ଚାରି ଲୁଟେରା ଗିରଫ; ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଜବତ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଅଞ୍ଚଳରେ ଚାଷୀଙ୍କ ଟଙ୍କା ଲୁଟ୍ କରୁଥିବା ତଥା ମନ୍ଦିରମାନଙ୍କରେ ଦେବାଦେବୀଙ୍କ ଅଳଙ୍କାର ଚୋରି ଓ ହୁଣ୍ଡି ଚୋରି ଘଟଣା ବଢ଼ିବାରେ ଲାଗିଥିଲା । ଲୁଟେରାମାନେ ଦିନକୁ ଦିନ ତାଙ୍କର ସାମ୍ରାଜ୍ୟ ବିସ୍ତାର କରି ଚାଲିଥିଲେ । ଲୋକେ ଏହି ଚୋରିକୁ ନେଇ ଅଣନିଃଶ୍ବାସୀ ପ୍ରାୟ ହୋଇଯାଇଥିଲେ । ଏହା ଯେମିତି ନିତି ଦିନିଆ ଘଟଣା ହୋଇସାରିଥିଲା । କିନ୍ତୁ ରବିବାର ଅତାବିରା ପୁଲିସ ତାଙ୍କୁ ଗିରଫ କଲା ପରେ ଲୋକେ ଆଶ୍ଵସ୍ତି ଲାଭ କରିଛନ୍ତି ।

ପ୍ରକାଶ ଥାଉ କି, ଗତ ୨୦ /୬/୨୦୨୪ ତାରିଖ ଦିନ ଅତାବିରା ବ୍ଲକ ବାବେଵିରା ଗ୍ରାମର ଜଣେ ଚାଷୀ ଛାୟକାନ୍ତ ପ୍ରଧାନ ବ୍ୟାଙ୍କରୁ ଟଙ୍କା ଉଠାଇ ନିଜ ଘରକୁ ଫେରିବା ବାଟରେ ତାଙ୍କୁ କିଛି ଲୁଟେରା ପିସ୍ତଲ ଦେଖାଇ ତାଙ୍କ ପାଖରେ ଥିବା ୪ ଲକ୍ଷ ୩୮ ହଜାର ୩୫୨ ତାଙ୍କ ଲୁଟି ନେଇଥିଲେ । ଏହାର କିଛି ଦିନ ପରେ ଲସ୍ତଲା ଗ୍ରାମର ଦୁଇଜଣ ଚାଷୀଙ୍କଠାରୁ ମଧ୍ୟ ଅନୁରୂପ ଭାବରେ ଟଙ୍କା ଲୁଟ୍ କରି ନେଇଯାଇଥିଲେ । ଏହା ପୂର୍ବରୁ ଅନେକ ମନ୍ଦିର ହୁଣ୍ଡି ତଥା ଅଳଙ୍କାର ଚୋରି ଘଟଣାର ଦୃଷ୍ଟାନ୍ତ ରହିଛି । ତେବେ ଚାଷୀଙ୍କ ଟଙ୍କା ଲୁଟ୍ ହେବା ପରେ ଚାଷୀ ମହଲରେ ଏକ ପ୍ରକାର ଉତ୍ତେଜନା ସୃଷ୍ଟି ହୋଇଥିଲା । ତେବେ ଚ୍ଛାୟାକାନ୍ତ ପ୍ରଧାନଙ୍କ ଅଭିଯୋଗକୁ ଭିତ୍ତି କରି ଅତାବିରା ଥାନା ଅଧିକାରୀ ସୁକୁମାର ତ୍ରିପାଠୀ ଏକ ସ୍ବତନ୍ତ୍ର ଦଳ ଗଠନ କରି ତାର ଅନୁସନ୍ଧାନ ଜାରି ରଖିଥିଲେ । ଚାରିଆଡେ଼ କଡା ନଜର ରଖା ଯାଇଥିଲା। ଅନେକ ସ୍ଥାନରେ ସିସିଟିଭି କ୍ୟାମେରା ସାହାଯ୍ୟରେ ଏହି ଚୋରଙ୍କ ଗତିବିଧି ନିରୀକ୍ଷଣ କରାଯାଉଥିଲା । ଫଳସ୍ୱରୂପ ସେମାନେ ଆଜି ପୁଲିସ ହାତରେ ଗିରଫ ହୋଇଛନ୍ତି । ଅଭିଯୁକ୍ତମାନେ ହେଲେ ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ଅନ୍ତର୍ଗତ ଡଙ୍ଗର ମୁଣ୍ଡା ର ଚୈତନ୍ୟ ପୂଟା(୧୯), ଇନ୍ଦ୍ର ଭୋଇ(୨୧) ଓ ବନାରସ ଗ୍ରାମର ଲଳିତ ସାହୁ(୨୫) ଏବଂ ଡୋଲେଶ୍ୱର ସାହୁ । ଏମାନଙ୍କଠାରୁ ୮ଟି ମୋବାଇଲ, ୩ଟି ଅପାଚେ ବାଇକ୍, ଗୋଟିଏ ସୁଜୁକି ସ୍କୁଟି, ଗୋଟିଏ ହିରୋ ବାଇକ୍, ଗୋଟିଏ ପିସ୍ତଳ, ୫ଟି ଗୁଳି, ସୁନାର ଦୁଇଟି ହାର, ଦୁଇ ଯୋଡ଼ା କାନ ଫୁଲ, ଦୁଇଟି ଟପ୍, ଗୋଟିଏ ଅର୍ମଲେଟ୍, ଗୋଟିଏ ଚେନ୍, ଦୁଇଟି ଶଙ୍ଖା ଓ ଦୁଇଟି ମଙ୍ଗଳ ସୂତ୍ର, ଗୋଟିଏ ମୋତି ମାଳି, ଗୋଟିଏ ବ୍ରେସଲେଟ୍‌, ୩ ଟି ଚେନ, ୨ ଯୋଡ଼ା ପାଉଁଜି ଏବଂ ନଗଦ ୩ ଲକ୍ଷ ୮୦ ହଜାର ଟଙ୍କା ଜବତ କରାଯାଇଛି । ଏପରିକି ଏହି ଅଭିଯୁକ୍ତଙ୍କ ନାମରେ ଅତାବିରା ବ୍ୟତୀତ ବରପାଲି, ଡୁଙ୍ଗୁରିପାଲି, ସିନ୍ଧେକେଲା, ଓ ଆଗଲପୁର ଥାନାରେ ମଧ୍ୟ ମାମଲା ରହିଛି । ଏମାନଙ୍କୁ ପୁଲିସ କୋର୍ଟ ଚାଲାଣ କରି ଅଧିକରୁ ଅଧିକ ତଦନ୍ତ ଜାରି ରଖିଛି ।

Comments are closed.