ହରଭଙ୍ଗାରେ ଘରେ ଘରେ ସୁଭଦ୍ରା ଯୋଜନା କାର୍ଯ୍ୟକ୍ରମ, ୧୦ଜଣ ଆବାସ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ

ହରଭଙ୍ଗା : ମଙ୍ଗଳବାର ଘରେ ଘରେ ସୁଭଦ୍ରା ଯୋଜନାକୁ ଆଭାସି ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ହରଭଙ୍ଗା ବ୍ଲକ ଚାରିଛକସ୍ଥିତ ଖେଳ ପଡିଆରେ ବ୍ଲକ ପକ୍ଷରୁ ଏକ ସଭାର ଆୟୋଜନ କରା ଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ଆଭାସି କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ପ୍ରାନ୍ତରୁ ଏକ ହଜାରରୁ ଉର୍ଦ୍ଧ ମହିଳା ଯୋଗଦାନ କରି ସୁଭଦ୍ରା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଅଭିଭାଷଣ ଶୁଣିଥିଲେ।

ସୁଭଦ୍ରା ଯୋଜନା ପଞ୍ଜିକୃତ ମହିଳାମାନଙ୍କ ବ୍ୟାଙ୍କ ଖାତାକୁ ଆଜିଠାରୁ ୫ହଜାର ଟଙ୍କା ବଣ୍ଟନର ଶୁଭରାମ୍ଭ କରାଯାଇଛି। ହରଭଙ୍ଗା ବ୍ଲକର ୨୨ ପଞ୍ଚାୟତରେ ଆଜି ସୁଦ୍ଧା ସୁଭଦ୍ରା ପାଇଁ ୨୮ହଜାର ମହିଳା ପଞ୍ଜିକୃତ କରିଥିବା ସୂଚନା ମିଳିଛି। ଆଜିର କାର୍ଯ୍ୟକ୍ରମରେ ହରଭଙ୍ଗା ବିଡିଓ ଶରତ କୁମାର ସେଠୀ, ବୌଦ୍ଧ ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ହରଭଙ୍ଗା ବ୍ଲକ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନ, ହରଭଙ୍ଗା ତହସିଲଦାର ବିଭୂପ୍ରସାଦ ସିଂ, ଅତିରିକ୍ତ ତହସିଲଦାର ସମ୍ବିତ ସାମଲ, ଉପାଧ୍ୟକ୍ଷ କାହ୍ନୁଚରଣ ନାଥ ପ୍ରମୁଖ ଯୋଗଦାନ କରି ୧୦ଜଣ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀଙ୍କୁ କାର୍ଯାଦେଶ ପ୍ରଦାନ କରିଥିଲେ।

ବ୍ଲକର ୧୧୬୨ଜଣ ହିତାଧିକାରୀ ଆବାସ ଯୋଜନାରେ ପକ୍କାଘର ଯୋଗାଇଦିଆଯିବ ବୋଲି ସୂଚନା ମିଳିଛି। ଆଜିର କାର୍ଯ୍ୟକ୍ରମରେ ଉପସ୍ଥିତ ମହିଳାମାନଙ୍କ ପାଇଁ ଖାଇବାର ବନ୍ଦୋବସ୍ତ ମଧ୍ୟ ହୋଇଥିଲା। ମାତ୍ର ସଭା କାର୍ଯ୍ୟ ଚାଲିଥିବା ସମୟରେ ଖାଇବା ବିତରଣ ଆରମ୍ଭକୁ ନେଇ ବାରଣ କରାଯିବାରୁ ସମସ୍ୟା ଉପୁଜିଥିଲା।ଶେଷରେ କେତେକ ମହିଳା ଅସନ୍ତୋଷ ଜାହିର କରି ନଖାଇ ଘରକୁ ଫେରିଥିବା ଅଭିଯୋଗ ହୋଇଛି। କାର୍ଯ୍ୟକ୍ରମ ଚାଲିଥିବା ସମୟରେ ଖାଇବା ବଣ୍ଟନ ପାଇଁ କିଏ ନିର୍ଦେଶ ଦେଲା, ପୁଣିଖାଦ୍ୟ ଖାଇବା ପାଇଁ ମହିଳାମାନେ ଖଲି ଧରିଥିବା ବେଳେ ବଣ୍ଟନ ପାଇଁ ମନାକରିବାରୁ ଯେଉଁ ରିସ୍ଥିତି ସୃଷ୍ଟି ହେଲା ଏହା ଉପରେ ତଦନ୍ତ କରାଯିବାକୁ ସାଧାରଣରେ ଦାବି ଉଠୁଛି।

Comments are closed.