ସମ୍ଭାବ୍ୟ ମରୁଡ଼ି ନେଇ ଚାଷୀକୂଳ ଆତଙ୍କିତ: ଜୁଲାଇ ୨୩ ସୁଦ୍ଧା ଜିଲାରେ ୧୧.୮୪ ପ୍ରତିଶତ ଖରିଫ ଧାନଚାଷ

୧୧ବର୍ଷ ଧରି ଫାଇଲରେ ସୀମିତ ସାର ରେଳ ଗୋଦାମ ଗୃହ

କେନ୍ଦୁଝରଗଡ଼ : କଥାରେ ଅଛି ‘ଚାଷ ତର ତର ବଣିଜ ମଠ’। ଖରିଫ ଚାଷ ଆରମ୍ଭର ୩ମାସ ପରେ ଜୁଲାଇ ୨୩ ତାରିଖ ସୁଦ୍ଧା ଜିଲାରେ ମାତ୍ର ୧୧.୮୪ପ୍ରତିଶତ ଖରିଫ ଧାନ ଚାଷ ଆରମ୍ଭ ହେବା ଏବେଠାରୁ ଚାଷୀକୂଳଙ୍କୁ ସମ୍ଭାବ୍ୟ ମରୁଡ଼ି ନେଇ ଆତଙ୍କିତ କରିଛି। ଆଦିବାସୀବହୁଳ କେନ୍ଦୁଝର ଜିଲାର ୮୦ ପ୍ରତିଶତରୁ ଊର୍ଦ୍ଧ୍ବ ଲୋକ ଖରିଫ ଧାନଚାଷ ଉପରେ ସେମାନଙ୍କ ଜୀବନଜୀବିକା ନିର୍ବାହ କରିଥାନ୍ତି। ଜିଲାରେ ହାରାହାରି ବର୍ଷା ଅନୁପାତ ବର୍ଷକୁ ୧୪୮୭.୭ ମି.ମି. ଥିବାବେଳେ ବର୍ଷାଜଳ ଉପରେ ହିଁ ଜିଲାର କୃଷିକାର୍ଯ୍ୟ ନିର୍ଭରଶୀଳ। ଜିଲାର ମୋଟ ୮ଲକ୍ଷ ୩୦ ହଜାର ୩୦୦ହେକ୍ଟର ଜମି ମଧ୍ୟରୁ ୧ଲକ୍ଷ ୨୧ହଜାର ୯୧୨ ହେକ୍ଟର ଜଳସେଚିତ ଓ ୧ଲକ୍ଷ ୭୫ହଜାର ୧୫୮ହେକ୍ଟର ଅଣଜଳସେଚିତ ଜମିକୁ ମିଶାଇ ମୋଟ ୨ଲକ୍ଷ ୯୭ହଜାର ୦୭୦ହେକ୍ଟର ଜମିକୁ ଚଳିତବର୍ଷ ଖରିଫ ଚାଷ ପାଇଁ ଚିହ୍ନଟ କରାଯାଇଛି। ଚଳିତ ଖରିଫ ଋତୁରେ ୧ଲକ୍ଷ ୫୯ହଜାର ୭୦୦ହେକ୍ଟର ଜମିରେ ଧାନ ଚାଷ କରାଯାଇ ୫ଲକ୍ଷ ୩୯ହଜାର ୯୧୪ମେଟ୍ରିକ୍‌‌ ଟନ ଚାଉଳ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି। ତେବେ ଜୁଲାଇ ୨୩ ତାରିଖ ସୁଦ୍ଧା ଜିଲାରେ ୬୩୫୮୯ ହେକ୍ଟର ଜମିରେ ଖରିଫ ଚାଷ ହୋଇଥିବା ବେଳେ ୧୧.୮୪ ପ୍ରତିଶତ ହାରରେ ମାତ୍ର ୧୮୯୦୪ ହେକ୍ଟର ଜମିରେ ଖରିଫ ଧାନ ଚାଷ ହୋଇଥିବା ଜିଲା କୃଷି ବିଭାଗ ସୂତ୍ରରୁ ପ୍ରକାଶ।

ଜିଲାରେ ଚଳିତବର୍ଷ ଖରିଫ ଧାନଚାଷ ପାଇଁ ୧୯୦୦୦କ୍ୟୁଣ୍ଟାଲ ବିହନ ଆବଶ୍ୟକ ଥିବାବେଳେ ଜୁଲାଇ ୨୩ ତାରିଖ ସୁଦ୍ଧା ୧୪୫୬୯ କ୍ୟୁଣ୍ଟାଲ ଧାନ ବିହନ ଯୋଗାଇ ଦିଆଯାଇଛି। ସେହିପରି ଜିଲାରେ ଖରିଫ ଚାଷ ପାଇଁ ମୋଟ ୨୧୩୪୮ ମେଟ୍ରିକ୍‌‌ ଟନ ସାର ଆବଶ୍ୟକତା ଥିବାବେଳେ ଜୁଲାଇ ୨୦ ତାରିଖ ସୁଦ୍ଧା ୧୮୯୪୮ ମେଟ୍ରିକ୍‌‌ ଟନ ସାର ଯୋଗାଣ ହୋଇପାରିଛି। ଜିଲାରେ ଖରିଫ ଚାଷ ପାଇଁ ଉଦ୍ଦିଷ୍ଟ ୨ଲକ୍ଷ ୯୭ହଜାର ୦୭୦ହେକ୍ଟର ଜମି ମଧ୍ୟରୁ ସାଳନ୍ଦୀ ହଦଗଡ଼ ବୃହତ୍ ଜଳସେଚନ ଭଣ୍ଡାରରୁ ୧୧୬୩୨ ହେକ୍ଟର, କାଣୀଝରୀ ଓ ରେମାଳ ଦୁଇଟି ମଧ୍ୟମ ଜଳସେଚନ ଭଣ୍ଡାରରୁ ୧୫୬୦୮ହେକ୍ଟର, ୧୩୭ଟି କ୍ଷୁଦ୍ର ଜଳସେଚନରୁ ୨୩୨୭୪ହେକ୍ଟର, ୯୨୫ଟି ଉଠାଜଳସେଚନ ପଏଣ୍ଟରୁ ୨୦୦୪୨ହେକ୍ଟର, ୫୫୫୦ଟି ବୋରୱେଲରୁ ୩୦୧୮୧ହେକ୍ଟର, ୨୧୫୫୬ଟି ଡଗୱେଲରୁ ୮୪୭୫ହେକ୍ଟର, ୨୦୪ଟି ବର୍ଷାଜଳ ସଂରକ୍ଷଣ ଭଣ୍ଡାର ଏବଂ ପମ୍ପ ଯୋଗେ ବିଭିନ୍ନ ଜଳାଶୟରୁ ୧୨୭୦୦ହେକ୍ଟର ଚାଷଜମିକୁ ଜଳସେଚନ ମିଶାଇ ମୋଟ ୧ଲକ୍ଷ ୨୧ହଜାର ୯୧୨ ହେକ୍ଟର ଜମିକୁ ଖରିଫ ଚାଷ ନିମନ୍ତେ ଜଳସେଚନ ବ୍ୟବସ୍ଥା ରହିଛି। ସେଥିମଧ୍ୟରୁ ହଦଗଡ଼ସ୍ଥିତ ସାଳନ୍ଦୀ ବୃହତ୍ ଜଳସେଚନ ପ୍ରକଳ୍ପର ଡ଼ାହାଣପାର୍ଶ୍ବ କେନାଲ ଯୋଗେ ହାଟଡ଼ିହି ଅଞ୍ଚଳର ୧୧୬୩୨ହେକ୍ଟର, କାଣୀଝରି ଓ ରେମାଳ ମଧ୍ୟମ ଜଳ ସେଚପ୍ରକଳ୍ପ ଯୋଗୁଁ ୧୫୬୦୮ ହେକ୍ଟର ଚାଷଜମିକୁ ଖରିଫଚାଷ ନିମନ୍ତେ ଜଳଯୋଗାଣ ବ୍ୟବସ୍ଥା ଥିବାବେଳେ ଜିଲାର ଅବଶିଷ୍ଟ ସମସ୍ତ ଚାଷଜମି ପ୍ରାୟତଃ ବର୍ଷାଜଳ ଉପରେ ନିର୍ଭର କରୁଥିବାରୁ ଜିଲାରେ ସମ୍ଭାବ୍ୟ ମରୁଡ଼ି ନେଇ ଚାଷୀକୂଳ ସର୍ବଦା ଶଙ୍କାଗ୍ରସ୍ତ ହୋଇ ରହୁଛନ୍ତି। ଅପ୍ରେଲ ମାସରେ ୪୫.୮ ମି.ମି ଆବଶ୍ୟକ ବର୍ଷା ମଧ୍ୟରୁ ମାତ୍ର ୭.୫୨ମି.ମି., ମେ’ ମାସରେ ୯୭.୩ ମି.ମି. ଆବଶ୍ୟକ ବର୍ଷା ମଧ୍ୟରୁ ୯୬.୯୩ମି.ମି., ଜୁନ ମାସରେ ୨୨୯.୫ ମି.ମି. ଆବଶ୍ୟକ ବର୍ଷା ମଧ୍ୟରୁ ୧୦୯.୬୫ମି.ମି. ବର୍ଷା ହୋଇଥିବା ବେଳେ ଜୁଲାଇ ୨୩ ତାରିଖ ସୁଦ୍ଧା ଆବଶ୍ୟକ ୨୦୭.୯୭ମି.ମି. ବର୍ଷା ମଧ୍ୟରୁ ମାତ୍ର ୧୪୮.୧୬ମି.ମି.କୁ ମିଶାଇ ୩୫ପ୍ରତିଶତ ସ୍ୱଳ୍ପ ବୃଷ୍ଟିପାତ କାରଣରୁ ଜିଲାରେ ଖରିଫ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ଜଣାପଡ଼ିଛି।

ବଲାଣିରୁ କେନ୍ଦୁଝର ମଧ୍ୟରେ ୯ଟି ରେଳ ସାଇଡିଂ ଦ୍ୱାରା ଜିଲାରୁ ରେଳ ଯୋଗେ ରାଜ୍ୟ ଓ ରାଜ୍ୟ ବାହାରକୁ ଖଣିଜସମ୍ପଦ ପରିବହନ କରି ରେଳବାଇ ବର୍ଷକୁ ହଜାର ହଜାର କୋଟି ଟଙ୍କା ରାଜସ୍ୱ ସଂଗ୍ରହ କରୁଥିବା ବେଳେ ଜିଲା ଚାଷୀଙ୍କୁ ରେଳ ଯୋଗେ ସାର ଯୋଗାଣ ନେଇ ଏପର୍ଯ୍ୟନ୍ତ ଗୋଟିଏ ହେଲେ ରେଳ ଗୋଦାମ ଗୃହ(ର‍୍ୟାକ୍‌‌ ପଏଣ୍ଟ) କାର୍ଯ୍ୟକ୍ଷମ ହୋଇନପାରିବା ରେଳବାଇର ଲାଭଖୋର ମନୋଭାବ ବିରୋଧରେ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଆସୁଛି। ଜିଲାରେ ଖରିଫ ଧାନ ଚାଷ ପାଇଁ ପ୍ରଚୁର ପରିମାଣର ସାର ଆବଶ୍ୟକତା ଥିବାବେଳେ କେନ୍ଦୁଝର ଜିଲାରେ ରେଳ ଗୋଦାମ ଗୃହ ନଥିବାରୁ ରାଇରଙ୍ଗପୁର, ଭଦ୍ରକ ଓ ଯାଜପୁରରୋଡ ଆଦି ଷ୍ଟେସନରୁ ସାର ଜିଲାକୁ ଟ୍ରକ ଯୋଗେ ପରିବହନ ହେଉଥିବା କାରଣରୁ ଜିଲାକୁ କମ୍‌‌ ପରିମାଣର ସାର ଯୋଗାଣ ସହ ଚାଷୀଙ୍କୁ ଅଧିକ ମୂଲ୍ୟ ଦେବାକୁ ପଡୁଛି। ରେଳ ଗୋଦାମ ଗୃହ ନଥିବାରୁ ଜିଲାକୁ ଟ୍ରକ ଯୋଗେ ଆବଶ୍ୟକ ସାର ଯୋଗାଣ ହୋଇ ପାରୁନଥିବାରୁ ଗତ ୧୧ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଖରିଫ ଧାନଚାଷ ସମୟରେ ସାର ବ୍ୟବସାୟୀଙ୍କ କଳାବଜାରୀ ଚାଷୀଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଜିଲାର ନରଣପୁର ଷ୍ଟେସନଠାରେ ଗୋଦାମ ଗୃହ ପ୍ରତିଷ୍ଠା ସାଙ୍ଗକୁ କାର୍ଯ୍ୟକ୍ଷମ ପାଇଁ ଜିଲା ପ୍ରଶାସନ ପକ୍ଷରୁ ରେଳ ବିଭାଗକୁ ୧୧ବର୍ଷ ଧରି ଚିଠି ଲେଖି ଅନୁରାଧ କରାଯାଇ ଆସୁଥିଲେ ହେଁ ତାହା କେବଳ ଫାଇଲରେ ସୀମିତ ରହିବା ଚାଷୀଙ୍କୁ ନିରାଶ କରିଛି। ରେଳସାଇଡିଂ ଦ୍ୱାରା ଖଣିଜସମ୍ପଦ ପରିବହନ ବ୍ୟବସାୟ ସହ ଜିଲାର ନିର୍ବାଚିତ ଲୋକପ୍ରତିନିଧି ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ହୋଇ ମାଲେମାଲ ହେଉଥିବା ବେଳେ ଚାଷୀଙ୍କୁ ସାର ଯୋଗାଣ ନେଇ ଜିଲାରେ ଅନ୍ତତଃପକ୍ଷେ ଗୋଟିଏ ହେଲେ ରେଳ ଗୋଦାମ ଗୃହ କାର୍ଯ୍ୟକ୍ଷମ ହୋଇନପାରିବା ଜିଲା ନେତାଙ୍କ ଅସଲ ଚେହେରାକୁ ପଦାରେ ପକାଇଛି।

ଚାଷଜମିକୁ ଜଳସେଚନର ଅଭାବ, ବର୍ଷା ଅନିୟମିତତା ସାଙ୍ଗକୁ ସଠିକ ସମୟରେ ସାର ଓ ବିହନ ଯୋଗାଣ ହୋଇନପାରିବା ଏବଂ ଖଣି ଓ ଶିଳ୍ପରେ ଭରପୁର ଜିଲାରେ ଚାଷ କାର୍ଯ୍ୟ ପାଇଁ ଠିକଣା ସମୟରେ ଶ୍ରମିକ ନମିଳିବା ଚାଷୀଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି। ଏଭଳି ସ୍ଥିତିରେ ଜିଲାକୁ କୃଷି କ୍ଷେତ୍ରରେ ସବୁଜ ବିପ୍ଲବ ଆଣିବାକୁ ହେଲେ ନିର୍ମାଣାଧିନ କାନପୁର ବୃହତ ଜଳସେଚନ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକ୍ଷମ ସହପ୍ରସ୍ତାବିତ ନରଣପୁର ରେଳ ଷ୍ଟେସନରେ ରେଳ ଗୋଦାମ ଗୃହକୁ ତୁରନ୍ତ କାର୍ଯ୍ୟକ୍ଷମ କରି ଚାଷୀଙ୍କୁ ଠିକଣା ସମୟରେ ବିହନ ଓ ସାର ଯୋଗାଇ ଦେବାକୁ ଚାଷୀ ମହଲରେ ବାରମ୍ବାର ଦାବି ହୋଇଆସୁଛି।

Comments are closed.