ବସ୍‌‌ଷ୍ଟାଣ୍ଡ କାର୍ଯ୍ୟକ୍ଷମ ନ ହେବା ସୁଯୋଗ ନେଇ ସହରର ଚତୁଃପାର୍ଶ୍ବରେ ପ୍ରମୁଖ ରାସ୍ତାକୁ ଅବରୋଧ କରି ଯାତ୍ରୀସେବା ନାଁରେ ଘଣ୍ଟାଘଣ୍ଟା ଧରି ବସ୍‌‌ ପାର୍କିଂ କରୁଥିବା ଦେଖିବାକୁ ମିଳିଛି। ବିଶେଷକରି ଜିଲାପାଳଙ୍କ କାର୍ଯ୍ୟାଳୟଠାରୁ ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାରେ ଘଣ୍ଟା ଘଣ୍ଟା ଧରି ଯାତ୍ରୀବାହୀ ବସ୍‌‌ ଅଟକି ରହିବା କାରଣରୁ ଉତ୍କଟ ଟ୍ରାଫିକ୍‌‌ ସମସ୍ୟା ଦୁର୍ଘଟଣାର ମୁଖ୍ୟକାରଣ ହୋଇଥିଲେ ସୁଦ୍ଧା ଏ ଦିଗରେ ଜିଲା ଓ ପୁଲିସ ପ୍ରଶାସନ ସମ୍ପୂର୍ଣ୍ଣ ଆଖିବୁଜି ଦେବା ସହରବାସୀଙ୍କୁ ନିରାଶ କରିଛି।

- Advertisement -

ଆଜକୁ ପ୍ରାୟ ୮ବର୍ଷ ତଳେ ଜିଲା ଓ ପୌର ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ପୁରୁଣାବଜାରସ୍ଥିତ ନୂଆ ବସ୍‌‌ଷ୍ଟାଣ୍ଡରୁ ସମସ୍ତ ଯାତ୍ରୀବାହୀ ବସ୍‌‌ ବାଧ୍ୟତାମୂଳକ ଭାବେ ପ୍ରବେଶ କରି ଶୁଳ୍କ ଦେଇ ରସିଦ୍ ଆଣିବା ପରେ ଧାର୍ଯ୍ୟ ସମୟରେ ବସ୍‌‌ଷ୍ଟାଣ୍ଡରୁ ବାହାରି ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିବା କଥା। ଏହି ନିୟମକୁ ମାସେ ଦୁଇମାସ କଡାକଡି ପାଳନ ପରେ ଉକ୍ତ ବସ୍‌‌ଷ୍ଟାଣ୍ଡକୁ ଆଉ କୌଣସି ଯାତ୍ରୀବାହୀ ବସ୍‌‌ ନ ଯାଇ ମାଲିକ କିମ୍ବା ଏଜେଣ୍ଟଙ୍କ ସହାୟତାରେ କେବଳ ରସିଦ ଆଣି ସହରର ଚତୁର୍ଦିଗରେ ମାଳ ମାଳ ବସ୍‌‌ ଯାତ୍ରୀସେବା ଆଳରେ ମୁଖ୍ୟବଜାର ଉପରେ ଘଣ୍ଟା ଘଣ୍ଟା ଧରି ଅଟକି ରହି ଟ୍ରାଫିକ୍‌‌ ସମସ୍ୟା ସୃଷ୍ଟି କରୁଛି। ହେଲେ ଏଥିପ୍ରତି ପୁଲିସ ଓ ପ୍ରଶାସନ ଚେଇଁ ଶୋଇଲା ନ୍ୟାୟରେ କର୍ତ୍ତବ୍ୟ ସମ୍ପାଦନ କରୁଥିବାରୁ ସହରର ବୁଦ୍ଧିଜୀବୀ ମହଲରେ ଘୋର ଉଦ୍‌‌ବେଗ ପ୍ରକାଶ ପାଇଛି। ଖୋଦ୍‌‌ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ତହସିଲ ଛକ ପର୍ଯ୍ୟନ୍ତ ସହରର ପ୍ରମୁଖ ରାସ୍ତା ଉପରେ ଘଣ୍ଟା ଘଣ୍ଟା ଧରି ବସ୍‌‌ ଅଟକି ରହୁଥିବାରୁ ଟ୍ରାଫିକ୍‌‌ ସମସ୍ୟା ସୃଷ୍ଟି ଯୋଗୁଁଁ ଦୁର୍ଘଟଣା ଘଟି ବ୍ୟାପକ ଧନଜୀବନ ହାନୀ ହେଉଥିଲେ ମଧ୍ୟ ଏହି ରାସ୍ତା ଦେଇ ଜିଲାପାଳ ଓ ଏସ୍‌ପିଙ୍କଠାରୁ ଆରମ୍ଭ କରି ଜିଲାସ୍ତରୀୟ ଅଧିକାରୀ ଦୈନିକ ଯାତାୟତ କରୁଥିଲେ ମଧ୍ୟ ଟ୍ରାଫିକ୍‌‌ ସମସ୍ୟାରେ ସୁଧାର ପାଇଁ ସ୍ଥାୟୀ ପଦକ୍ଷେପ ଗ୍ରହଣ ନକରିବା ପ୍ରଶାସନର ଅସହାୟତା ନୁହେଁ ତ ଆଉ କ’ଣ ବୋଲି କଂଗ୍ରେସ ନେତା ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି।

ନୂତନ ବସ୍‌‌ଷ୍ଟାଣ୍ଡର ଦୈନିଦିନ ପରିଚାଳନା ଦାୟିତ୍ୱ କେନ୍ଦୁଝରଗଡ଼ ପୌରପାଳିକାକୁ ନ୍ୟସ୍ତ କରାଯାଇଥିବା ବେଳେ ୨୦୧୫-୧୬ ଆର୍ଥୀକବର୍ଷରେ ୧୪ ଲକ୍ଷ ୬୦ହଜାର ୭୮୦ଟଙ୍କା, ୨୦୧୬-୧୭ ଆର୍ଥୀକବର୍ଷରେ ୧୨ ଲକ୍ଷ ୭୯ ହଜାର ୧୮୦ଟଙ୍କା ଏବଂ ୨୦୧୭-୧୮ ଆର୍ଥୀକବର୍ଷରେ ହ୍ରାସ ପାଇ ମାତ୍ର ୫ ଲକ୍ଷ ୩୧ ହଜାର ୮୦୦ଟଙ୍କା ରାଜସ୍ୱ ଆଦାୟ ହୋଇଥିବା ବେଳେ ୨୦୧୮-୧୯ ବର୍ଷ ପରଠାରୁ ଉକ୍ତ ବସ୍‌‌ଷ୍ଟାଣ୍ଡକୁ ଆଉ କୌଣସି ବସ୍‌‌ ନଯାଇ ସିଧାସଳଖ ଗନ୍ତବ୍ୟସ୍ଥଳକୁ ଯାତ୍ରାାତ କରୁଥିବା ଜଣାପଡ଼ିଛି। ଏବେ ଏହି ବସ୍‌‌ଷ୍ଟାଣ୍ଡ କେବଳ ରାତ୍ରିକାଳୀନ ରହଣୀ ପାଲଟିଥିବା ବେଳେ ସହରର ବହୁ ଟ୍ରକ ମାଲିକଙ୍କ ଟ୍ରକ ଏଠାରେ ମାସ ମାସ ଧରି ପାର୍କିଂ କରିବା ଦେଖିବାକୁ ମିଳିଛି। କେବଳ ସେତିକିନୁହେଁ, ବସ୍‌‌ଷ୍ଟାଣ୍ଡ କାର୍ଯ୍ୟକ୍ଷମ ନହେବାରୁ ଯାତ୍ରୀ ବିଶ୍ରାମାଗାର ପାଇଁ ଉଦ୍ଦିଷ୍ଟ ଟେଲିଭିଜନ ଓ ଚେୟାର ଗାଏବ ହୋଇ ଯାଇଥିବା ବେଳେ ଟିକେଟ ବୁକିଂ କାଉଣ୍ଟର ଓ ଅଧିକାଂଶ ଦୋକାନ ଗୃହ ମଧ୍ୟ ବନ୍ଦ ହୋଇ ପଡ଼ିରହିଛି। ଯାତ୍ରୀ ଓ ବସ୍‌‌ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ଶୌଚାଳୟ ରକ୍ଷଣାବେକ୍ଷଣ ଅଭାବରୁ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିବା ବେଳେ ବସ୍‌‌ଷ୍ଟାଣ୍ଡର ସୌନ୍ଦର୍ଯ୍ୟକରଣ ଚୁଲିକି ଗଲାଣି। ବସ୍‌‌ଷ୍ଟାଣ୍ଡ ପ୍ରବେଶପଥରେ ଥିବା ପୁଲିସ ସହାୟତା କେନ୍ଦ୍ର ତାଲା ପଡ଼ିଥିବା ବେଳେ ଟୋଲ ଟିକସ ଆଦାୟ ପାଇଁ ଉଦ୍ଦିଷ୍ଟ ଫାଟକ ମଧ୍ୟ ଆଉ ଦେଖିବାକୁ ମିଳୁନାହିଁ। ବସ୍‌‌ଷ୍ଟାଣ୍ଡ କାର୍ଯ୍ୟକ୍ଷମ ନହେବାରୁ ଏଠାରେ ପୂର୍ବରୁ କାର୍ଯ୍ୟକ୍ଷମ ହୋଇଆସୁଥିବା ଏଟିଏମ୍‌‌ ସେବା ମଧ୍ୟ ବ୍ୟାଙ୍କ କର୍ତ୍ତୃପକ୍ଷ ବନ୍ଦ କରିଦେଇଛନ୍ତି। ଉଜ୍ଜଳ ଆଲୋକବ୍ୟବସ୍ଥା ନାମକୁ ମାତ୍ର ହୋଇଥିବା ବେଳେ ଅଧିକାଂଶ ଆଲୋକ ରକ୍ଷଣାବେକ୍ଷଣ ଅଭାବରୁ ଆଲୋକୀତ ହେଉନଥିବାରୁ ଅସାମାଜିକଙ୍କ ଆଡ୍ଡାସ୍ଥଳ ପାଲଟିଥିବା ଏହି ନୂତନ ବସ୍‌‌ଷ୍ଟାଣ୍ଡ ସଞ୍ଜ ନଇଁଲେ ନିଶାସକ୍ତଙ୍କ କବ୍‌‌ଜାରେ ରହି ଆସୁଥିବାରୁ ବସ୍‌‌ କର୍ମଚାରୀ ଓ ସାଧାରଣ ଜନତା ଉକ୍ତ ସମୟରେ ଯାତାୟାତ କରିବାକୁ ସୁରକ୍ଷିତ ମଣୁନାହାନ୍ତି। କେନ୍ଦୁଝର ସହରକୁ ସର୍ବାଙ୍ଗ ସୁନ୍ଦର ଭାବେ ଗଢ଼ି ତୋଳିବା ସହ ସହରର ଚତୁଃପାର୍ଶ୍ବକୁ ଟ୍ରାଫିକ୍‌‌ ସମସ୍ୟାରୁ ସହରବାସୀଙ୍କୁ ମୁକ୍ତ କରିବାକୁ ହେଲେ ଅତ୍ୟାଧୁନିକ ଏହି ବସ୍‌‌ଷ୍ଟାଣ୍ଡକୁ ତୁରନ୍ତ ପୂର୍ଣ୍ଣ କାର୍ଯ୍ୟକ୍ଷମ କରି ଯାତ୍ରୀ ସେବା ଯୋଗାଇ ଦେବାକୁ ଶ୍ରୀ ମିଶ୍ର ଦାବି କରିଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories