ବର୍ଷା ସାଜିଲା ବାଧକ: ଟିଣରେ ଚଢି ରାସ୍ତା ପୋଲ ପାର ହେଲେ ଗର୍ଭବତୀ
ଫୁଲବାଣୀ: ବର୍ଷା ସାଜିଲା ବାଧକ । ଫଳରେ ଟିଣରେ ଚଢି ପୋଲ ପାର ହେଲେ ଗର୍ଭବତୀ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଗୋଛାପଡ଼ା ଥାନା ଅନ୍ତର୍ଗତ ପାଣ୍ଡୁପଦର ରାସ୍ତାରେ । ସୂଚନା ପ୍ରକାରେ , ଗତ କିଛିଦିନ ହେଲା କନ୍ଧମାଳ ଜିଲାର ଫୁଲବାଣୀ ସମେତ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ନଦୀ ଓ ନାଳମାନଙ୍କରେ ଜଳସ୍ତର ବୃଦ୍ଧି ପାଇଛି । ଏଭଳି ସ୍ଥଳେ ସଲାଗୁଡ଼ାରୁ ଗୋଛାପଡ଼ା ଯିବା ରାସ୍ତାରେ ମଧ୍ୟ ଏକ ପୋଲ କାମ ଦୀର୍ଘଦିନ ହେଲା ଚାଲିଥିବା ଯୋଗୁଁ ପୋଲ ପାର୍ଶ୍ବରେ ଏକ ଅସ୍ଥାୟୀ ରାସ୍ତାରେ ଲୋକେ ଯାତାୟାତ କରିଥାନ୍ତି । ତେବେ ବର୍ଷା ଜଳ ବୃଦ୍ଧି ପାଇଲେ ଉକ୍ତ ଅସ୍ଥାୟୀ ରାସ୍ତା ଭାସିଯିବା ସହିତ ରାସ୍ତାରେ ପାଣି ପ୍ରବଳ ବେଗରେ ଯାଇଥାଏ । ଫଳରେ ଲୋକେ ବିଭିନ୍ନ ସମୟରେ ରାସ୍ତାର ଉଭୟ ପାର୍ଶ୍ବରେ ଘଂଟା ଘଂଟା ଧରି ପାଣି କମିବା ପର୍ଯ୍ୟନ୍ତ ଅପେକ୍ଷା କରିଥାନ୍ତି । ଆଜି ଅପରାହ୍ନରେ ସଲାଗୁଡ଼ା ଅଞ୍ଚଳର ଜଣେ ଗର୍ଭବତୀ ଡ଼ାକ୍ତରଖାନା ଯିବା ପାଇଁ ଆମ୍ବୁଲାନ୍ସ ଡ଼ାକିଥିଲେ ମଧ୍ୟ ପାଣ୍ଡୁପଦର ନାଳରେ ପ୍ରବଳ ପାଣି ଯୋଗୁଁ ସେ ରାସ୍ତା ପାର ହୋଇ ପାରିନଥିଲେ । ଫଳରେ ରାସ୍ତାରେ ଅପେକ୍ଷା କରିଥିବା କିଛି ସ୍ୱେଚ୍ଛାସେବୀଙ୍କ ସହଯୋଗରେ ଗର୍ଭବତୀଙ୍କୁ କୌଣସି ପ୍ରକାରେ ଅର୍ଦ୍ଧନିର୍ମିତ ପୋଲ ପର୍ଯ୍ୟନ୍ତ ଅଣାଯିବା ପରେ ସେଠାରେ ଏକ ଟିଣ ଚଢି ଯେଉଁ ପର୍ଯ୍ୟନ୍ତ ପୋଲ ତିଆରି ହୋଇଛି ସେଠାରେ ପହଞ୍ଚି ରାସ୍ତା ପାର ହୋଇଥିଲେ । କେବଳ ଗର୍ବବତୀ ନୁହନ୍ତି, ସେହି ସମୟରେ ବିଦ୍ୟାଳୟ ଛୁଟି ଯୋଗୁଁ ରାସ୍ତାରେ ଆସୁଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ମଧ୍ୟ ଟିଣରେ ଚଢି ପୋଲ ଉପରକୁ ଆସି ଆରପଟକୁ ଯିବାରେ ସକ୍ଷମ ହୋଇଥିଲେ । ତୁରନ୍ତ ଉକ୍ତ ପୋଲ କାମ ସାରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି । ମାସ ମାସ ଧରି ରାସ୍ତାର ଏଭଳି ସମସ୍ୟା ଯୋଗୁଁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।
Comments are closed.