www.samajalive.in
Friday, December 12, 2025
17.1 C
Bhubaneswar

ମାଟି ହାଣ୍ଡି ଭିତରେ ପୂଜା ପାଉଛନ୍ତି ମା’ଉତ୍ତରାୟଣୀ, ସ୍ୱତନ୍ତ୍ର ପ୍ରଣାଳୀରେ ପ୍ରସ୍ତୁତ ହେଉଛି ଅଲଣା ବିରି ଜାଉ ଭୋଗ

ପିପିଲି : ପୁରୀ ଜିଲାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ଭାବେ ପରିଚିତ ସାତଶଙ୍ଖ ସ୍ଥିତ ମା’ଉତ୍ତରାୟଣୀଙ୍କ ପୀଠରେ ଶାରଦୀୟ ପୂଜା ଉତ୍ସବ ସମସ୍ତ ରୀତିନୀତି ଅନୁଯାଇ ଅନୁଷ୍ଠିତ ହେଉଅଛି। ଅଗଣିତ ଭକ୍ତ ଓ ଶ୍ରଦ୍ଧାଳୁମାନେ ପ୍ରତ୍ୟହ ପରମ ବୈଷ୍ଣବୀ ଠାକୁରାଣୀ ମା’ଉତ୍ତରାୟଣୀଙ୍କ ଦର୍ଶନ କରିବା ସହ ଠାକୁରାଣୀଙ୍କ ପାଖରେ ମାନସୀକ କରୁଥିବା ସୂଚନା ମିଳିଛି। ମା’ଙ୍କ ପ୍ରିୟ ଅଲଣା ବିରି ଜାଉ ଭୋଗକୁ ଏକ ସ୍ୱତନ୍ତ୍ର ପ୍ରଣାଳୀରେ ପ୍ରସ୍ତୁତ କରାଯାଉଥିବା ବେଳେ ଏହାକୁ ପାଇବା ପାଇଁ ପ୍ରତ୍ୟହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହେଉଛି।

ପିପିଲି ବ୍ଲକର ଯଶୁଆପୁର ପଞ୍ଚାୟତ ଅନ୍ତର୍ଗତ ସାତଶଙ୍ଖ ସ୍ଥିତ ସୁବଳପୁର ମୌଜାରେ ଅବସ୍ଥିତ ମା’ଉତ୍ତରାୟଣୀ ଏକ ବଡ ମାଟି ହାଣ୍ଡି ମଧ୍ୟରେ କାହିଁ କେଉଁ କାଳରୁ ପୂଜା ପାଇ ଆସୁଛନ୍ତି। ପୁରୀର ଗଜପତି ମହାରାଜା ଶ୍ରୀପୁରୁଷୋତ୍ତମଦେବଙ୍କ ରାଜତ୍ୱ ସମୟରେ ଏହି ମନ୍ଦିର ପ୍ରତିଷ୍ଠା ହୋଇଥିବା ସୂଚନା ମିଳିଛି। ଶ୍ରୀଜଗନ୍ନାଥଙ୍କ ଉତ୍ତର ଦିଗରେ ଠାକୁରାଣୀ ଆବିର୍ଭାବ ହୋଇଥିବାରୁ ମା’ଉତ୍ତରାୟଣୀ ରୂପରେ ବିଦିତ ହୋଇଥିବା ଜନଶୃତିରେ ଜଣାଯାଏ। ଜବନମାନଙ୍କ ଆକ୍ରମଣରୁ ଦେବୀଙ୍କୁ ରକ୍ଷା କରିବା ପାଇଁ ରାଜା ଏକ ବଡ ମାଟି ହାଣ୍ଡିରେ ଉତ୍ତରାୟଣୀଙ୍କୁ ଘୋଡାଇ ରଖିଥିବା ଯୋଗୁଁଁ ସେହିଦିନ ଠାରୁ ଠାକୁରାଣୀ ଉକ୍ତ ମାଟି ହାଣ୍ଡି ମଧ୍ୟରେ ପୂଜା ପାଇ ଆସୁଛନ୍ତି।

- Advertisement -

ଏହି ପୀଠରେ ପ୍ରତ୍ୟହ ସକାଳ ୬ଟାରେ ଦ୍ୱାରଫିଟା ନୀତି କରାଯିବା ପରେ ବାଳଭୋଗ କରାଯାଇଥାଏ। ଦ୍ୱିପହର ଖେଚୁଡି ଭୋଗରେ ଭାତ,ଡାଲି, ଖିରୀ ଓ ଖଟା ଆଦି ଭୋଗ କରାଯାଉଥିବା ବେଳେ ଅପରାହ୍ନରେ ମା’ଙ୍କ ପ୍ରିୟ ଅଲଣା ବିରି ଜାଉ ଭୋଗ କରାଯାଏ। ଏକ ସ୍ୱତନ୍ତ୍ର ପ୍ରଣାଳୀରେ ଏହି ଅଲଣା ବିରି ଜାଉ ଭୋଗ ପ୍ରସ୍ତୁତ କରାଯାଇଥାଏ, ଯେଉଁଥିରେ ଆଦୌ ଲୁଣ ବ୍ୟବହାର କରାଯାଇନଥାଏ।

ଅରୁଆ ଚାଉଳ, ଗୋଟା ବିରି, ନଡିଆ, କ୍ଷୀର, ଚିନି, କାଜୁ, ଖିସମିସ୍‌‌, ଗୁଜୁରାତି, କର୍ପୁର ଓ ତେଜପତ୍ରରେ ପ୍ରସ୍ତୁତ ଏହି ଅଲଣା ଜାଉ ମା’ଙ୍କର ଅତି ପ୍ରିୟ ଓ ପ୍ରସିଦ୍ଧ ଭୋଗ ଅଟେ। ମା’ଉତ୍ତରାୟଣୀଙ୍କ ପାଶ୍ୱର୍ ଦେବୀ ଭାବେ ବନଦୁର୍ଗା ଓ କନକ ଦୁର୍ଗା ପୂଜା ପାଉଥିବା ବେଳେ ତାଙ୍କ ନିକଟରେ ୧୯୯୬ ମସିହାରୁ ବଳି ପ୍ରଥା ବନ୍ଦ ହୋଇଯିବା ପରେ ଏବେ ମାଛ ଭୋଗ କରାଯାଉଛି।

ମା’ଉତ୍ତରାୟଣୀ ପ୍ରତ୍ୟହ ଭିନ୍ନ ଭିନ୍ନ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଥିବା ବେଳେ ଏହାକୁ ଦେଖିବା ପାଇଁ ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁ ଓ ମାନସୀକଧାରୀ ଭକ୍ତଙ୍କ ବେଶ୍‌‌ ଭିଡ ଲାଗୁଥିବା ପରିଲକ୍ଷିତ ହୋଇଛି। ଅଷ୍ଟମୀରେ କାତ୍ୟାୟନୀ ବେଶ, ନବମୀରେ କାଳରାତ୍ରୀ ବେଶ ଓ ଦଶମୀରେ ମହାଗୌରୀ ବେଶରେ ମା’ ଉତ୍ତରାୟଣୀ ଭକ୍ତଙ୍କୁ ଦର୍ଶନ ଦେବେ ବୋଲି ସୂଚନା ମିଳିଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories