କଟକ: ଜଣେ ମୋବାଇଲ ଲୁଟିଆକୁ ମଙ୍ଗଳାବାଗ ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତଜଣକ ହେଲା ମେରିଆ ବଜାରର ହରିହର ନାୟକ(୩୪)। ପଚରାଉଚରା ପରେ ସେ ଲୁଚାଇ ରଖିଥିବା ୭ଟି ଚୋରି ମୋବାଇଲକୁ ପୁଲିସ ଜବତ କରିଛି।
ମଙ୍ଗଳାବାଗ ମଝିସାହିର ଦୀପ୍ତିମୟୀ ସାହୁ ଗତ ସେପ୍ଟେମ୍ବର ୧୯ ତାରିଖ ରାତି ପ୍ରାୟ ୮ଟା ସମୟରେ ସାଇକଲ ଚଳାଇ ରିଂ ବନ୍ଧ ରାସ୍ତାରେ ଏକ ଡାକ୍ତରଖାନାକୁ ଯାଉଥିଲେ। ହଠାତ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଭ୍ୟାନିଟି ବ୍ୟାଗକୁ ଝାମ୍ପି ନେଇ ଚମ୍ପଟ ମାରିଥିଲେ। ଉକ୍ତ ଭ୍ୟାନିଟିରେ ଦାମୀ ମୋବାଇଲ ସହ ୮୦୦୦ ଟଙ୍କା ଥିବା ନେଇ ଦିପ୍ତିମୟୀ ଏତଲାରେ ଦର୍ଶାଇଥିଲେ। ଅଭିଯୋଗ ଅନୁଯାୟୀ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିଲା। ଏପଟେ ସହରରେ ଗୋଟିଏ ପରେ ଗୋଟିଏ ସମାନ ଢଙ୍ଗରେ ଲୁଟପାଟ ଘଟିବାରେ ଲାଗିଥିଲା। କିଛିଦିନ ତଳେ ତ୍ରିଶୁଳିଆ ଛକ ନିକଟରେ ଜଣେ ମହିଳା ଲୁଟପାଟର ଶିକାର ହୋଇଥିଲେ।
ଦୁର୍ବୃତ୍ତମାନେ ମହିଳାଙ୍କ ସୁନା ଚେନ ଛିଣ୍ଡାଇ ନେଇଥିଲେ। ଏହି ଘଟଣାରେ ବାରଙ୍ଗ ପୁଲିସ ଗତ ଶୁକ୍ରବାର ତିନିଜଣ କୁଖ୍ୟାତ ଲୁଟେରାଙ୍କୁ ଗିରଫ କରିଥିଲା। ସେମାନଙ୍କୁ ଜେରା ବେଳେ ସହରରେ ସକ୍ରିୟ ଥିବା ଏକ ବଡ଼ ଲୁଟେରା ଗ୍ୟାଙ୍ଗର କାରନାମା ପଦାକୁ ଆସିଥିଲା। ଏପରି କି ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ପେସାଦାର ଜଗା ରାଓ ଓ ସହଯୋଗୀ ହରିହର ମିଶି ଦୀପ୍ତିମୟୀଙ୍କଠାରୁ ଲୁଟପାଟ କରିଥିବା ଜଣାପଡ଼ିଥିଲା। ସୋମବାର ରାତିରେ ଅଭିଯୁକ୍ତ ହରିହରକୁ ଗିରଫ କରିବାରେ ପୁଲିସ ସମର୍ଥ ହୋଇଥିଲା।



