ଗଞ୍ଜାମ : ଗଞ୍ଜାମ ଥାନା ଅନ୍ତର୍ଗତ ବଡ଼ ବଜାର ଅଞ୍ଚଳରୁ ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଦୁଇଟି ବାଇକ ଚୋରି କରିବା ସହ ମୁହଁରେ କପଡା ପକାଇ ଘରୁ ମହିଳାଙ୍କ ସୁନା ଚେନ ଛଡାଇ ନେଇଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଖବର ପାଇ ଗଞ୍ଜାମ ଥାନା ପୁଲିସ ଘଟଣାର ତଦନ୍ତ କରୁଛି । ସୂଚନାଯୋଗ୍ୟ ଯେ ଗତ କାଲି ରାତିରେ ବଜାର ହରିଜନ ସାହିରୁ ମନୋଜ ନାୟକଙ୍କ ପଲସର ଗାଡି, ଟୁଟୁକେଶରୀ ନାୟକଙ୍କ ସିଡ଼ି ଡିଲକ୍ସ ଗାଡି ଚୋରି ହୋଇଥିବାବେଳେ ଅଜୁ ନାୟକଙ୍କ ଆପଚେ ଗାଡିକୁ ଘର ଆଗରୁ ନେଇ ନିକଟସ୍ଥ ଲତାବୁଦାରେ ଭାଙ୍ଗି ଫିଙ୍ଗିଦେଇ ଚୋରମାନେ ଚାଲି ଯାଇଥିବା ଜଣାପଡିଛି । ସେହିପରି ସୁନା ଚେନ ଚୋରି ହୋଇଥିବା ଘର ମାଲିକ ଜଣକ କୌଣସି କାମରେ ବାହାର ରାଜ୍ୟକୁ ଯାଇଥିବାବେଳେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ବଜ୍ରକୋଟ ଶ୍ବଶୂର ବଂଶୀଧର ସେଠୀ ଜ୍ୱାଇଁ ପୁଅଙ୍କ ଘରେ ଝିଅ ସହ ରହୁଥିଲେ। ଗତକାଲି ରାତି ପ୍ରାୟ ସାଢେ ଦୁଇଟାରେ ହିନ୍ଦୀ ଭାଷା କହୁଥିବା ଦୁର୍ବୃତ୍ତମାନେ ଘରେ ପଶି ବଂଶୀଧରଙ୍କ ମୁଁହରେ କପଡା ଢାଙ୍କି ତଣ୍ଟିଚିପି ମହିଳାଙ୍କ ବେକରୁ ଦେଢ଼ ଭରି ଓଜନର ସୁନା ଚେନ ଝାମ୍ପି ଚମ୍ପଟ ମାରିଥିବା ବଂଶୀ ପୁଲିସକୁ କହିଛନ୍ତି । ବଜାର ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜକୁ ନେଇ ଗଞ୍ଜାମ ଥାନା ପୁଲିସ ତନାଘନା ଆରମ୍ଭ କରିଛି ।



