ଆରମ୍ଭ ହେଲା ବ୍ରହ୍ମପୁର-ଟାଟାନଗର ବନ୍ଦେ ଭାରତ ଟ୍ରେନ, କେନ୍ଦୁଝରର ଗମନାଗମନ ଓ ପର୍ଯ୍ୟଟନ ହେବ ଆହୁରି ସୁଦୃଢ଼

କେନ୍ଦୁଝର ସଦର: ରାଜ୍ୟରେ ରବିବାର ଦୁଇ ଗୋଟି ନୂତନ ବନ୍ଦେ ଭାରତ ଟ୍ରେନ ଚଳାଚଳ ଆରମ୍ଭ କରିଛି । ବ୍ରହ୍ମପୁର-ଟାଟାନଗର, ରାଉରକେଲା-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସକୁ ଭର୍ଚୁଆଲ ମୋଡରେ ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ବ୍ରହ୍ମପୁରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଉରକେଲାରେ ରାଜ୍ୟପାଳ ରଘୁବର ଦାସ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ବ୍ରହ୍ମପୁରରେ ବିଶାଳ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଟ୍ରେନ୍ ଗଡ଼ିବା ପୂର୍ବରୁ ବ୍ରହ୍ମପୁରର ମାଆ ଅଧିଷ୍ଠାତ୍ରୀ ଦେବୀ ବୁଢ଼ୀ ଠାକୁରଣୀଙ୍କ ପାଖରୁ ଆଜ୍ଞାମାଳ ଓ ପରେ ପ୍ରସିଦ୍ଧ ଗଜା ମୁଆଁ ବି ଭୋଗ ସ୍ବରୁପ ପହଞ୍ଚିଥିଲା । ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭ ହେବା ପରେ ମୁଖ୍ୟମନ୍ତ୍ରୀ ଏଥିରେ ବସି ଯାତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ବ୍ରହ୍ମପୁର – ଟାଟାନଗର ଟ୍ରେନଟି କେନ୍ଦୁଝର ଦେଇ ଯିବାକୁ ଥିବାରୁ କେନ୍ଦୁଝରବାସୀଙ୍କ ମନରେ ଖୁସି ଭରି ଦେଇଛି । ଏହି ଟ୍ରେନ ଚଳାଚଳ ଯୋଗୁଁ ଜିଲ୍ଲାବାସୀଙ୍କ ଗମନାଗମନ ଓ ପର୍ଯ୍ୟଟନ କ୍ଷେତ୍ର ସୁଦୃଢ଼ ହେବ।

ହରିଚନ୍ଦନପୁର ଓ କେନ୍ଦୁଝରଗଡ଼ ରେଳଷ୍ଟେସନରେ ବନ୍ଦେ ଭାରତ ଟ୍ରେନକୁ ଉଚ୍ଛସିତ ସ୍ୱାଗତ ମିଳିଥିଲା । ଦୁଇଟି ଷ୍ଟେସନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦୁଝରର ସାଂସଦ ଅନନ୍ତ ନାୟକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ତେଲକୋଇ ବିଧାୟକ ଫକୀର ଚରଣ ନାଏକ, କେନ୍ଦୁଝରଗଡ଼ ପୌରଧ୍ୟକ୍ଷା ଶ୍ରୀମତୀ ନିକୁ ସାହୁ, ରେଳ କର୍ତ୍ତୃପକ୍ଷ, ଅଞ୍ଚଳର ଶହଶହ ଲୋକ ଉପସ୍ଥିତ ରହିଥିଲେ । ଏହି ଅବସରରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଷ୍ଟେସନରେ ବନ୍ଦେ ଭାରତ ଟ୍ରେନ ଲାଗିବା କ୍ଷଣି ଏହି ଅତ୍ୟାଧୁନିକ ଟ୍ରେନକୁ ଦେଖିବା ଲାଗି ଦେଖଣାହାରୀଙ୍କ ଭିଡ଼ ଲାଗିଥିଲା ।

Comments are closed.