ପୁଣେ ପୋର୍ସେ କାର୍‌‌ ଦୁର୍ଘଟଣା ମାମଲାରେ ମିଳିଲା ନୂଆ ତଥ୍ୟ; ଅଭିଯୁକ୍ତକୁ ଖସାଇବାକୁ ହୋଇଥିଲା ଷଡ଼ଯନ୍ତ୍ର, ରକ୍ତ ନମୁନା ବଦଳାଇଥିବା ୨ ଡାକ୍ତର ଗିରଫ

ପୁଣେ: ପୁଣେ ପୋର୍ସେ କାର୍‌‌ ଦୁର୍ଘଟଣା ମାମଲାରେ ନୂଆ ମୋଡ଼ ଆସିଛି। ମୁଖ୍ୟ ଅଭିଯୁକ୍ତ ନାବାଳକକୁ ଖସାଇବାକୁ ରାତାରାତି ହୋଇଥିଲା ଷଡ଼ଯନ୍ତ୍ର। ହେଲେ ଏହାକୁ ଧରିବାରେ ସଫଳ ହୋଇଛି ପୁଲିସ। ଅଭିଯୁକ୍ତ ନାବାଳକର ରକ୍ତ ନମୁନା ବଦଳାଇଥିବା ୨ ଡାକ୍ତରଙ୍କୁ ପୁଲିସ ସୋମବାର ଗିରଫ କରିଛି। ସେମାନେ ହେଲେ ସାସୁନ ହସ୍ପିଟାଲର ମୁଖ୍ୟ ଚିକିତ୍ସା ଅଧିକାରୀ(ସିଏମଓ) ଶ୍ରୀହରି ହାଲନୋର ଏବଂ ଫୋରେନସିକ୍‌‌ ମେଡିସିନ ବିଭାଗର ମୁଖ୍ୟ (ଏଚଓଡି) ଅଜୟ ତାଓଡେ। ଅଭିଯୁକ୍ତ ନିଶାସକ୍ତ ଥିବାବେଳେ ତାଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ଫୋରେନସିକ ଲାବରେଟୋରି ପଠାଯିବାର ଥିଲା। କିନ୍ତୁ ଏହା ପୂର୍ବରୁ ନମୁନା ବଦଳାଇ ଦିଆଯାଇଥିଲା। ହସ୍ପିଟାଲର ଫୋରେନସିକ ବିଭାଗ ମୁଖ୍ୟ ଅଜୟଙ୍କ ନିର୍ଦ୍ଦେଶରେ ସିଏମଓ ହାଲନୋର ଏହି ନମୁନା ବଦଳାଇଥିବା ପୁଣେ ପୁଲିସ କମିଶନର ଅମିତେଶ କୁମାର କହିଛନ୍ତି।

ପୁଲିସ କମିଶନର ଅମିତେଶ ସୋମବାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ଗତ ୧୯ ତାରିଖରେ ସାସୁନ ହସ୍ପିଟାଲରେ ଅଭିଯୁକ୍ତ ନାବାଳକର ରକ୍ତ ନମୁନା ସଂଗ୍ରହ କରାଯାଇଥିଲା। ଏହା ପରେ ପୂର୍ବାହ୍ନ ପ୍ରାୟ ୧୧ଟାରେ ଉକ୍ତ ରକ୍ତ ନମୁନାକୁ ଡା. ହାଲନୋର ଡଷ୍ଟବିନ୍‌‌ରେ ଫିଙ୍ଗି ଦେଇଥିଲେ। ଏହା ବଦଳରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ରକ୍ତ ନମୁନା ଫୋରେନସିକ ବିଭାଗକୁ ପଠାଯାଇଥିଲା। ମାମଲାର ତଦନ୍ତ ବେଳେ ଏହା ଜଣାପଡ଼ିଥିବା ଅମିତେଶ କହିଛନ୍ତି।

ସୂଚନାଯୋଗ୍ୟ, ଗତ ୧୮ ତାରିଖ ବିଳମ୍ବିତ ରାତି ପ୍ରାୟ ୨ଟା ୧୫ ମିନିଟରେ ଜଣେ ୧୭ ବର୍ଷୀୟ ନାବାଳକ ନିଶାସକ୍ତ ଅବସ୍ଥାରେ ତାଙ୍କ ପୋର୍ସେ କାର୍‌‌କୁ ଦ୍ରୁତଗତିରେ ନେଇ ଯାଉଥିବାବେଳେ କଲ୍ୟାଣୀନଗର ଅଞ୍ଚଳରେ ଏକ ବାଇକ୍‌‌କୁ ଧକ୍କା ଦେଇଥିଲା। ଦୁର୍ଘଟଣା ସମୟରେ କାର୍‌‌ର ଗତି ୨୦୦ କିଲୋମିଟର ପ୍ରତି ଘଣ୍ଟା ରହିଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ବାଇକ୍‌‌ ଆରୋହୀ ଅନିଶ ଅୱାଧିୟା ଏବଂ ଅଶ୍ୱିନୀ କୋଷ୍ଟାଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଏତେ ଜୋର୍‌‌ ଥିଲା ଯେ, ବାଇକ ଆରୋହୀ ଦୁଇଜଣ ୨୦ ଫୁଟ ଉଚ୍ଚତାକୁ ଉଠି ଛିଟିକି ପଡ଼ିଥିଲେ।

Comments are closed.