ଧାମରା: ଧାମରାରେ ଥିବା ମେଡିକାଲର ଉନ୍ନତିକରଣ ପାଇଁ ଦୀର୍ଘ ଦିନ ହେବ ଦାବି ହୋଇଆସୁଥିଲେ ମଧ୍ୟ ପୂର୍ବ ସରକାର ଏହି ଦାବିକୁ କର୍ଣ୍ଣପାତ କରୁ ନଥିବାବେଳେ ପୁନଶ୍ଚ ଏହି ମେଡିକାଲର ଉନ୍ନତିକରଣ ପାଇଁ ମା’ ଧାମରାଇ ମଣ୍ଡଳର ବିଜେପି ଯୁବ ମୋର୍ଚ୍ଚା ସଭାପତି ଆଗଭର ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ଯୁବ ମୋର୍ଚ୍ଚାର ସଭାପତି ତ୍ରିଦିବେଶ ପ୍ରଧାନ ରାଜ୍ୟପାଳ ରଘୁବର ଦାସଙ୍କୁ ରାଜଭବନରେ ଦେଖାକରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ଧାମରା ମେଡିକାଲ ଉପରେ ଏହି ଅଞ୍ଚଳର ୫୦ହଜାରରୁ ଊର୍ଦ୍ଧ୍ବ ଲୋକ ନିର୍ଭର କରି ଆସୁଛନ୍ତି। ଏହି ମେଡିକାଲଟି ସକାଳ ୧୦ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖୋଲା ରହୁଥିବାବେଳେ ଅନ୍ୟ ସମୟରେ ବହୁରୋଗୀ ଚିକିତ୍ସା ପାଇବାରୁ ବଞ୍ଚିତ ହୋଇ ଆସୁଛନ୍ତି।
ଅନ୍ୟପକ୍ଷରେ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଧାମରାଠାରୁ ୫୦ କି.ମି. ଦୂରରେ ହୋଇଥିବା ଯୋଗୁ ବହୁ ସମୟରେ ପ୍ରସୂତୀ ମହିଳା ଠିକ୍ ସମୟରେ ଏହି ଦୂରତା ଅତିକ୍ରମ କରି ନ ପାରି ମୃତ୍ୟୁ ମୁଖରେ ପଡୁଛନ୍ତି। ଏଣୁ ଧାମରା ମେଡିକାଲକୁ ପ୍ରାଥମିକ ଭାବେ ୨ଜଣ ଏମବିବିଏ, ଜଣେ ଫାର୍ମାସିଷ୍ଟ ଏବଂ ଡ୍ରେସର ମ୍ୟାନର ଆବଶ୍ୟକତାକୁ ତୁରନ୍ତ ଯୁଦ୍ଧକାଳୀନ ଭିତିରେ ପୂରଣ କରିବା ଜରୁରୀ ହୋଇ ପଡ଼ିଛି। ଏଥିସହ ଏହି ମେଡିକାଲ ଉପରେ ଧାମରା ବନ୍ଦରର ସମସ୍ତ କର୍ମଚାରୀ ଏବଂ ଶ୍ରମିକମାନେ ମଧ୍ୟ ନିର୍ଭର କରି ଆସୁଛନ୍ତି। ଏହି ଅଂଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ ଧାମରାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର(ନୂତନ)କୁ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରର ମାନ୍ୟତା ଦେବା ସହ ୨୪ଘଣ୍ଟା ଖୋଲା ରଖି ରୋଗୀମାନଙ୍କୁ ସେବା କରିବାର ସୁଯୋଗ ସୃଷ୍ଟି କରିବାକୁ ଏହି ଦାବିପତ୍ରରେ ଉଲ୍ଲେଖ ଅଛି। ରାଜ୍ୟପାଳ ରଘୁବର ଦାସ ଏହି ଦାବିକୁ ଯଥାର୍ଥ ବୋଲି କହିବା ସହ ସେ ଏହି ବିଷୟରେ ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା କରି ତୁରନ୍ତ ଏ ବିଷୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ମତ ରଖିଛନ୍ତି।



