ସମ୍ବିଧାନ, ରାଷ୍ଟ୍ରପତି, ବିରୋଧୀ ଦଳ ଓ ଜନାଦେଶ
ଭାରତ ପରି ବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ପାଇଁ ସମ୍ବିଧାନ, ରାଷ୍ଟ୍ରପତି, ବିରୋଧୀ ଦଳ, ଜନାଦେଶ ଓ ଗଣମାଧ୍ୟମ ପ୍ରଭୃତି ଏକ ଏକ ସୌନ୍ଦର୍ଯ୍ୟର ପ୍ରତୀକ। ଏମାନଙ୍କର ଗରିମାମୟ ଉପସ୍ଥିତି ଏବଂ ମାର୍ଗଦର୍ଶନରେ ଗଣତନ୍ତ୍ର ଅଧିକ ପରିପୁଷ୍ଟ ହୁଏ। ଅତଏବ, ଏସବୁରୁ ମର୍ଯ୍ୟାଦା ଯେପରି ଅକ୍ଷୁଣ୍ଣ ରହିବ ଏବଂ ଦେଶହିତରେ ଲାଗିବ ତାହା ଏକାନ୍ତ ଆବଶ୍ୟକ।
ସମ୍ବିଧାନ ହେଉଛି ଦେଶର ଜାତୀୟ ସଂହିତା, ଆମର ମାର୍ଗଦର୍ଶକ ଦସ୍ତାବିଜ। ସମ୍ବିଧାନର ପ୍ରସ୍ତାବନାରେ ଆମ ସ୍ବାଧୀନତା ସଂଗ୍ରାମର ଆଦର୍ଶ ସ୍ଥାନ ପାଇଛି। ଆମେ ଆମର ରାଷ୍ଟ୍ର ନିର୍ମାତାଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ସଦ୍ଭାବନା ଓ ଭାଇଚାରାର ବିଚାର ସହିତ ଆଗକୁ ବଢ଼ିବା। ସମ୍ବିଧାନର ପ୍ରତ୍ୟେକଟି ପରିଚ୍ଛେଦକୁ ସମ୍ମାନ ଜଣାଇବା ହେଉଛି ଦେଶର ପ୍ରତ୍ୟେକ ସଚେତନ ନାଗରିକଙ୍କ ପ୍ରଧାନ କର୍ତ୍ତବ୍ୟ। ଏହା ଯେମିତି ଅକ୍ଷୁଣ୍ଣ ରହେ ଶାସନ ବ୍ୟବସ୍ଥାରେ ଥିବା ନେତୃବୃନ୍ଦ ଉତ୍ତରଦାୟୀ ହେବା ଜରୁରୀ। ଏହାର ଅବମାନନାର ପରିଣତି ଅତ୍ୟନ୍ତ କ୍ଷତିକାରକ।
ଦେଶର ସାମ୍ବିଧାନିକ ମୁଖ୍ୟ ହେଉଛନ୍ତି ରାଷ୍ଟ୍ରପତି। ପରିତାପର ବିଷୟ, ଏହି ପଦର ଗରିମାକୁ ନେଇ ବିଭିନ୍ନ ସମୟରେ ପ୍ରଶ୍ନ ଉଠୁଛି। ରାଷ୍ଟ୍ରପତିଙ୍କ ପଦ ଓ ତାଙ୍କ କାର୍ଯ୍ୟକଳାପକୁ ନେଇ ବିଭିନ୍ନ ସମୟରେ ତାଙ୍କୁ ‘ରବରଷ୍ଟାମ୍ପ’ ଓ ‘ସୁନା ପଞ୍ଜୁରିର ପକ୍ଷୀ’ ଆଦି ଆଖ୍ୟାୟିତ କରାଯାଇଥାଏ। ଏ ସବୁ ସତ୍ତ୍ବେ ରାଷ୍ଟ୍ରପତି ଯେତେବେଳେ ବିବେକାନୁମୋଦିତ ହୋଇ ରାଷ୍ଟ୍ରର ହିତ ଉଦ୍ଦେଶ୍ୟରେ କିଛି କହୁଛନ୍ତି, ତାହାର ଯଥାର୍ଥତାକୁ ସମ୍ମାନ ଜଣାଇବା ଏବଂ କାର୍ଯ୍ୟକାରୀ କରିବା ଦିଗରେ ସରକାର ଯତ୍ପରୋନାସ୍ତି ଚେଷ୍ଟିତ ହେବା ଚାହି।
ଅନ୍ୟପକ୍ଷରେ, ବିରୋଧୀ ଦଳ ହେଉଛି ଗଣତାନ୍ତ୍ରିକ ସରକାରର ଏକ ସୌନ୍ଦର୍ଯ୍ୟ। ଏହାର ନିଷ୍କ୍ରିୟତାରେ ଶାସକ ଦଳ ସ୍ବେଚ୍ଛାଚାରୀ ହୋଇଯିବ। ଏଣୁ ସଶକ୍ତ ବିରୋଧୀ ଦଳର ଆବଶ୍ୟକତା ରହିଛି, ଯାହା ଗଣତନ୍ତ୍ରକୁ ସମୃଦ୍ଧଶାଳୀ କରିବା ସହ ଦେଶର ପ୍ରଗତିକୁ ତ୍ବରାନ୍ବିତ କରିବ। ଶୂନ୍ୟ ବିରେଧୀ ଦଳ ଚିନ୍ତାଧାରା କୌଣସି କଲ୍ୟାଣକାରୀ ରାଷ୍ଟ୍ର ପାଇଁ ବିପଜ୍ଜନକ। ଏଣୁ ଉଭୟ ଶାସକ ଓ ବିରୋଧୀ ଦଳ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ପରି ରହି ରାଷ୍ଟ୍ରର ହିତରେ ବ୍ରତୀ ରହିବା ଅନିବାର୍ଯ୍ୟ।
ଭାରତ ବିଶ୍ବର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର। ଏଠାରେ ବହୁବାଦୀ ବ୍ୟବସ୍ଥା ରହିଛି। ବହୁଦଳୀୟ ରାଜନୀତି ଦ୍ବାରା ଏହା ପରିଚାଳିତ। ଦେଶରେ ଜନତାଙ୍କ ହାତରେ ଗଣତନ୍ତ୍ରର ସୁରକ୍ଷା ଦାୟିତ୍ବ ନ୍ୟସ୍ତ। ତଥାପି ବେଳେବେଳେ ବହୁମତରେ ଦଳରେ ବିରୋଧୀର ସ୍ବରକୁ ଚପାଇ ଦିଆଯାଉଥିବା ଅଭିଯୋଗ ହୁଏ। ଜନାଦେଶ ମଧ୍ୟ ଚୁଲିକୁ ଯିବା ପରି ମନେହୁଏ। ଯେଉଁ ଦେଶରେ ଜନାଦେଶକୁ କ୍ଷମତାସୀନ ଦଳ ପଦାଘାତ କରେ ଏବଂ େସ୍ବୖରାଚାରୀ ହୋଇଯାଏ, ତା’ର ପରିଣତି ଭୟଙ୍କର। ଜନାଦେଶର ବିରୁଦ୍ଧାଚରଣ କରି ‘ଯୋଡ଼ତୋଡ଼ ରାଜନୀତି’ ବା ‘ଘୋଡ଼ା ବେପାର’, ଦଳବଦଳ କରି କ୍ଷମତାକୁ ଆସିବା ଗଣତାନ୍ତ୍ରିକ ଦେଶ ପାଇଁ ଶୁଭଙ୍କର ନୁହେଁ। ଜନାଦେଶ ଜଣକ ନିକଟକୁ ଯିବା ଏବଂ କ୍ଷମତା ଅନ୍ୟଜଣେ ଭୋଗିବା ନିତାନ୍ତ ଭାବେ ସ୍ବାର୍ଥପରତା। ସେଠାରେ ‘ସବ୍କା ସାଥ, ସବ୍କା ବିକାଶ’ ମାଡ଼ ଖାଇଯିବ।
ହଁ, ବିଧାନପାଳିକା, କାର୍ଯ୍ୟପାଳିକା, ନ୍ୟାୟପାଳିକାର କାର୍ଯ୍ୟକଳାପ ଉପରେ ତୀକ୍ଷ୍ମ ଦୃଷ୍ଟି ରଖି ସତ୍ୟାସତ୍ୟ ରଖିବା ଏବଂ ଗଠନମୂଳକ ଚେତାବନୀ ଦେବା ହେଉଛି ଗଣମାଧ୍ୟମର କାମ। ଏହା ଗଣତନ୍ତ୍ରର ‘ୱାଚ୍ଡଗ୍’ ା ପରିତାପର ବିଷୟ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ‘ଗଣମାଧ୍ୟମ’ ଆଜିର ଦିନରେ ଅଧିକ ବିପନ୍ନ ହୋଇପଡ଼ିଛି। ଏହାର ସ୍ବର କ୍ଷୀଣ ହୋଇଯାଉଥିବା ମନେହେଉଛି। ଗଣମାଧ୍ୟମର ବାକ୍ ସ୍ବାଧୀନତା ଯଦି ମାଡ଼ଖାଇଯିବ ଏବଂ ଏହାର କଣ୍ଠରୁଦ୍ଧ ହୋଇଯିବ, ନିଶ୍ଚିତ ଭାବେ ଶୁଭଙ୍କର ନୁହେଁ। ଏପରି ସ୍ଥିତିରେ ସୁସ୍ଥ ଓ ସଶକ୍ତ ଗଣତନ୍ତ୍ର ଆଶା କରିବା ବୃଥା। ସ୍ବାଧୀନତାର ଅର୍ଥ ସାଧାରଣ ଲୋକ ସରକାରଙ୍କ ଜନବିରୋଧୀ କାର୍ଯ୍ୟକୁ ବିନା ଭୟରେ ସମାଲୋଚନା କରିପାରିବେ ଏବଂ ତା’ ବିରୋଧରେ ମତ ରଖିପାରିବେ। ହେଲେ ବିରୋଧ କରୁଥିବା ଲୋକଙ୍କୁ ଦେଶଦ୍ରୋହୀର ଆଖ୍ୟା ଦେବା ଏକ ସୁସ୍ଥ ଗଣତାନ୍ତ୍ରିକ ଦେଶର ଲକ୍ଷଣ ନୁହେଁ। ଏଣୁ ଗଣତନ୍ତ୍ରର ଏହିସବୁ ସୌନ୍ଦର୍ଯ୍ୟକୁ ମହିମାମଣ୍ଡିତ ଏବଂ ଯଥାର୍ଥତା ପ୍ରଦାନ କରିବା ସଭିଙ୍କର ପରମ ଦାୟିତ୍ବ ଓ କର୍ତ୍ତବ୍ୟ।
Comments are closed.