ନୂଆଦିଲ୍ଲୀ : ଯେଉଁ ହାତରେ ଭଉଣୀ ରାକ୍ଷୀ ବାନ୍ଧି ଥିଲା, ସେହି ହାତରେ ଭାଇ ତା’ର ଜୀବନ ନେଇଛି। ଅଭିଯୁକ୍ତ ଭାଇ ଭଉଣୀର ଶାଶୁଘରକୁ ଯାଇ ବନ୍ଧୁକରେ ଗୁଳି ଚାଳନା କରି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଗୁଳି ବାଜିବା ପରେ ନବ ବିବାହିତା ଭଉଣୀର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଯୁବତୀଙ୍କ ଶାଶୁ ଓ ନଣନ୍ଦ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ଚିକିତ୍ସା ଜାରି ରହିଛି। ପୁଲିସ ଭଉଣୀର ହତ୍ୟା ମାମଲାରେ ଅଭିଯୁକ୍ତ ଭାଇ(୧୭)କୁ ବୁଧବାର ଗିରଫ କରିଛି। ହରିୟାଣାର କୈଥଲରେ ଏହି ଅଘଟଣ ଘଟିଥିବା ବେଳେ ପ୍ରେମ ବିବାହରେ କ୍ରୋଧିତ ହୋଇ ନାବାଳକ ଭାଇ ନିଜ ଭଉଣୀର ହତ୍ୟା କରିଛି।
ଯୁବତୀଙ୍କ ଶ୍ୱଶୁରଙ୍କ କହିବାନୁଯାୟୀ, ତାଙ୍କ ପୁଅର ବିବାହ ଫେବ୍ରୁଆରୀରେ ହୋଇଥିଲା। ଏହାପରେ ବୋହୂ ପରିବାର ପକ୍ଷରୁ ଧମକ ମିଳୁଥିଲା। ପୁଲିସ ସୂଚନାନୁଯାୟୀ ଭଉଣୀ ଅନ୍ୟ ଜାତିରେ ବିବାହ କରିଥିବାରୁ ଭାଇ କ୍ରୋଧରେ ଥିଲା। ଅଭିଯୁକ୍ତ ଭଉଣୀ ଘରକୁ ଯାଇ ତାଙ୍କୁ ଗୁଳି କରି ହତ୍ୟା କରିଥିଲା।
ଏଥିପାଇଁ ମାରି ଦେଲି ; ବାରମ୍ବାର ଆକ୍ରମଣ କରି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ, ଘର ଯାକ ରକ୍ତଛିଟା..
ଚଳିତ ବର୍ଷ ଫେବ୍ରୁଆରୀରେ ନାନକପୁରୀ କଲୋନୀ ନିବାସୀ ୨୨ ବର୍ଷର ଯୁବତୀ ନିଜ ପଡୋଶୀରେ ବାସ କରୁଥିବା ଜଣେ ଯୁବକଙ୍କୁ ବିବାହ କରିଥିଲେ। ଯୁବତୀଙ୍କ ପରିଜନ ଏହି ବିବାହରେ ଖୁସି ନଥିଲେ। କିଛି ଦିନ ପର୍ଯ୍ୟନ୍ତ ଉଭୟଙ୍କୁ କୋର୍ଟ ପକ୍ଷରୁ ସୁରକ୍ଷା ମିଳିବା ସହ ସେମାନେ ବାହାରେ ରହୁଥିଲେ। କିଛି ଦିନ ପୂର୍ବରୁ ହିଁ ଘରକୁ ରହିବାକୁ ଆସିଥିଲେ। ବୁଧବାର ଅଭିଯୁକ୍ତ ଭାଇ ଭଉଣୀକୁ ଦେଖା କରିବାକୁ ଆସିଥିଲା। ଉଭୟଙ୍କ ମଧ୍ୟରେ ୧ ଘଣ୍ଟା ପର୍ଯ୍ୟନ୍ତ କଥାବାର୍ତ୍ତା ହୋଇଥିଲା। ଅଭିଯୁକ୍ତ ଚା’ ମଧ୍ୟ ପିଇଲା। ମାତ୍ର ଚା’ ଶେଷ ହେବା ମାତ୍ରେ ଭଉଣୀ ଉପରକୁ ଗୁଳିମାଡ କରିଥିଲା। ପୂର୍ବରୁ ମଧ୍ୟ ଅଭିଯୁକ୍ତ ଭଉଣୀ ଘରକୁ ଆସିଥିବାରୁ କେହି ଏଭଳି ଘଟିବ ବୋଲି ଅନୁମାନ କରି ପାରିନଥିଲେ।
ଅଭିଯୁକ୍ତ ହତ୍ୟା କରିବା ପରେ ଏକ ଭିଡିଓ ମଧ୍ୟ ଜାରି କରିଥିଲା। ଯେଉଁଥିରେ ହାତରେ ବନ୍ଧୁକ ଧରି ନିଜ ଦୋଷ ସ୍ୱୀକାର କରିଛି। ଅଭିଯୁକ୍ତ ପୁଲିସ ନିକଟକୁ ଯାଇ ଆତ୍ମସମର୍ପଣ କରିଛି। ପୁଲିସ ଏହି ମାମଲାରେ ୫ ଜଣଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।



