ନାଡାଲଙ୍କ ଅବସର ଘୋଷଣା

ନୂଆଦିଲ୍ଲୀ : ଟେନିସରୁ ଆଉ ଏକ ଯୁଗର ଅନ୍ତ ହୋଇଛି। ବିଶ୍ବ ଟେନିସର ଅପ୍ରତିଦ୍ବନ୍ଦ୍ବୀ ଖେଳାଳି ତଥା ୨୨ଥର ଗ୍ରାଣ୍ଡସ୍ଲାମ ବିଜୟୀ ସ୍ପେନର ରାଫେଲ ନାଡାଲ ଟେନିସରୁ ଅବସର ଘୋଷଣା କରିଛନ୍ତି। ଆସନ୍ତା ମାସରେ ଖେଳାଯିବାକୁ ଥିବା ଡେଭିସ କପ୍‌ ଫାଇନାଲ ନାଡାଲଙ୍କ ଶେଷ ଟୁର୍ଣ୍ଣାମେର୍ଟ ହେବ। ଏ ନେଇ ନାଡାଲ ଗୁରୁବାର ଭିଡିଓ ବାର୍ତ୍ତା ମାଧ୍ୟମରେ ସୂଚନା ଦେଇଛନ୍ତି। ନାଡାଲ ଖେଳ ପାଇଁ କରିଥିବା ସଂଘର୍ଷ ଓ ଆହତ ସମସ୍ୟା କିଭଳି ଭାବେ କ୍ୟାରିୟର ଉପରେ ପ୍ରଭାବ ପକାଇଥିଲା ତାହା ଭିଡ଼ିଓ ବାର୍ତ୍ତାରେ କହିଛନ୍ତି। ମାଲାଗାରେ ଆସନ୍ତା ନଭେମ୍ବରରେ ଖେଳାଯିବାକୁ ଥିବା ଡେଭିସ୍‌ କପ୍‌ ଫାଇନାଲ ଖେଳିବି। ଦେଶ ପାଇଁ ଏହା ହେବ ଶେଷ ଟୁର୍ଣ୍ଣାମେଣ୍ଟ। ଅବସର ନେଇ ଦୁଇବର୍ଷ ହେବ ଚିନ୍ତା କରୁଥିଲି। ଆହତ ସମସ୍ୟା ଅବସର ନେବାକୁ ବାଧ୍ୟ କରିଛି ବୋଲି ନାଡାଲ କହିଛନ୍ତି। ନାଡାଲ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ଅତ୍ୟାଧିକ ଉତ୍ସାହିତ ଯେ, ମୋର ଶେଷ ଟୁର୍ଣ୍ଣାମେଣ୍ଟ ଡେଭିସ କପ୍‌ ଫାଇନାଲ ହେବ। ଯେଉଁଥିରେ ମୁଁ ଦେଶ ପାଇଁ ପ୍ରତିନିଧିତ୍ବ କରିବି। ଜଣେ ପେସାଦାର ଟେନିସ ଖେଳାଳି ଭାବେ ୨୦୦୪ରେ ଡେଭିସ କପ ଫାଇନାଲ ମୋର କ୍ୟାରୟରକୁ ନୂଆ ମୋଡ଼ ଦେଇଥିଲା। ଏବେ ଉକ୍ତ ଟୁର୍ଣ୍ଣାମେଣ୍ଟ କ୍ୟାରିୟରର ​‌ଶେଷ ହେବ। ମୁଁ ନିଜକୁ ଭାଗ୍ୟବାନ ମନେ କରେ ବୋଲି ନାଡାଲ କହିଛନ୍ତି।

୩୮ବର୍ଷୀୟ ନାଡାଲ ୨୩ ବର୍ଷର ଟେନିସ କ୍ୟାରିୟରରେ ୯୨ଟି ଏଟିପି ଟାଇଟଲ ଜିତିଛନ୍ତି। ଯେଉଁଥିରେ ଏକକ ବର୍ଗରେ ୨୨ଟି ଗ୍ରାଣ୍ଡସ୍ଲାମ ଟାଇଟଲ ରହିଛି। ୨୦୦୮ ବେଜିଂ ଅଲିମ୍ପିକ୍‌ସରେ ଯୁଗଳରେ ସ୍ବର୍ଣ୍ଣ ଜିତିଥିବାବେଳେ ୨୦୧୬ରେ ରିଓ ଅଲିମ୍ପିକ୍‌ସରେ ଏକକରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ୨୦୦୫ରେ ଫ୍ରେଞ୍ଚ ଓପନ ଏକକ ବର୍ଗ ଟାଇଟଲ ଥିଲା ପ୍ରଥମ ଗ୍ରାଣ୍ଡସ୍ଲାମ ଟ୍ରଫି। ଏହା ପରେ ସେ ଆଉ ପଛକୁ ଫେରି ଚାହଁନଥିଲେ। ଗ୍ରାଣ୍ଡସ୍ଲାମ ମଧ୍ୟରେ ସର୍ବାଧିକ ସଫଳତା ଫ୍ରେଞ୍ଚ ଓପନରେ ହାସଲ କରିଛନ୍ତି। ୨୦୦୫, ୨୦୦୬,୨୦୦୭, ୨୦୦୮, ୨୦୧୦, ୨୦୧୧, ୨୦୧୨, ୨୦୧୩, ୨୦୧୪, ୨୦୧୭, ୨୦୧୮, ୨୦୧୯, ୨୦୨୦ ଓ ୨୦୨୨ରେ ୧୪ଥର ଫ୍ରେଞ୍ଚ ଓପନ ଏକକ ବର୍ଗରେ ଟାଇଟଲ ଜିତିଛନ୍ତି। ଏହାଛଡ଼ା ୨୦୦୯ ଓ ୨୦୨୨ରେ ଦୁଇଥର ଅଷ୍ଟ୍ରେଲିଆନ ଓପନ, ୨୦୦୮ ଓ ୨୦୧୦ରେ ଦୁଇଥର ୱିମ୍ବଲଡନ ଓ ୨୦୧୦, ୨୦୧୩, ୨୦୧୭ ଓ ୨୦୧୯ରେ ୪ର୍ଥ ୟୁଏସ୍‌ ଓପନ ଟାଇଟଲ ଜିତିଛନ୍ତି। ଏକକ ବାଦ୍‌ ନାଡାଲ ଡେଭିସ କପ୍‌ ଦଳଗତ ରେ ୨୦୦୪, ୨୦୦୯, ୨୦୧୧ ଓ ୨୦୧୯ରେ ଟାଇଟଲ ଜିତିଛନ୍ତି। ୨୦୦୮ରେ ବିଶ୍ବର ଏକ ନମ୍ବର ପୁରୁଷ ଟେନିସ ଖେଳାଳି ମାନ୍ୟତା ହାସଲ କରିଥି​‌ଲେ। ନାଡାଲ ଏକାଧିକ ସମୟ ଆହତ ସମସ୍ୟା ଦେଇ ଗତି କରିଛନ୍ତି। ଆହତ ପାଇଁ ୨୦୨୩ ଫ୍ରେଞ୍ଚ ଓପନର ପ୍ରଥମ ରାଉଣ୍ଡ ମ୍ୟାଚ ଅଧାରୁ ଓହରି ଯାଇଥିଲେ। ଗତ ଦୁଇ ବର୍ଷ ହେବ ନାଡାଲ କୌଣସି ଗ୍ରାଣ୍ଡସ୍ଲାମ ଟେନିସ ଜିତିନାହାନ୍ତି। ​‌ଶେଷ ଥର ପାଇଁ ୨୦୨୨ରେ ଗ୍ରାଣ୍ଡସ୍ଲାମ ଟାଇଟଲ ଫ୍ରେଞ୍ଚ ଓପନ ଜିତିଥିଲେ। ଡେଭିସ କପ୍‌ ଫାଇନାଲ ଆସନ୍ତା ନଭେମ୍ବର ୧୯ରୁ ୨୪ ପର୍ଯ୍ୟନ୍ତ ଖେଳାଯିବ। ଉକ୍ତ ଟୁର୍ଣ୍ଣାମେଣ୍ଟ ନାଡାଲଙ୍କ ଶେଷ ମ୍ୟାଚ ହେବ। ଏହାକୁ ଜିତିବା ସହ ଟେନିସରୁ ଅବସର ନେବା ନେଇ ନାଡାଲ ଲକ୍ଷ୍ୟ ରଖିଛନ୍ତି।

Comments are closed.