ବିଷ୍ଣୋଇ ପାଇଁ ବାର୍ଷିକ ୪୦ ଲକ୍ଷ ଖର୍ଚ୍ଚ କରୁଛନ୍ତି ପରିବାର
ନୂଆଦିଲ୍ଲୀ: ସଂପ୍ରତି ଦେଶର ଅପରାଧିକ ମାନଚିତ୍ରରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ପ୍ରମୁଖ ସ୍ଥାନ ଅଧିକାର କରିଛି। ଏକାଧିକ ହାଇ-ପ୍ରୋଫାଇଲ ହତ୍ୟାକାଣ୍ଡ ସମେତ ବିଭିନ୍ନ ଆପରାଧିକ କାରଣରୁ ବିଦେଶରେ ମଧ୍ୟ ବିଷ୍ଣୋଇ ଗ୍ୟାଙ୍ଗ ଚର୍ଚ୍ଚାରେ ରହିଛି। ୩୧ ବର୍ଷୀୟ ଲରେନ୍ସ ୨୦୧୫ରୁ ଜେଲ୍ରେ ଅବସ୍ଥାନ କରୁଥିବା ସତ୍ତ୍ବେ ତା’ର ଅପରାଧ ସାମ୍ରାଜ୍ୟର ପତନ ଘଟିନାହିଁ। ଜେଲ୍ରେ ଥିବାବେଳେ ବିଷ୍ଣୋଇ ପରିବାର ତା’ ପିଛା ବର୍ଷକୁ ୩୫ରୁ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ଜଣେ ସମ୍ପର୍କୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ରମେଶ ବିଷ୍ଣୋଇ ନାମକ ଏହି ସମ୍ପର୍କୀୟଙ୍କ ବୟାନ ଅନୁଯାୟୀ ଲରେନ୍ସ ଜଣେ ଆଇନ ସ୍ନାତକ। ଧନୀ ପରିବାରରୁ ଆସିଥିବାରୁ ଲରେନ୍ସର ଚାଲିଚଳଣ ମଧ୍ୟ ଉଚ୍ଚସ୍ତରର ବୋଲି ସେ କହିଛନ୍ତିି। ଲରେନ୍ସ ସବୁବେଳେ ଦାମୀ ପୋଷାକ, ଜୋତା ଓ ଚଷମା ପିନ୍ଧିବାକୁ ପସନ୍ଦ କରିଥାଏ। କଏଦୀ ଅବସ୍ଥାରେ ତାକୁ ଦେଖିବାକୁୁ ମିଳିନଥାଏ। ୨୦୧୦ରେ ପଞ୍ଜାବ ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କରୁଥିବାବେଳେ ଗୋଲଡି ବ୍ରାର ସଂସ୍ପର୍ଶରେ ଆସି ଲରେନ୍ସ ଅପରାଧ ଜଗତରେ ପ୍ରବେଶ କରିଥିଲା। ପ୍ରଥମେ ଦାଦାବଟି ଆଦାୟ ଏବଂ ଡକାୟତିରୁ କ୍ୟାରିୟର ଆରମ୍ଭ କରିଥିବା ଲରେନ୍ସ ପରବର୍ତ୍ତୀ ସମୟରେ ନିଜକୁ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଭାବେ ପରିଚିତ କରାଇପାରିଛି। ବଲିଉଡ୍ ଅଭିନେତା ସଲମାନ ଖାନ୍ଙ୍କୁ ହତ୍ୟା ଉଦ୍ୟମ, ପଞ୍ଜାବୀ ଗାୟକ ସିଧୁ ମୁସେୱାଲା, ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକି, କର୍ଣ୍ଣି ସେନା ସଭାପତି ସୁଖଦେବ ସିଂହ ଗୋଗୋମେଦିଙ୍କ ହତ୍ୟା ଘଟଣାରେ ଲରେନ୍ସ ଗ୍ୟାଙ୍ଗ ସଂପୃକ୍ତ ଥିବା ଜଣାପଡିଛି। କାନାଡାରେ ଲରେନ୍ସ ଗ୍ୟାଙ୍ଗ ସକ୍ରିୟ ଥିବା ସେଠାକାର ସରକାର ଅଭିଯୋଗ କରିଆସୁଛନ୍ତି। ଭାରତୀୟ ଗୁଇନ୍ଦା ସଂସ୍ଥା ‘ର’ ନିର୍ଦେଶକ୍ରମେ ଲରେନ୍ସ ଗ୍ୟାଙ୍ଗ ସଦସ୍ୟମାନେ କାନାଡାରେ ସକ୍ରିୟ ଥିବା ଖଲିସ୍ତାନ ଆତଙ୍କବାଦୀଙ୍କୁ ହତ୍ୟା କରୁଥିବା କାନାଡା ସରକାର ଅଭିଯୋଗ କରୁଛନ୍ତି। ଭାରତର ବିଭିନ୍ନ ସ୍ଥାନରେ ଲରେନ୍ସ ଗ୍ୟାଙ୍ଗର ୭୦୦ରୁ ଅଧିକ ସାର୍ପ ସୁଟର କାର୍ଯ୍ୟ କରୁଥିବା ଜଣାପଡିଛି। ଲରେନ୍ସକୁ ସଂପ୍ରତି ଗୁଜରାଟର ସାବରମତି ଜେଲ୍ରେ ରଖାଯାଇଛି।
Comments are closed.