ବଜ୍ରପାତ ମୃତ୍ୟୁରେ ରାଜ୍ୟ ଦେଶରେ ପ୍ରଥମ; ୫ବର୍ଷରେ ଗଲାଣି ୧୧,୦୦୩ ଜୀବନ

ତାଳ ଚାରାରୋପଣ ପାଇଁ ଜଙ୍ଗଲ ବିଭାଗକୁ ୭କୋଟି ଦିଆଯାଇଛି, ବାଲେଶ୍ବର ଓ ସମ୍ବଲପୁରରେ ରାଡାର ସ୍ଥାପନ ହେବ

ଭୁବନେଶ୍ୱର: ବଜ୍ରପାତଜନିତ ମୃତ୍ୟୁରେ ଦେଶରେ ଓଡ଼ିଶା ପ୍ରଥମ। ୫ବର୍ଷରେ ରାଜ୍ୟର ୩୦ଟି ଜିଲାରେ ମୋଟ ୧୧,୦୦୩ଜଣଙ୍କ ମୃତ୍ୟୁ ଘଟିଛି। ଖଣିବହୁଳ ରାଜ୍ୟଗୁଡ଼ିକରେ ବଜ୍ରପାତ ମୃତ୍ୟୁ ଅନ୍ୟ ରାଜ୍ୟ ତୁଳନାରେ ଅଧିକ। ଉତ୍ତରପ୍ରଦେଶ ଭଳି ରାଜ୍ୟ ଓଡ଼ିଶା ଜନସଂଖ୍ୟା ଓ କ୍ଷେତ୍ରଫଳର ୫ଗୁଣରୁ ଅଧିକ ହୋଇଥିଲେ ମଧ୍ୟ ସେଠାରେ ବଜ୍ରପାତ ମୃତ୍ୟୁ ଯଥେଷ୍ଟ କମ୍‌ ରହିଛି। ଏହି ୫ବର୍ଷରେ ଉତ୍ତରପ୍ରଦେଶରେ ମାତ୍ର ୫୪୨ଜଣ ବଜ୍ରପାତରେ ମୃତ୍ୟୁ ଘଟିଥିବା ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ ବିଧାନସଭାରେ କହିଛନ୍ତି।

ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ତାରକା ଚିହ୍ନିତ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ପୂଜାରୀ କହିଲେ, ଅନ୍ୟ ଜିଲା ତୁଳନାରେ ରାଜ୍ୟର ସୁନ୍ଦରଗଡ଼, କେନ୍ଦୁଝର, ବାଲେଶ୍ୱରରେ ବଜ୍ରପାତଜନିତ ମୃତ୍ୟୁସଂଖ୍ୟା ଅଧିକ। ୫ ବର୍ଷରେ ଝାରସୁଗୁଡ଼ାରେ ସର୍ବାଧିକ ୭୨ ଓ ବଲାଙ୍ଗିରରେ ୫୫ଜଣଙ୍କ ମୃତ୍ୟୁ ଘଟିଛି। ଗବେଷଣା କହୁଛି, ଓଡ଼ିଶାରେ ଅଧିକ ଖଣିଜ ପଦାର୍ଥ ଥିବାରୁ ବଜ୍ରପାତ ଅଧିକ ହେଉଛି। ଖଣିଜ ପଦାର୍ଥ ହେଉଛି ବିଦ୍ୟୁତ୍‌ ସୁପରିବାହୀ।

ଅଧିକ ଖଣି ଥିବାରୁ ଓଡ଼ିଶାରେ ଅନ୍ୟ ରାଜ୍ୟ ତୁଳନାରେ ବଜ୍ରପାତ ଅଧିକ ହେଉଛି। ନିର୍ଦିଷ୍ଟ କେଉଁଠି ବଜ୍ରପାତ ହେବ, ସେ ସଂକ୍ରାନ୍ତରେ ଆକଳନ ପାଇଁ ଏ ପର୍ଯ୍ୟନ୍ତ ବିଶ୍ବରେ କୌଣସି ଜ୍ଞାନକୌଶଳ ଉଦ୍ଭାବନ ହୋଇନାହିଁ। ବିକଶିତ ଦେଶରେ ମଧ୍ୟ ବଜ୍ରପାତରେ ଲୋ‌େ‌କ ପ୍ରାଣ ହରାଉଛନ୍ତି। ସୁନ୍ଦରଗଡ଼, କେନ୍ଦୁଝର, ବାଲେଶ୍ୱର ଜିଲା ସମେତ ଅନ୍ୟ ଜିଲାରେ ବି ବଜ୍ରପାତରେ ମୃତ୍ୟ ସଂଖ୍ୟା ବଢ଼ିଚାଲିଛି। ଏହି ଅଞ୍ଚଳରେ ବଜ୍ରପାତ ରୋକିବାକୁ ତାଳ ଗଛ ରୋପଣ ପାଇଁ ରାଜସ୍ୱ ବିଭାଗ ଜଙ୍ଗଲ ବିଭାଗକୁ ୭କୋଟି ଟଙ୍କା ପ୍ରଦାନ କରିଛି। ବଜ୍ରପାତରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉଛି। ଅନ୍ୟ ରାଜ୍ୟରେ ବଜ୍ରପାତ ଯୋଗୁଁ ପ୍ରାଣ ହରାଉଥିବା ପ୍ରବାସୀ ଓଡ଼ିଆଙ୍କ ପରିବାରକୁ ସହାୟତା ଦେବା ପାଇଁ ସରକାରଙ୍କ କୌଣସି ପ୍ରାବଧାନ ନାହିଁ। ଏ ଦିଗରେ ସରକାର ବିଚାର କରିବେ ବୋଲି ବିଧାୟକ ଶ୍ରୀ ତ୍ରିପାଠୀଙ୍କ ମୂଳପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ।

ବିଧାୟକ ଅଶ୍ବିନୀ ପାତ୍ର ଅନ୍ୟ ରାଜ୍ୟରେ ବଜ୍ରପାତ କିମ୍ବା ଅନ୍ୟ କୌଣସି ପ୍ରାକୃତିକ ବିପର୍ଯ୍ୟୟରେ ମୃତ୍ୟୁ ଘଟୁଥିବା ଓଡ଼ିଆ ଲୋକଙ୍କ ପରିବାରକୁ ସହାୟତା ଦେବାକୁ ସରକାରଙ୍କ କୌଣସି ପ୍ରାବଧାନ ଅଛି କି ନାହିଁ ବୋଲି ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ମନ୍ତ୍ରୀ ଶ୍ରୀ ପୂଜାରୀ ଏହାର ଉତ୍ତର ଦେଇ କହିଲେ, ପ୍ରାକୃତିକ ବିପର୍ଯ୍ୟୟ ସଂକ୍ରାନ୍ତରେ ଆଗୁଆ ସୂଚନା ପାଇବା ପାଇଁ କେନ୍ଦ୍ର ପାଣିପାଗ ବିଭାଗ ଉପରେ ନିର୍ଭର କରିବାକୁ ପଡ଼ୁଛି। ରାଜ୍ୟ ସରକାରଙ୍କ ମଧ୍ୟ ଏଥିପାଇଁ ସ୍ବତନ୍ତ୍ର ବିଭାଗ ରହିଛି। ଏହାସହିତ ବାଲେଶ୍ବର ଏବଂ ସମ୍ବଲପୁରରେ ଦୁଇଟି ରାଡର କେନ୍ଦ୍ର ସ୍ଥାପନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସମସ୍ତ ଯନ୍ତ୍ରପାତି କ୍ରୟ କରାଯାଇଛି। ଗୃହ ନିର୍ମାଣ ଶେଷ ହେବା ପରେ ସେଗୁଡ଼ିକ ସ୍ଥାପନ ହେବ ବୋଲି ସେ ସୂଚନା ଦେଇଥିଲେ। ବିପର୍ଯ୍ୟୟ ପରିଚାଳନା ବିଭାଗ ପାଖରେ ୨୩୦୦ କୋଟି ଟଙ୍କା ଅଛି। ସେଥିରୁ ବିପର୍ଯ୍ୟୟ କ୍ଷତିପୂରଣ ପାଇଁ ୨୦୦ କୋଟି ଟଙ୍କା ରଖାଯାଇଛି।

ବିଧାୟକ ତାରାପ୍ରସାଦ ବାହିନୀପତି ବଜ୍ରପାତରେ ପ୍ରାଣହାନୀ ଘଟୁଥିବା ବ୍ୟକ୍ତିଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମନ୍ତ୍ରୀଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ବିଧାୟକ ଲକ୍ଷ୍ମଣ ବାଗ, ସଞ୍ଜୀବକୁମାର ମଲ୍ଲିକ, ପ୍ରମିଳା ମଲ୍ଲିକ, ସନ୍ତୋଷ ଖଟୁଆ, ସୋଫିଆ ଫିର୍ଦୋସ, ପ୍ରତାପକେଶରୀ ଦେବ, ଭାସ୍କର ମଢ଼େଇ, ଧ୍ରୁବଚରଣ ସାହୁ, ସିଦ୍ଧାନ୍ତ ମହାପାତ୍ର, ସାରଦାପ୍ରସାଦ ଜେନା, ସରୋଜକୁମାର ପାଢ଼ୀ, ପବିତ୍ର ସାଉନ୍ତା, ଗଣେଶ୍ବର ବେହେରା, ସଞ୍ଜଳି ମୁର୍ମୁ, ଭାଦବ ହାଁସଦା ପ୍ରମୁଖ ଭାଗ ନେଇଥିଲେ।

Comments are closed.