Patra electronics

ସରିଲା କ୍ରୀଡା ମହାକୁମ୍ଭ: ଲସ୍ ଏଞ୍ଜେଲ୍ସରେ ଭେଟ

ବିନା ସ୍ବର୍ଣ୍ଣରେ ଫେରିଲା ଭାରତ

ପ୍ୟାରିସ୍‌‌ : ବିଶ୍ବର ସର୍ବବୃହତ କ୍ରୀଡ଼ା ପ୍ରତିଯୋଗିତା ଗ୍ରୀଷ୍ମକାଳୀନ ଅଲିମ୍ପିକ୍‌ସର ୩୩ତମ ସଂସ୍କରଣ ରବିବାର ଉଦ୍‌‌ଯାପିତ ହୋଇଛି। ଜୁଲାଇ ୨୬ରୁ ଆରମ୍ଭ ହୋଇଥିବା ଏହି କ୍ରୀଡ଼ା ମହାକୁମ୍ଭ ୧୭ ଦିନ ଧରି ଚାଲିବା ପରେ ସମସ୍ତେ ସ୍ବଦେଶମୁହାଁ ହୋଇଛନ୍ତି। ପୁଣି ୪ ବର୍ଷ ପରେ ଆମେରିକାର ଲସ୍‌ ଏଞ୍ଜେଲ୍‌ସରେ ପରବର୍ତ୍ତୀ ଅଲିମ୍ପିକ୍‌ସ ଅନୁଷ୍ଠିତ ହେବ। ଏହାକୁ ସମସ୍ତେ ଅପେକ୍ଷା ରଖିଛନ୍ତି। ରବିବାର ରାତିରେ ପ୍ୟାରିସ୍‌ର ଷ୍ଟାଡ୍‌ ଡି ଫ୍ରାନ୍‌ସ ଷ୍ଟାଡିୟମ୍‌ରେ ମହାସମାରୋହରେ ବିଶ୍ବ କ୍ରୀଡ଼ାର ଏହି ମହାକୁମ୍ଭରେ ଯବନିକା ପଡ଼ିଛି। ନୃତ୍ୟ, ସଙ୍ଗୀତ, କଳାକାରଙ୍କ ଚମତ୍କାର ପ୍ରଦର୍ଶନ ମଧ୍ୟରେ ଏହି କ୍ରୀଡ଼ା ଉତ୍ସବ ଉଦ୍‌ଯାପିତ ହୋଇଛି। ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଷ୍ଟାଡିୟମ୍‌ରେ ଉପସ୍ଥିତି ୮୦ ହଜାର ଦର୍ଶକଙ୍କୁ ମତୁଆଲା କରିଥିଲା। ଷ୍ଟାଡ୍‌ ଡି ଫ୍ରାନ୍‌ସରେ ଅନୁଷ୍ଠିତ ଉଦ୍‌‌ଯାପନୀ ଉତ୍ସବର ଥିମ୍‌‌ ଥିଲା ‘ରେକର୍ଡସ’ ଓ ଏଥିରେ ଫ୍ରାନ୍‌ସ ଓ ଆମେରିକାର କଳାକୃତି ପ୍ରଦର୍ଶିତ ହୋଇଥିଲା। ଦୁଇ ଘଣ୍ଟା ପାଖାପାଖି ଏହା ଅନୁଷ୍ଠିତ ହୋଇଥିଲା।

ଉଦ୍‌ଘାଟନୀ ଉତ୍ସବ ସିନ୍‌ ନଦୀରେ ଅନୁଷ୍ଠିତ ହୋଇଥିବାବେଳେ ଉଦ୍‌ଯାପନୀ ଉତ୍ସବ ଷ୍ଟାଡ୍‌ ଡି ଫ୍ରାନ୍‌ସ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହୋଇଥିଲା। ପାରମ୍ପରିକ ଭଙ୍ଗୀରେ ଆଥ୍‌‌ଲେଟ୍‌‌ଙ୍କ ପରେଡ୍‌ ହୋଇଥିଲା। ଷ୍ଟାଡିୟମ୍‌ରେ ସମସ୍ତ ଦେଶର ପ୍ରତିଯୋଗୀ ଏକାଠି ହୋଇଥିଲେ। ଏଥିରେ ବିଭିନ୍ନ ଦେଶର ଜାତୀୟ ପତାକାର ଅବତରଣ ହୋଇଥିଲା। ପି.ଆର୍. ଶ୍ରୀଜେଶ ଓ ମନୁ ଭାକର ଭାରତୀୟ ଜାତୀୟ ପତାକା ବହନ କରିଥିଲେ। ୨୦୨୮ରେ ଆମେରିକାର ଲସ୍‌ ଏଞ୍ଜେଲ୍‌ସ ସହର ୩ୟ ଥର ଲାଗି ବିଶ୍ବର ଏହି କ୍ରୀଡ଼ା ମହାକୁମ୍ଭକୁ ଆୟୋଜନ କରିବ। ଏଥିପାଇଁ ପ୍ୟାରିସ୍‌‌ର ମେୟର ଆନ୍ନେ ହିଡାଲ୍‌ଗୋ ଅଲିମ୍ପିକ୍‌‌ସ ପତାକାକୁ ଲସ୍‌ ଏଞ୍ଜେଲ୍‌ସ ମେୟର କାରେନ ବାସ୍‌‌ଙ୍କୁ ହସ୍ତାନ୍ତର କରିଛନ୍ତି। ନିର୍ଦେଶକ ଥମାସ ଜଲି ଉଦଘାଟନୀ ଉତ୍ସବ ଭଳି ଉଦ୍‌‌ଯାପନୀ ଉତ୍ସବ ସମାରୋହର ନିର୍ଦେଶନା ଦେଇଥିଲେ। ଉଦ୍‌‌ଯାପନୀ ଉତ୍ସବ ପରେ ପତାକା ଅବତରଣ କରାଯାଇ ପାରାଲିମ୍ପିକ୍‌‌ କ୍ରୀଡ଼ା ପାଇଁ ମଶାଲ ଷ୍ଟକ୍‌‌ ମାଣ୍ଡେଭିଲେରେ ପ୍ରଜ୍ଜ୍ୱଳନ କରାଯିବାକୁ ନିଆ ଯାଇଥିଲା। ଷ୍ଟକ୍‌‌ ମାଣ୍ଡେଭିଲେକୁ ପାରାଲିମ୍ପିକ୍‌ସ କ୍ରୀଡ଼ାର ଜନ୍ମସ୍ଥାନ ଭାବେ ବିବେଚନା କରାଯାଏ। ଏଠାରେ ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୮ ଯାଏ ପାରାଲିମ୍ପିକ୍‌ସ ଅନୁଷ୍ଠିତ ହେବ। ଉଦ୍‌‌ଯାପନୀ ସମାରୋହରେ ଭାଗନେଇଥିବା ସିଲେବ୍ରିଟି ମଧ୍ୟରେ ହଲିଉଡ ସୁପରଷ୍ଟାର ଟମ୍‌‌ କ୍ରୁଜ୍‌‌, ଆମେରିକାର ରାପର ସ୍ନୁପ୍‌‌ ଡଗ୍‌, ବିଲି ଏଲିସ୍‌‌, ଜିମ୍ମି ଫାଲିଅନଙ୍କୁ ଦେଖିବାକୁ ମିଳିଥିଲା। ରେଡ୍‌ ହଟ୍‌ ଚିଲି ପିପରର୍ସ ଗ୍ରୁପ୍‌ ମଧ୍ୟ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

 

Comments are closed.