www.samajalive.in
Thursday, December 11, 2025
15.1 C
Bhubaneswar

ରେଳପଥର ବିକାଶ ପଶ୍ଚିମ ଓଡ଼ିଶାରେ ଚାଷୀ ଓ ଶିଳ୍ପ ପାଇଁ ସହାୟକ ହେବ : ମୋଦୀ

-ବଲାଙ୍ଗୀରରେ ୧୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‍ଘାଟନ, ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
-ଆଦିବାସୀଙ୍କ ପାଇଁ ଉଦ୍ଦିଷ୍ଟ ୪ ହଜାର କୋଟି ଟଙ୍କାର ଖଣି ବିକାଶ ପାଣ୍ଠିକୁ ଖର୍ଚ୍ଚକରି ପାରିନାହାନ୍ତି ରାଜ୍ୟ ସରକାର
-ପୂର୍ବ ସରକାର ସଂସ୍କୃତି, ଐତିହ୍ୟର ସୁରକ୍ଷାକୁ କରିଥିଲେ ଅବହେଳା
-ଆଧାର, ଡିବିଟି, ଜାମ୍‍ ଯୋଗୁ ଧରା ପଡ଼ିଛନ୍ତି ୬ କୋଟିରୁ ଅଧିକ ନକଲି ଲାଭାର୍ଥୀ, ସଂଚୟ ହୋଇଛି ୯୦ ହଜାର କୋଟି ଟଙ୍କା
-ବିକାଶର ପଞ୍ଚଧାରା ଉପରେ କେନ୍ଦ୍ରର ଗୁରୁତ୍ୱ
-ଚୋରଙ୍କୁ ଗୋଡ଼େଇ ଗୋଡ଼େଇ ଧରିବ ଚୌକିଦାର
-ଦେଶର ପ୍ରଗତିକୁ ହଜମ କରିପାରୁ ନାହାନ୍ତି ପ୍ରତିପକ୍ଷ
-ବିକାଶକୁ ଛାଡ଼ି ଅସାଧୁ ମେଣ୍ଟରେ ମାତିଛନ୍ତି ବିପକ୍ଷ

ବଲାଙ୍ଗୀର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନିକିଆ ସଂକ୍ଷିପ୍ତ ଓଡ଼ିଶା ଗସ୍ତରେ ଆସି ୧୫୦୦ କୋଟି ଟଙ୍କାରୁ ଅଧିକ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ଏହିସବୁ ପ୍ରକଳ୍ପ ଶିକ୍ଷା, ସଂସ୍କୃତି, ରେଳପଥ, ଭିତିଭୂମି ଏବଂ ସହଜ ଜୀବନଧାରଣ ସଂକ୍ରାନ୍ତ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ। ମଙ୍ଗଳବାର ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ବଲାଙ୍ଗୀରଠାରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ଆନୁଷ୍ଠାନିକ ଭାବେ ଝାରସୁଗୁଡ଼ା ବହୁମୁଖୀ ଲଜିଷ୍ଟିକ୍‍ ପାର୍କ, ଝାରସୁଗୁଡ଼ା-ବିଜୟନଗରମ୍‍ ରେଳଲାଇନ୍‍ ଏବଂ ସମ୍ବଲପୁର-ଅନୁଗୋଳ ରେଳ ଲାଇନ୍‍ର ବିଦ୍ୟୁତିକରଣ, ବରପାଲି-ଡୁଙ୍ଗୁରିପାଲି ଏବଂ ବଲାଙ୍ଗୀର-ଦେଓଗାଁ ରେଳପଥର ଦୋହରୀକରଣ ତଥା ଥେରୁବାଲି- ସିଙ୍ଗାପୁରରୋଡ ଷ୍ଟେସନ ମଧ୍ୟରେ ୫୮୮ ନମ୍ବର ସେତୁର ଲୋକାର୍ପଣ କରିଛନ୍ତି। ସେହିଭଳି ସୁବର୍ଣ୍ଣପୁରଠାରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ଲାଗି ନିର୍ମାଣ କାର୍ଯ୍ୟର ଆଧାରଶିଳା ରଖିଛନ୍ତି। ଏହାଛଡ଼ା ରାୟଗଡ଼ାସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ, ବଲାଙ୍ଗୀର-ବିଛୁପାଲି ସେକ୍ସନ ରେଳଲାଇନ୍‍, ବଲାଙ୍ଗୀର-ବିଛୁପାଲି ମଧ୍ୟରେ ନୂତନ ରେଳ ଚଳାଚଳକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ସେହିଭଳି ବରଗଡ଼, ବଲାଙ୍ଗୀର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଫୁଲବାଣୀ ଏବଂ ପୁରୀ ଡାକଘରଗୁଡ଼ିକରେ ପାସ୍‍ପୋର୍ଟ ସେବାକେନ୍ଦ୍ରର ଶୁଭ ଉଦ୍‍ଘାଟନ କରିଛନ୍ତି। ଅଧିକନ୍ତୁ, ପ୍ରଧାନମନ୍ତ୍ରୀ ଏହି ଗସ୍ତକ୍ରମରେ କେତେକ ସାଂସ୍କୃତିକ ମହତ୍ୱ ବହନ କରୁଥିବା ପ୍ରକଳ୍ପକୁ ମଧ୍ୟ ଉଦ୍‍ଘାଟନ କରିଛନ୍ତି। ସେଥିମଧ୍ୟରେ ରହିଛି – ବୌଦ୍ଧ ଜିଲ୍ଲାର ନୀଳମାଧବ ଓ ସିଦ୍ଧେଶ୍ବର ମନ୍ଦିର ଏବଂ ପଶ୍ଚିମ ସୋମନାଥ ମନ୍ଦିର ସମୂହ, ବଲାଙ୍ଗୀର ଜିଲ୍ଲାର ରାଣୀପୁର-ଝରିଆଳ ଐତିହ୍ୟ ସଂକୁଳ ଏବଂ କଳାହାଣ୍ଡି ଜିଲ୍ଲାର ଅସୁରଗଡ଼ ଦୁର୍ଗସ୍ଥିତ ପ୍ରାଚୀନ ଐତିହ୍ୟ ସ୍ଥଳୀର ବିକାଶ, ସଂରକ୍ଷଣ ଓ ସୌନ୍ଦର୍ଯ୍ୟବର୍ଦ୍ଧନ କାର୍ଯ୍ୟକୁ ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ବଲାଙ୍ଗୀରଠାରେ ପ୍ରଧାନମନ୍ତ୍ରୀ ଏକ ବିଶାଳ ଜନ ସମାବେଶକୁ ସମ୍ବୋଧିତ କରିଥିଲେ। ମକର ସଂକ୍ରାନ୍ତି ଅବସରରେ ଓଡ଼ିଶାର ଜନସାଧାରଣଙ୍କୁ ଅଭିନନ୍ଦନ ଓ ଶୁଭକାମନା ଜଣାଇଥିଲେ। ମା’ ସମଲେଶ୍ୱରୀ ଏବଂ ପାଟଣେଶ୍ୱରୀଙ୍କୁ ପ୍ରଣାମ ପୂର୍ବକ ନିଜର ବକ୍ତବ୍ୟ ଆରମ୍ଭ କରି ଓଡ଼ିଶାର ବିକାଶ ପ୍ରତି କେନ୍ଦ୍ର ସରକାର ପ୍ରତିବଦ୍ଧ ଥିବା ପୁନଃ ଘୋଷଣା କରିଥିଲେ। ସେ କହିଥିଲେ ଯେ ନୂଆ ଓଡ଼ିଶାର ବିକାଶ ଦ୍ୱାରା ପୂର୍ବ ଭାରତର ବିକାଶ ହେବ। ନୂତନ ଓଡ଼ିଶା ବିକାଶ ଲାଗି ନୂତନ ବଲାଙ୍ଗୀର, ନୂତନ ସୋନପୁରର ବିକାଶ ଆବଶ୍ୟକ। ବହୁଦିନ ଧରି ଏହି ଅଞ୍ଚଳର ଦାବି ରହିଥିଲା ଏକ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ଲାଗି, ଯାହାର କି ଆଜି ଶିଳାନ୍ୟାସ କରାଯାଇଛି। ୨୦୧୪ ପରେ ତାଙ୍କ ସରକାର ଓଡ଼ିଶା ସମେତ ବିଭିନ୍ନ ସ୍ଥାନରେ ଶିକ୍ଷା ଓ ମାନବ ସଂସାଧନର ବିକାଶ ଲାଗି ପଦକ୍ଷେପ ନେଇ କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟମାନ ଖୋଲୁଛନ୍ତି। ସଂଯୋଗୀକରଣର ବିସ୍ତାର ଉପରେ ମଧ୍ୟ ପ୍ରାଧାନ୍ୟ ଦିଆଯାଉଛି। ଆଜି ଓଡ଼ିଶାରେ ଶୁଭାରମ୍ଭ କରାଯାଇଥିବା ରେଳବାଇ ପ୍ରକଳ୍ପଗୁଡ଼ିକ ଏହାର ଜ୍ୱଳନ୍ତ ଉଦାହରଣ। ରେଳବାଇର ବିକାଶ ଦ୍ୱାରା ଯାତ୍ରୀ ଓ ମାଲ ପରିବହନ ସୁଗମ ହେବ ଏବଂ ଆମର ଚାଷୀ ଭାଇମାନଙ୍କୁ ସେମାନଙ୍କର କୃଷିଜାତ ସାମଗ୍ରୀ ବିଭିନ୍ନ ଯାଗାରେ ବିକ୍ରି କରିବାର ସୁବିଧା ମିଳିବ। ଏହାଦ୍ୱାରା ସେମାନେ ନିଜ ଉତ୍ପାଦର ଉପଯୁକ୍ତ ମୂଲ୍ୟ ପାଇପାରିବେ। ରେଳପଥର ବିକାଶ ଦ୍ୱାରା ଏହି ଅଂଚଳରେ ବିଶେଷ କରି ପଶ୍ଚିମ ଓଡ଼ିଶାରେ ଉଦ୍ୟୋଗ ବିକାଶକୁ ମଧ୍ୟ ବଳ ମିଳିବ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଓଡ଼ିଶାରେ ପର୍ଯ୍ୟଟନର ବିକାଶ ଲାଗି ପର୍ଯ୍ୟାପ୍ତ ସୁଯୋଗ ରହିଛି। ପ୍ରକୃତି, ସମୁଦ୍ର, ସମ୍ବଳ, ସଂସ୍କୃତି ଓଡ଼ିଶାକୁ ଅନେକ କିଛି ଦେଇଛି। ଏସବୁର ଉପଯୁକ୍ତ ବିନିଯୋଗ ହେଲେ ପର୍ଯ୍ୟଟନର ବିକାଶ ହେବ ଏବଂ ସଂସ୍କୃତି ଭିତିକ ଐତିହ୍ୟ ସ୍ଥଳୀଗୁଡ଼ିକର ସୁରକ୍ଷା ମଧ୍ୟ ହୋଇପାରିବ। ଦେଶ ବିଦେଶରୁ ଅନେକ ପର୍ଯ୍ୟଟକ ଓଡ଼ିଶା ଆସିବେ ଏବଂ ରାଜ୍ୟରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ବଲାଙ୍ଗୀର ନିକଟ ଦେଇ ଯାଇଥିବା ପ୍ରାଚୀନ ସଡ଼କର ଧାରେ ଧାରେ ଥିବା ଐତିହ୍ୟସ୍ଥଳୀ ଗୁଡ଼ିକର ସଂରକ୍ଷଣ ଓ ସୌନ୍ଦର୍ଯ୍ୟବର୍ଦ୍ଧନ ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି। କୋଣାର୍କର କିରଣ ଓଡ଼ିଶା ସମେତ ସାରା ଦେଶକୁ ସଂସ୍କୃତିର ଝଲକରେ ଉଦ୍‍ଭାସିତ କରୁଛି। ସେହିଭଳି କଳାହାଣ୍ଡିର ଅସୁରଗଡ଼ କିଲ୍ଲାର ବୀରତ୍ୱର ମହାନ୍‍ ସଂସ୍କୃତି ଏବେ ମଧ୍ୟ ଉଜ୍ଜୀବିତ ରହିଛି। ପୂର୍ବ ସରକାରମାନେ ଏହିସବୁ ଐତିହ୍ୟକୁ ଅବହେଳା କରି ଆସିଛନ୍ତି। ଫଳରେ ସେସବୁର ଅବକ୍ଷୟ ଘଟିଛି। ଏବେ ତାଙ୍କ ସରକାର ସାରା ଦେଶର ଐତିହ୍ୟସ୍ଥଳୀ ତଥା ସଂସ୍କୃତି ଭିତିକ କୀର୍ତିରାଜୀଗୁଡ଼ିକର ସଂରକ୍ଷଣ, ବିକାଶ, ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟବର୍ଦ୍ଧନ ଲାଗି ଆଗେଇ ଆସିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ନକ୍ସଲମାନଙ୍କ ଗୁଳିରେ ଟଳି ପଡ଼ିଥିବା ଦୂରଦର୍ଶନର ସାହସୀ କ୍ୟାମେରାମ୍ୟାନ୍‍ ତଥା ବଲାଙ୍ଗୀରର ଭୂମିପୁତ୍ର ଅଚ୍ୟୁତାନନ୍ଦ ସାହୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ ଆଜି ଏହି ଗସ୍ତକାଳରେ ସ୍ୱର୍ଗତଃ ସାହୁଙ୍କ ପିତାମାତା ଓ ପରିବାରଜନଙ୍କୁ ଭେଟି ସମବେଦନା ଜଣାଇଛନ୍ତି।

- Advertisement -

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ କିଛିମାସ ମଧ୍ୟରେ ଓଡ଼ିଶାରେ ୨୦ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପମାନ ଉଦ୍‍ଘାଟିତ ତଥା କାର୍ଯ୍ୟାରମ୍ଭ କରାଯାଇଛି। ଅପରପକ୍ଷରେ ଓଡ଼ିଶାରେ ଜିଲ୍ଲା ଖଣିଜ ପାଣ୍ଠିକୁ ମିଳିଥିବା ପ୍ରାୟ ୪ ହଜାର କୋଟି ଟଙ୍କା ଖର୍ଚ୍ଚ ନ ହୋଇ ପଡ଼ିରହିଛି। ଆଦିବାସୀମାନଙ୍କ ଅଞ୍ଚଳର କଲ୍ୟାଣ ଲାଗି ଏହି ଅର୍ଥ ଖର୍ଚ୍ଚ କରାଯିବା କଥା। କେନ୍ଦ୍ର ସରକାର ପର୍ଯ୍ୟାପ୍ତ ପରିମାଣର ଅର୍ଥ ଦେଉଥିଲେ ମଧ୍ୟ ରାଜ୍ୟ ସରକାର ତାହା ଖର୍ଚ୍ଚ କରୁନାହାନ୍ତି। ଫଳରେ ଆଦିବାସୀମାନଙ୍କ କଲ୍ୟାଣ ଠିକ୍‍ଭାବେ ହୋଇପାରୁ ନାହିଁ। ସେମାନେ ଉପଯୁକ୍ତ ନ୍ୟାୟ ପାଇପାରୁ ନାହାନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ସାଧାରଣ ବର୍ଗର ଆର୍ଥିକ ଦୁର୍ବଳ ଶ୍ରେଣୀକୁ ଆରକ୍ଷଣ ଦେବା ଏକ ଐତିହାସିକ ନିଷ୍ପତ୍ତିି। ତେବେ ତଫସିଲଭୁକ୍ତ ଜାତି, ଜନଜାତି ଓ ଅନ୍ୟାନ୍ୟ ଅନଗ୍ରସର ଶ୍ରେଣୀର ସଂରକ୍ଷଣରେ ଯେପରି ବାଧା ନ ଉପୁଜେ ସେଥିପ୍ରତି ସତର୍କ ରହି କେନ୍ଦ୍ର ସରକାର ସାଧାରଣ ବର୍ଗର ଗରିବଙ୍କ ପାଇଁ ଆରକ୍ଷଣ ଆଇନ ପ୍ରଣୟନ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ସରକାର ଭ୍ରଷ୍ଟାଚାର ବିରୋଧରେ ଚଳାଇଥିବା ଲଢେଇ ସମ୍ପର୍କରେ ନିଜ ଭାଷଣରେ ସମ୍ୟକ୍‍ ସୂଚନା ଦେଇଥିଲେ। ସେ କହିଥିଲେ ଯେ ବିଗତ ସାଢେ ୪ ବର୍ଷ ମଧ୍ୟରେ ୬ କୋଟିରୁ ଅଧିକ ନକଲି ଲାଭାର୍ଥୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ବିଦା କରାଯାଇଛି। ସେମାନେ ପୂର୍ବ ସରକାର ଅମଳରେ ଦେଶକୁ ଲୁଟି ଚାଲିଥିଲେ। ଆଧାର କାର୍ଡ, ଡିବିଟି, ଜାମ୍‍ ଆଦି ପ୍ରୟୋଗ ଫଳରେ ୯୦ ହଜାର କୋଟି ଟଙ୍କାରୁ ଅଧିକ ସରକାରୀ ସବ୍‍ସିଡି ଅର୍ଥ ସଂଚୟ କରାଯାଇଛି। ହଜାର ହଜାର କୋଟି ଟଙ୍କାର ବାଟମାରଣା ବନ୍ଦ ହୋଇଯାଇଛି। ଚୋରମାନେ ଧରା ପଡୁଛନ୍ତି। ବିଗତ ସରକାର ଅମଳରେ ଲୁଟ୍‍ପାଟ୍‍ କରୁଥିବା ଚୋରମାନେ ଏବେ ଚୌକିଦାର ପଛରେ ଲାଗିଛନ୍ତି। କିନ୍ତୁ ଚୌକିଦାର ଗୋଡ଼େଇ ଗୋଡ଼େଇ ଚୋରଙ୍କୁ ଧରିବ। ଏଥିଲାଗି ବେଇମାନ ଓ ଚୋରମାନେ ତାଙ୍କୁ ଭୟ କଲେଣି। ଅନେକ ବର୍ଷଧରି ଗାଡ଼ି, ବଙ୍ଗଳାରେ ରହୁଥିବା ଏବଂ ଉଡ଼ାଜାହାଜରେ ଘୁରୁଥିବା ଭ୍ରଷ୍ଟାଚାରୀମାନେ ତାଙ୍କ ଉପରେ କ୍ରୋଧିତ ହେଲେଣି। ତାଙ୍କ ସରକାରକୁ କ୍ଷମତାରୁ ହଟାଇବା ପାଇଁ ଷଡ଼ଯନ୍ତ୍ର ଆରମ୍ଭ କରିଛନ୍ତି। ସେମାନେ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରିବା ଅର୍ଥ ଦେଶ ବିରୋଧରେ ଷଡ଼ଯନ୍ତ୍ର କରିବା। ଏମାନଙ୍କୁ ଉଚିତ ଜବାବ ଦେବାଲାଗି ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ସେ କହିଥିଲେ ଯେ ଏଭଳି ଦେଶବିରୋଧୀ, ଲୁଟେରା ଓ ବେଇମାନ ଲୋକମାନଙ୍କୁ ସେ ନିଶ୍ଚିତ ରୂପେ ଜେଲ୍‍ ପଠାଇବେ। ଏଥିଲାଗି ଜନସାଧାରଣଙ୍କ ସାହାଯ୍ୟ, ସମର୍ଥନ ଓ ଆଶୀର୍ବାଦ ଦରକାର ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ସାର ଦୁନିଆ ଭାରତର ପ୍ରଗତିରେ ଚକିତ ହୋଇଛି। ଅନେକ ରିପୋର୍ଟ ଭାରତର ଦ୍ରୁତ ପ୍ରଗତିକୁ ସ୍ୱୀକାର କରିଥିବାବେଳେ ବିରୋଧୀମାନେ ଏହାକୁ ମାନିବାକୁ ନାରାଜ। ପ୍ରତିପକ୍ଷ ଓଲଟା ଚିନ୍ତା କରୁଛନ୍ତି। ତାଙ୍କୁ ହଟାଇବା ଲାଗି ମହାଗଠବନ୍ଧନ ଓ ଅସାଧୁ ମେଂଟ କରୁଛନ୍ତି। ଜନସାଧାରଣ ସେମାନଙ୍କୁ ଉଚିତ ଜବାବ ଦେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ। ଏହି ସମାବେଶରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ପେଟ୍ରୋଲିଅମ, ପ୍ରାକୃତିକ ବାଷ୍ପ, ଦକ୍ଷତା ବିକାଶ ତଥା ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ପ୍ରମୁଖ ଯୋଗ ଦେଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories