ନୂଆଦିଲ୍ଲୀ: କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ସରକାର ଗଠନ ହେବା ପରେ ନୂଆ ଲୋକସଭା ବାଚସ୍ପତି ନିର୍ବାଚନ ନେଇ ପ୍ରକ୍ରିୟାର ଆରମ୍ଭ ହୋଇଛି। ଜୁନ ୨୬ ତାରିଖରେ ଲୋକସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।
ଅଷ୍ଟାଦଶ ଲୋକସଭା ଆରମ୍ଭ ହେବାର ଦୁଇ ଦିନ ପରେ ଜୁନ୍ ୨୬(ବୁଧବାର)ରେ ନୂତନ ଲୋକସଭା ବାଚସ୍ପତିଙ୍କ ପାଇଁ ନିର୍ବାଚନ ହେବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ବାଚସ୍ପତି ପାଇଁ କିଏ ପ୍ରାର୍ଥୀ ହେବେ ସେଥିନେଇ କୌଣସି ଘୋଷଣା କରାଯାଇନାହିଁ। କିଏ ହେବ ନୂଆ ବାଚସ୍ପତି ସେଥି ନେଇ କଳ୍ପଜଳ୍ପନା ଲାଗି ରହିଥିବାବେଳେ ବହୁ ବରିଷ୍ଠ ନେତା ଏଥିପାଇଁ ଆଶାୟୀ ଅଛନ୍ତି। ତେବେ ଓଡ଼ିଶାରୁ ଜଣେ ସାଂସଦଙ୍କୁ ଲୋକସଭା ବାଚସ୍ପତି କରାଯିବା ନେଇ ଚର୍ଚ୍ଚା ହେଉଛି। ବାଚସ୍ପତି ଦୌଡ଼ରେ କଟକ ସଂସଦୀୟ କ୍ଷେତ୍ର ସାଂସଦ ଭର୍ତ୍ତୃହରି ମହତାବଙ୍କ ନାମ ଚର୍ଚ୍ଚାରେ ରହିଥିବା ସୂଚନା ମିଳିଛି।
ଅପରପକ୍ଷରେ ଲୋକସଭା ବାଚସ୍ପତି ପଦ ନିଜେ ବିଜେପି ରଖିବା କିମ୍ବା ଏଡିଏ ସହଯୋଗୀ ଦଳ ପାଇଁ ଛାଡ଼ିବ ତାହା ସ୍ପଷ୍ଟ ହୋଇନାହିଁ। ତେବେ ଜଣେ ବରିଷ୍ଠ ସାଂସଦକୁ କାମଚଳା ବାଚସ୍ପତି ଭାବେ ନିଯୁକ୍ତି ଦିଆଯିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି।



