www.samajalive.in
Monday, December 8, 2025
24.1 C
Bhubaneswar

ଇମ୍ଫାଲରେ ସମନ୍ୱିତ ଚେକ ପୋଷ୍ଟ ଓ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ 

ଇମ୍ଫାଲ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଇମ୍ଫାଲ ଗସ୍ତ କରି ମୋରେ ଠାରେ ଏକ ବିଶାଳ ଜନସଭାରେ ସମନ୍ୱିତ ଚେକ ପୋଷ୍ଟର ଉଦଘାଟନ୍ କରିଥିଲେ । ସେ ମଧ୍ୟ ଦୋଲାଇଥାବି ବ୍ୟାରେଜ ପ୍ରକଳ୍ପ, ସାଓମ୍ବଙ୍ଗ ଠାରେ ଏଫସିଆଇ ଖାଦ୍ୟ ସଂରକ୍ଷଣ ଗୋଦାମ ଏବଂ ଜଳଯୋଗାଣ ଓ ପର୍ଯ୍ୟଟନ ସହ ଜଡ଼ିତ ପ୍ରକଳ୍ପଗୁଡ଼ିକର ଉଦଘାଟନ କରିଥିଲେ । ୪୦୦ କେଭି କ୍ଷମତା ବିଶିଷ୍ଟ ଡବଲ ସର୍କିଟ ସିଲଚର-ଇମ୍ଫାଲ ଲାଇନକୁ ମଧ୍ୟ ସେ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ । ସେ ଏକ କ୍ରୀଡ଼ା ପ୍ରକଳ୍ପ ପାଇଁ ମଧ୍ୟ ଆଧାରଶିଳା ରଖିଥିଲେ ।

ସମବେତ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମଣିପୁରର ବୀର ସ୍ୱାଧୀନତା ସଂଗ୍ରାମୀ ବିଶେଷ କରି ମହିଳା ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସେ ସ୍ମରଣ କରାଇଦେଇଥିଲେ ଯେ ଅବିଭାଜିତ ଭାରତର ପ୍ରଥମ ଅନ୍ତରୀଣ ସରକାର ମଣିପୁରର ମୋଇରାଙ୍ଗ ଠାରେ ପ୍ରତିଷ୍ଠା ହୋଇଥିଲା । ଉତ୍ତର ପୂର୍ବାଂଚଳର ଲୋକମାନଙ୍କ ଠାରୁ ଆଜାଦ ହିନ୍ଦ ଫୌଜକୁ ମିଳିଥିବା ସହାୟତା ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ । ସେ କହିଥିଲେ ନୂତନ ଭାରତର ଅଭିବୃଦ୍ଧି କାହାଣୀରେ ମଣିପୁର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ।

- Advertisement -

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର କାର୍ଯ୍ୟକ୍ରମରେ ୧୫୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ପ୍ରକଳ୍ପର ଉଦଘାଟନ କିମ୍ବା ଶିଳାନ୍ୟାସ କରାଯାଇଛି । ସେ କହିଥିଲେ ଏହିସବୁ ପ୍ରକଳ୍ପଗୁଡ଼ିକ ରାଜ୍ୟର ଲୋକମାନଙ୍କ ପାଇଁ “ସହଜ ଜୀବନଧାରଣ” ମାନରେ ଉନ୍ନତି ଆଣିବ। ଗତ ସାଢ଼େ ୪ ବର୍ଷରେ ସେ ପ୍ରାୟ ୩୦ ଥର ଉତ୍ତର-ପୂର୍ବାଞ୍ଚଳକୁ ଆସିଥିବା ସେ କହିଥିଲେ । ସେ କହିଥିଲେ ଯେ ଉତ୍ତର ପୂର୍ବାଂଚଳରେ ଏବେ ପରିବର୍ତ୍ତନ ଆସିବାରେ ଲାଗିଛି ଏବଂ ଦୀର୍ଘ ଦଶନ୍ଧି ଧରି ପଡ଼ିରହିଥିବା ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯାଉଛି ।

ସେ କହିଥିଲେ ମୋରେ ଠାରେ ସମନ୍ୱିତ ଚେକ ପୋଷ୍ଟ ନିର୍ମାଣ ହେବା ଫଳରେ ସୀମାଶୁଳ୍କ କ୍ଲିୟରାନ୍ସ, ବିଦେଶୀମୁଦ୍ରା ବିନିମୟ, ଇମିଗ୍ରେସନ କ୍ଲିୟରାନ୍ସ ଆଦିରେ ସହାୟତା ମିଳିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଯେଉଁସବୁ ପ୍ରକଳ୍ପଗୁଡ଼ିକର ଉଦଘାଟନ କରାଯାଉଛି, ସେଥିରୁ ଏହା ପ୍ରମାଣିତ ହେଉଛି ଯେ କେନ୍ଦ୍ର ସରକାର ବିକାଶ ନିମନ୍ତେ ସମ୍ପୂର୍ଣ୍ଣ ପ୍ରତିବଦ୍ଧ । ସେ କହିଥିଲେ ଯେ ଦୋଲାଇଥାବି ବ୍ୟାରେଜ ପ୍ରକଳ୍ପର ଯୋଜନା ୧୯୮୭ ରେ କରାଯାଇଥିଲା । କିନ୍ତୁ ଏହାର କାମ ୨୦୧୪ ପରେ ତ୍ୱରାନ୍ୱିତ ହୋଇଥିଲା । ଏବେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇସାରିଛି । ସେ ଆଜି ଉଦଘାଟିତ ହେଉଥିବା ପର୍ଯ୍ୟଟନ ପ୍ରକଳ୍ପ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକଳ୍ପଗୁଡ଼ିକୁ ଶୀଘ୍ର ସମ୍ପୂର୍ଣ୍ଣ କରିବାର ପ୍ରତିବଦ୍ଧତା ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କ କାର୍ଯ୍ୟାଳୟରେ “ପ୍ରଗତି” ପ୍ରଣାଳୀ ଅନ୍ତର୍ଗତ ଭିଡିଓ କନଫରେନ୍ସିଂ ଜରିଆରେ ଅଟକି ରହିଥିବା ପ୍ରକଳ୍ପର ଅନୁଧ୍ୟାନ କରାଯାଉଛି । ସେ କହିଥିଲେ ଯେ ପ୍ରଗତି ବୈଠକଗୁଡ଼ିକ ଜରିଆରେ ବର୍ତ୍ତମାନ ସୁଦ୍ଧା ପାଖାପାଖି ୧୨ ଲକ୍ଷ କୋଟି ଟଙ୍କା ମୂଲ୍ୟର ଅଟକି ରହିଥିବା ପ୍ରକଳ୍ପ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗର ସମାଧାନ କରାଯାଇଛି ।

ସାଭୋମବୁଙ୍ଗରେ ଭାରତୀୟ ସାଓମ୍ବଙ୍ଗ ଠାରେ ଏଫସିଆଇର ଗୋଦାମ ପାଇଁ ଡିସେମ୍ବର,୨୦୧୬ରେ କାର୍ଯ୍ୟାରମ୍ଭ କରାଯାଇଥିଲା ଏବଂ ଏହା ଏବେ ପ୍ରାୟତଃ ସମ୍ପୂର୍ଣ୍ଣ ହୋଇସାରିଛି ବୋଲି ଶ୍ରୀ ମୋଦୀ କହିଥିଲେ । ସେ ବିଭିନ୍ନ ଜଳଯୋଗାଣ ପ୍ରକଳ୍ପ ବିଷୟରେ ମଧ୍ୟ ଏପରି ଉଦାହରଣ ଦେଇଥିଲେ।

ପ୍ରଧାନମନ୍ତ୍ରୀ ଏହା କହିଥିଲେ ଯେ ଉତ୍ତର-ପୂର୍ବାଞ୍ଚଳକୁ ଏପରି ଉନ୍ନତ ସଡ଼କ, ରେଳ ଏବଂ ଆକାଶ ମାର୍ଗରେ ଯୋଗାଯୋଗ ପ୍ରଦାନ କରାଯାଉଛି ଯାହା ଗମନାଗମନ କ୍ଷେତ୍ରରେ ପରିବର୍ତ୍ତନ’ର ଦୃଷ୍ଟିକୋଣ ଅନୁରୂପ । ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ, ସ୍ୱଚ୍ଛତା ଏବଂ ଆକାଂକ୍ଷୀ ଜିଲ୍ଲା ଚନ୍ଦେଲର ବିକାଶ ଭଳି ଅନ୍ୟ କ୍ଷେତ୍ରଗୁଡ଼ିକରେ ହେଉଥିବା ପ୍ରଗତି ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ।

ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ମଣିପୁର ମହିଳା ସଶକ୍ତିକରଣ କ୍ଷେତ୍ରରେ ମଧ୍ୟ ଆଗ ଧାଡ଼ିରେ ରହିଛି । ମଣିପୁର ବିଶିଷ୍ଟ କ୍ରୀଡ଼ାବିତ ମେରୀ କମଙ୍କ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତକୁ କ୍ରୀଡ଼ା ମହାଶକ୍ତି କରିବାରେ ଉତ୍ତର-ପୂର୍ବାଂଚଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେ କହିଥିଲେ ଯେ ଭାରତରେ ଆଥଲେଟମାନଙ୍କ ଚୟନ ଏବଂ ତାଲିମରେ ପାରଦର୍ଶୀତା ବଜାୟ ରଖାଯାଉଛି, ଯାହା ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତର ଉନ୍ନତ ପ୍ରଦର୍ଶନ ଦ୍ୱାରା ସ୍ପଷ୍ଟ ହୋଇଛି ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories