ବିପଦ ସଙ୍କେତ ଟପିଲା ଜଳକା, ବନ୍ୟା ଆଶଙ୍କା

ଅମର୍ଦ୍ଦାରୋଡ଼: ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ନଦୀର ମଥାନୀ ଠାରେ ସକାଳ ୬ଟା ସୁଦ୍ଧା ଜଳସ୍ତର ୫.୯୮ ମିଟର ରହିଥିବା ବେଳେ ସନ୍ଧ୍ୟା ୭ଟା ସୁଦ୍ଧା ତାହା କ୍ରମଶଃ ବୃଦ୍ଧି ପାଇ ୬.୪୯ମିଟରରେ ପ୍ରବାହିତ ହେଉଥିଲା। ମାତ୍ର ରାତି ୮ଟା ସୁଦ୍ଧା ବିପଦ ସଙ୍କେତ ୬.୫୦ ମିଟର ଅତିକ୍ରମ କରି ୬.୫୧ମିଟରରେ ଜଳ ପ୍ରବାହାତି ହେଉଛି।ତେବେ ଗତ ଦୁଇଦିନ ଧରି ବାଲେଶ୍ବର ସମେତ ପଡୋଶୀ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି।ଯାହା ଫଳରେ ବସ୍ତା ଦେଇ ପ୍ରବାହିତ ହେଉଥିବା ଜଳକା ନଦୀ ଅବବାହିକା ସମେତ ନଦୀର ଉପର ମୁଣ୍ଡ ରାସଗୋବିନ୍ଦପୁର,ମୋରଡା, ଶୁଳିଆପଦା,ଚିତ୍ରଡା ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି।

ଏଣୁ ଅନବରତ ବର୍ଷା କାରଣରୁ ବନ୍ୟା ପରିସ୍ଥିତି ଉପୁଜିବା ଆଶଙ୍କା କରା ଯାଉଛି।ଯଦି ବନ୍ୟା ହୁଏ ତାହାଲେ ବସ୍ତା ବ୍ଲକର ୧୦ ଏବଂ ସଦର ବ୍ଲକ ର ୩ଟି ପଞ୍ଚାୟତ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି।ଗତକାଲି ମୟୁରଭଂଜ ଜିଲା ରାସଗୋବିନ୍ଦପୁର ଅଞ୍ଚଳରେ ୮୨ ମିଲିମିଟର, ମୋରୋଡାରେ ୩୦.୨ ମିଲିମିଟର ଏବଂ ଶୁଳିଆପଦା ଅଞ୍ଚଳରେ ୭୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।ତେବେ ମୟୂରଭଞ୍ଜ, ବାଲେଶ୍ବର ଏବଂ କେନ୍ଦୁଝରକୁ ପାଣିପାଗ ବିଭାଗ ରେଡ୍ ଆଲର୍ଟ ଜାରି କରିଥିବାରୁ ରାତିରେ ମଧ୍ୟ ବର୍ଷା ବୃଦ୍ଧି ପାଇବାର ପୂର୍ବାନୁମାନ କରାଯାଉଛି।

Comments are closed.