www.samajalive.in
Sunday, December 7, 2025
26.1 C
Bhubaneswar

ପଶ୍ଚିମବଙ୍ଗରେ ଆନ୍ଦୋଳନ, ଓଡ଼ିଶାରେ ଆଳୁ ମହଙ୍ଗା

କଟକ/ଖଣ୍ଡଗିରି : ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବାବେଳେ ଆଳୁ ଦର ଆକାଶ ଛୁଆଁ ହୋଇଛି। ଗୁରୁବାର ହଠାତ୍‌ ଆଳୁ କିଲୋ ପିଛା ଦର ୬୦ ଛୁଇଁଛି। ପୂର୍ବରୁ କେବେବି ବର୍ଷା ଋତୁରେ ଆଳୁ ଦର ବୃଦ୍ଧି ପାଇବା ଦେଖାଯାଇନଥିଲା । କିନ୍ତୁ ଚଳିତବର୍ଷ ଏହା ଖାଉଟିଙ୍କ ଚିନ୍ତାର କାରଣ ପାଲଟିଛି। ପଶ୍ଚିମବଙ୍ଗରୁ ହଠାତ୍ ଆମଦାନୀ ବନ୍ଦ ହୋଇଥିବାରୁ କଟକ ମାଲଗୋଦାମ, ଛତ୍ରବଜାର ଓ ଭୁବନେଶ୍ବର କୁବେରପୁରୀର ଆଳୁ ଗଦି ଖାଲି ହୋଇଯାଇଛି। ଖୁଚୁରା ବଜାରରେ ଯେତିକି ଆଳୁ ମହଜୁଦ ଅଛି ତାହା ସମୁଦ୍ରକୁ ଶଙ୍ଖେ। ଏଥିପାଇଁ ଦୁଇ ଦିନ ହେଲା ଆଳୁ ଦର ବୃଦ୍ଧି ପାଇଛି ବୋଲି କିଛି ବ୍ୟବସାୟୀ ପ୍ରକାଶ କରିଛନ୍ତି। ଦୁଇ ଦିନ ମଧ୍ୟରେ ଓଡିଶାକୁ ଆଳୁ ଆମଦାନୀ ନ ହେଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଆଶଙ୍କା କରାଯାଉଛି।

ପଶ୍ଚିମବଙ୍ଗରେ ଆନ୍ଦୋଳନ ପାଇଁ ଏପରି ସ୍ଥିତି ଉପୁଜୁଥିବା ଛତ୍ରବଜାର ବ୍ୟବସାୟ ସଙ୍ଘର ସଭାପତି ଦେବେନ୍ଦ୍ର ସାହୁ କହିଛନ୍ତି। ଏହାର ସିଧାସଳଖ ପ୍ରଭାବ ଓଡ଼ିଶାରେ ପଡିଛି। ପଶ୍ଚିମବଙ୍ଗର ଚାଷୀ ଓ ଆଳୁ ଷ୍ଟୋର ଆସୋସିଏଏସନ୍ ବ୍ୟବସାୟୀ ଆଳୁ ଦର ବୃଦ୍ଧି ଦାବିରେ ଆନ୍ଦୋଳନ କରୁଛନ୍ତି। ଏବେ ଚାଷୀ, ବ୍ୟବସାୟୀ ଓ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ଆଲୋଚନା ଚାଲିଛି। ଆଗାମୀ ଦିନେ ଦୁଇ ଦିନ ମଧ୍ୟରେ କିଛି ସମାଧାନର ବାଟ ବାହାରିବ ବୋଲି ଆଶା କରାଯାଉଛି। ପ୍ରତିଦିନ ଛତ୍ରବଜାରକୁ ୫ରୁ ୬ ଟ୍ରକ ଆଳୁ ଆମଦାନୀ ଆସିଥାଏ। ଆନ୍ଦୋଳନ ଯୋଗୁଁ ଏବେ ଦିନକୁ ଦୁଇରୁ ତିନିଟି ଗାଡି ଆସୁଛି। ଗୁରୁବାର ଛତ୍ରବଜାରକୁ କୌଣସି ଆଳୁ ଗାଡି ଆସି ନଥିବାରୁ ଏଭଳି ସଙ୍କଟ ଦେଖାଦେଇଛି। ରାଜ୍ୟରେ ଥିବା ହାତ ଗଣତି ୫ରୁ ୬ଟି ଗୋଦାମରେ ଆଳୁ ମହଜୁଦ୍ ରହିଥିଲେ ମଧ୍ୟ ସେମାନେ ବଜାରକୁ ଆବଶ୍ୟକ ମୁତାବକ ପ୍ରେରଣ କରୁନଥିବାରୁ ଏହା ବୋଝ ଉପରେ ଲଳିତା ବିଡ଼ା ସଦୃଶ୍ୟ ହୋଇଛି। ସେହିପରି କୁବେରପୁରୀକୁ ପୂର୍ବରୁ ଦୈନିକ ୨୫୦ରୁ ୩୦୦ ଟନ୍ ଆଳୁ ଭୁବନେଶ୍ୱର ଆସୁଥିଲା। ପ୍ରତ୍ୟେକ ଦିନ ୨୦ରୁ ୨୫ ଟ୍ରକ୍‌ ଆଳୁ କୁବେରପୁରୀରେ ପହଞ୍ଚୁଥିଲା। ବୁଧବାର ମାତ୍ର ଦୁଇ ଟ୍ରକ୍‌ଟ୍ଟ ଅର୍ଥାତ ଅତିବେଶୀରେ ୩୦ରୁ ୩୫ ଟନ୍ ଆଳୁ କୁବେରପୁରୀ ଆସିଥିଲା। ଗୋଦାମରେ ୩ଶହ ଟନ୍ ଆବଶ୍ୟକ ଥିବାବେଳେ ମାତ୍ର ୩୫ ଟନ୍‌ ଆଳୁ ମହଜୁଦ ରହିବା ଦ୍ବାରା ବଜାରର ଚାହିଦା ମେଣ୍ଟାଇବା ସହଜ ହେଉନାହିଁ। ସେଥିଯାଗୁଁ ଖୁଚୁରା ବଜାରରେ ବୁଧବାର ରାତିରୁ ଆଳୁ ଦର ୫୦ରୁ ୬୦ ଟଙ୍କା ଛୁଇଁଗଲା ବୋଲି ବ୍ୟବସାୟୀମାନେ କହିଛନ୍ତି। ବର୍ତ୍ତମାନ କୁବେରପୁରୀ ବ୍ୟବସାୟୀ ସଂଘ ପାଖରେ ଆଳୁ ମହଜୁଦ ନାହିଁ। ବିଭିନ୍ନ ହାଟରେ ଖୁଚୁରା ବ୍ୟବସାୟଙ୍କ ପାଖରେ ମହଜୁଦ ଥିବା ଆଳୁ ସ୍ବାଭାବିକ ଭାବେ ନିଅଣ୍ଟିଆ ସ୍ଥିତି ସୃଷ୍ଟି କରିଛି। ପୂର୍ବରୁ ସେମାନେ କ୍ବିଣ୍ଟାଲ ପିଛା ୨୫ଶହରୁ ୩ହଜାର ଟଙ୍କା ଦରରେ କିଣିଥିବା ଆଳୁକୁ ଏବେ ୪୫ ଶହରୁ ୫ହଜାର ଟଙ୍କାରେ ବିକୁଛନ୍ତି। ଖୁଚୁରା ବେପାରୀ ଖାଉଟିଙ୍କଠାରୁ ଅଧାରୁ ଅଧିକ ଲାଭ ନେଉଛନ୍ତି। ଯୋଗାଣ ବିଭାଗର ନିୟନ୍ତ୍ରଣ ନଥିବାରୁ ଖୁଚୁରା ବେପାରୀ ଖାଉଟିଙ୍କୁ ଶୋଷଣ କରୁଛନ୍ତି। ସେପଟେ ଆଳୁ କଳାବଜାରୀ ବଢିଥିବାବେଳେ ଚଢ଼ଉ ହେଉନାହିଁ। ପ୍ରଶାସନର ନିରବତା ନେଇ ପ୍ରଶ୍ନ ଉଠିଛି।

- Advertisement -

କୁବେରପୁରୀ ବ୍ୟବସାୟୀ ସଂଘ ସମ୍ପାଦକ ଶକ୍ତି ମିଶ୍ର କହିଛନ୍ତି, ବର୍ଷା ଯୋଗୁଁ ପଶ୍ଚିମବଙ୍ଗରୁ ଆଳୁ ଆମଦାନୀ ହୋଇପାରୁ ନାହିଁ। ସେଠାରେ ଦର ବୃଦ୍ଧି ଯୋଗୁଁ ଓଡ଼ିଶାରେ ଆଳୁ ଦର ବୃଦ୍ଧି ପାଇଛି। ଏହି ସମୟରେ ଉତ୍ତରପ୍ରଦେଶରୁ ମଧ୍ୟ ଆଳୁ ଆସିପାରିବ ନାହିଁ। ମାନ ଓ ଦୂରତା ଦୃଷ୍ଟିରୁ ଉତ୍ତରପ୍ରଦେଶରୁ ଆଳୁ ଭୁବନେଶ୍ୱର ପହଞ୍ଚିଲେ ମଧ୍ୟ ଦର ସାମାନ୍ୟ ଉଚ୍ଚା ରହିବ। ଖରା ପାଗ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ଓଡ଼ିଶାର ବ୍ୟବସାୟୀ ପଶ୍ଚିମବଙ୍ଗରୁ ଆସିବାକୁ ଥିବା ଆଳୁକୁ ଅପେକ୍ଷା କରିଛନ୍ତି। ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣରେ ଶୀଳତ ଭଣ୍ଡାର ନଥିବାରୁ ଆଳୁ ମହଜୁଦ୍ ରହିପାରୁ ନାହିଁ। ଆଳୁ ସଙ୍କଟ ସମୟରେ ସର୍ବଦା ସରକାର ଏଥିପ୍ରତି ଦୃଷ୍ଟି ଦେବେ ବୋଲି କହୁଥିଲେ ମଧ୍ୟ ବାସ୍ତବରେ ତାହା ଫଳପ୍ରଦ ହୋଇପାରୁନାହିଁ। ଏଥିସହ ଆଳୁ ଅମଳ ମଧ୍ୟ ରାଜ୍ୟରେ କମିଛି। କଟକ ଜିଲାର ବାଙ୍କୀ, ଆଠଗଡ, ୪୨ ମୌଜା ପ୍ରଭୃତି ଅଞ୍ଚଳରେ ପୂର୍ବରୁ ଆଳୁ ଚାଷ କରାଯାଉଥିବାବେଳେ ଉପକୂଳ ଓଡ଼ିଶା ଜଗତସିଂହପୁର, ଯାଜପୁର ଓ କେନ୍ଦ୍ରାପଡାରେ ମଧ୍ୟ ଆଳୁ ଚାଷ ହେଉଥିଲା। ଏହି ଅଞ୍ଚଳରୁ ଆଳୁ ଆସିଲେ ରାଜ୍ୟରେ ସଙ୍କଟ ସମୟରେ ଏହା ସାଧାରଣ ଲୋକଙ୍କ ଦୁଃଖ ଲାଘବ କରିଥାଏ। ଏହିସବୁ ଅଞ୍ଚଳରେ ଏବେ ଚାଷ କମିବାରୁ ସଙ୍କଟ ସମୟରେ ସମସ୍ୟା ଉପୁଜୁଛି। ଆଳୁ ଆମଦାନୀ ହେଉନଥିବାରୁ ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶ ଉପରେ ନିର୍ଭର କରୁଛି। ଏହି ଦୁଇ ରାଜ୍ୟରେ ସମସ୍ୟା ଉପୁଜିଲେ ରାଜ୍ୟରେ ଆଳୁ ଉଭାନ ହୋଇଯାଇଥାଏ।

ମଣିପୁର ଓ ଜମ୍ମୁ-କଶ୍ମୀର ନଯିବାକୁ ନିଜ ନାଗରିକଙ୍କୁ ଆମେରିକାର ପରାମର୍ଶ

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories