www.samajalive.in
Wednesday, December 10, 2025
16.1 C
Bhubaneswar

ବଢ଼ିଲା ଧାନ ମୂଲ୍ୟ, ସଂଶୋଧନ ହେଲାନି ମିଲିଂ ଖର୍ଚ୍ଚ

ବାଲେଶ୍ୱର : ଧାନର କ୍ରୟ ମୂଲ୍ୟ ୩୧ ଶହ ଟଙ୍କାକୁ ମୋହନ ମାଝୀ ସରକାର ବୃଦ୍ଧି କରିଛନ୍ତି। ନିର୍ବାଚନ ପ୍ରତିଶ୍ରୁତି ମୁତାବକ ବିଜେପି ସରକାର ଆଗାମୀ ଖରିଫ ଧାନ ସଂଗ୍ରହ ସମୟରୁ ଏହାକୁ ଲାଗୁ କରିବ। ତେବେ ଦୀର୍ଘବର୍ଷ ଧରି ସରକାରୀ ଅବହେଳାର ଶିକାର ହୋଇ ଚାଲିଥିବା ଅଭିଯୋଗ କରିଛନ୍ତି ମିଲର୍ସ ସଂଘ। ଆସୋସିଏସନ୍‌ ପକ୍ଷରୁ ଅସନ୍ତୋଷ​‌ ବଢୁଛିଟ୍ଟ କାରଣ ଧାନ ମିଲିଂ, ପରିବହନ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ବାବଦ ମୂଲ୍ୟ ସଂଶୋଧନ ସରକାର କରୁନାହାନ୍ତି। ଦୀର୍ଘବର୍ଷ ଧରି ଏହାର ଦରବୃଦ୍ଧି କରାଯାଇନି। ସରକାରଙ୍କ ଉଦାସୀନତାକୁ ତୀବ୍ର ସମାଲୋଚନା କରି  ଖରିଫ ଧାନ ମିଲିଂରେ ଅସହଯୋଗ କରିବାକୁ ଚେତାବନୀ ଦେଇଛି ନିଖିଳ ଓଡ଼ିଶା ମିଲର୍ସ ଆସୋସିଏସନ।

ଯୋଗାଣ ବିଭାଗର ତଥ୍ୟ କହୁଛି, ମଣ୍ଡିରୁ ଧାନ ନେଇ ତାହାକୁ ମିଲିଂ ପାଇଁ ମିଲରମାନଙ୍କୁ କ୍ବିଣ୍ଟାଲ ପ୍ରତି ମିଳୁଛି ମାତ୍ର ୨୦ ଟଙ୍କା। ସେହିଭଳି ଧାନ ସଂଗ୍ରହ କେନ୍ଦ୍ରରୁ ମିଲକୁ ଧାନ ନେବା ପାଇଁ ୮ କିମି ଦୂର ପର୍ଯ୍ୟନ୍ତ ବୁହାଣି ଖର୍ଚ୍ଚ ପାଇଁ କ୍ବିଣ୍ଟାଲକୁ ୧୮ଟଙ୍କା ୪୭ ପଇସା ଓ ମିଲିଂ ପରେ ଏଫସିଆଇ ଗୋଦାମକୁ ଚାଉଳ ସ୍ଥାନାନ୍ତର ପାଇଁ ୧୫ ଟଙ୍କା ୬୮ ପଇସା ସେମାନଙ୍କୁ ଦିଆଯାଉଛି। ୮ କିମିରୁ ୪୦ କିମି ପର୍ଯ୍ୟନ୍ତ କିଲୋମିଟର ପ୍ରତି ଉଭୟ ଧାନ ଓ ଚାଉଳ ପାଇଁ ୫୨ ପଇସା ଓ ୪୦ କିମିରୁ ଅଧିକ ରାସ୍ତା ପାଇଁ ପ୍ରତି କିମିକୁ ୪୩ ପଇସା ହିସାବରେ ସରକାରୀ ମୂଲ୍ୟ ମିଳୁଛି। ଅନ୍ୟପକ୍ଷରେ ୧ କ୍ବିଣ୍ଟାଲ ଚାଉଳ ପାଇଁ ଆବଶ୍ୟକ ୪ ବୁରା(ଅଖା) ବାବଦ ଗୋଟା ପ୍ରତି ୧୪ଟଙ୍କା ୫୦ ପଇସା ଏବଂ ଧାନ ମହଜୁଦ ପାଇଁ କ୍ବିଣ୍ଟାଲ ପ୍ରତି ମାସିକ ୨ ଟଙ୍କା ୪୦ ପଇସା ମିଲରଙ୍କୁ ମିଳୁଥିବା ବାଲେଶ୍ବର ଜିଲା ଯୋଗାଣ ଅଧିକାରୀ କହିଛନ୍ତି।

- Advertisement -

ଅନ୍ୟପକ୍ଷରେ ମିଲର୍ସ ଆସୋସିଏସନ କର୍ମକର୍ତ୍ତାଙ୍କ କହିବା ଅନୁସାରେ, ଓଡ଼ିଶାର ଯେ କୌଣସି ଜିଲା​‌ରେ ସାଧାରଣତଃ ହଲ୍‌ର ମେସିନରେ ୧ କ୍ବିଣ୍ଟାଲ ଧାନକୁ ଭାଙ୍ଗିବା ପାଇଁ ଲୋକେ ୧୦୦ରୁ ଅଧିକ ଟଙ୍କା ଦେଉଛନ୍ତି। ମାତ୍ର ରାଜ୍ୟ ସରକାର କ୍ବିଣ୍ଟାଲ ପ୍ରତି ମିଲରଙ୍କୁ ମାତ୍ର ୨୦ ଟଙ୍କା ଦେଉଛନ୍ତି। ସେହିଭଳି ସମ୍ପ୍ରତି ଡିଜେଲ ମୂଲ୍ୟ ଲିଟର ପ୍ରତି ୯୩ ଟଙ୍କା ପାଖାପାଖି ଥିବାବେଳେ ସରକାରଙ୍କ ନାମକୁ ମାତ୍ର ବୁହାଣି ଖର୍ଚ୍ଚ ଯୋଗୁଁ ମିଲରମାନେ କ୍ଷତି ସହି ଚାଲିଛନ୍ତି। ସରକାରୀ ନିୟମ ଅନୁସାରେ ୧ କ୍ବିଣ୍ଟାଲ ଧାନ ଭର୍ତ୍ତି କରିବା ପାଇଁ ଚାଷୀଙ୍କୁ ଦୁଇଟି ବୁରା ଦେବା କଥା, ମାତ୍ର  ତାହା ମିଳୁନାହିଁ। ଅନ୍ୟପକ୍ଷରେ ଚାଉଳ ଭରିବା ପାଇଁ ସରକାର ପ୍ରତି ବୁରା ପାଇଁ ମାତ୍ର ୧୪ ଟଙ୍କା ୫୦ ପଇସା ଦେଉଛନ୍ତି। ମାତ୍ର ଗୋଟିଏ ବୁରା କିଣିବାକୁ ଅତିକମରେ ୩୫ ଟଙ୍କାରୁ ଅଧିକ ଖର୍ଚ୍ଚ ହେଉଛି। ସେହିଭଳି ସେଣ୍ଟ୍ରାଲ ୱେରହାଉସ କର୍ପୋରେସନ (ସିଡବ୍ଲ୍ୟୁସି) ଓ ଓଡ଼ିଶା ଷ୍ଟେଟ ୱେର୍‌ହାଉସ କର୍ପୋରେସନ (ଓଏସଡବ୍ଲ୍ୟୁସି)ରେ ଚାଉଳ ମହଜୁଦ ରଖିବା ପାଇଁ ସରକାର ମାସିକ କ୍ବିଣ୍ଟାଲ ପ୍ରତି ୧୫ ଟଙ୍କାରୁ ଅଧିକ ଅର୍ଥ ଦେଉଛନ୍ତି। ଏମିତିକି ଚାଉଳ ରଖନ୍ତୁ ବା ନ ରଖନ୍ତୁ, ସରକାରଙ୍କୁ ବର୍ଷତମାମ ଧାର୍ଯ୍ୟ ରାଶି ଦେବାକୁ ପଡ଼ୁଛି। ମାତ୍ର ମିଲିଂ ପାଇଁ ମଣ୍ଡିରୁ ଧାନ ନେଇ ମହଜୁଦ ରଖିବାକୁ କ୍ବିଣ୍ଟାଲ ପ୍ରତି ୨ଟଙ୍କା ୪୦ ପଇସା ମାତ୍ର ୩ ମାସ ପାଇଁ ସରକାର ମିଲରଙ୍କୁ ଦେଉଛନ୍ତି। ଖରିଫ ଓ ରବି ଧାନ ମିଲିଂ ପାଇଁ ପ୍ରତିବର୍ଷ ୯ ମାସରୁ ଅଧିକ ସମୟ ଧାନକୁ ମହଜୁଦ ରଖିବାକୁ ପଡ଼ୁଛି। ସେହିଭଳି ମିଲିଂ ବାବଦ ଖର୍ଚ୍ଚ ମଧ୍ୟ ବଢ଼ି ଚାଲିଛି।

ଏଭଳି ସ୍ଥିତିରେ ମିଲରମାନେ ଦୀର୍ଘବର୍ଷ ଧରି କ୍ଷତି ସହି ଚାଲିଛନ୍ତି। ମିଲିଂ ବାବଦୀୟ ଖର୍ଚ୍ଚ ମୂଲ୍ୟ ସଂଶୋଧନ ପାଇଁ ବାରମ୍ବାର ଦାବି ସତ୍ତ୍ବେ ପୂର୍ବ ସରକାର ଗୁରୁତ୍ବ ଦେଇନାହାନ୍ତି। ଏବର ନୂଆ ସରକାର ମିଲରଙ୍କ ଦୁଃଖ ଶୁଣିବା ସହିତ ଉଚିତ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ନିଖିଳ ଓଡ଼ିଶା ମିଲର୍ସ ଆସୋସିଏସନର ରାଜ୍ୟ ସାଧାରଣ ସମ୍ପାଦକ ଲକ୍ଷ୍ମୀନାରାୟଣ ଦୀପକ ରଂଜନ ଦାସ ଆଶା ରଖିଛନ୍ତି। ଏନେଇ ରାଜ୍ୟର ବିଭିନ୍ନ ଜିଲାରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦିଆଗଲାଣି, ଏହା ପରେ ଯଦି ସରକାର ମୂଲ୍ୟ ସଂଶୋଧନ ନେଇ ପଦକ୍ଷେପ ନ ନେବେ, ତେବେ ଆସନ୍ତା ଖରିଫ ଧାନ ସଂଗ୍ରହ ଓ ମିଲିଂରେ  ଆସୋସିଏସନ ପକ୍ଷରୁ ଅସହଯୋଗ କରିବା ନେଇ ଚରମ ନିଷ୍ପତ୍ତି ନିଆଯିବା ସମ୍ଭାବନା ଥିବା ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ଜିଲା ଯୋଗାଣ ଅଧିକାରୀ ନିରୋଦ ରଂଜନ ଦାସଙ୍କୁ ପଚାରିବାରୁ ଆମେ ବାରମ୍ବାର ଉପରକୁ ଜଣାଉଛୁ, ସରକାର ଯାହା ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories