www.samajalive.in
Thursday, December 11, 2025
14.1 C
Bhubaneswar

ସମ୍ବିଧାନର ସୁରକ୍ଷା ପାଇଁ ଲଢ଼େଇ କରୁଛି କଂଗ୍ରେସ-ମଲ୍ଲିକାର୍ଜୁନ ଖଡଗେ

ଭୁବନେଶ୍ୱର: ଅସୀମ ପ୍ରାକୃତିକ ସମ୍ପଦ, ଜଳ, ଜଙ୍ଗଲ, ଜମି ଓ ଖଣି ଖାଦାନରେ ଭରା ଓଡ଼ିଶା। ମାନବ ସମ୍ବଳ ମଧ୍ୟ ଏଠାରେ କିଛି କମ୍ ନୁହେଁ। ଏଠାକାର ଖଣି ଖାଦାନରୁ ସାମଗ୍ରୀ ନେଇ ଅନ୍ୟ ରାଜ୍ୟରେ ବୃହତ ଶିଳ୍ପ, କାରଖାନା ଗଢ଼ିଉଠିଛି। ହେଲେ ମୋଦି ସରକାରଙ୍କ ୧୦ବର୍ଷ ଓ ନବୀନ ବାବୁଙ୍କ ୨୪ବର୍ଷର ଶାସନରେ ରାଜ୍ୟର ଆଶାନୁରୂପ ବିକାଶ ହୋଇପାରିନାହିଁ। ଏଠାରେ ବେକାରୀ ସମସ୍ୟା ଉତ୍କଟ ହୋଇଛି। ରାଜ୍ୟର ମୋଟ୍ ୪୧ ପ୍ରତିଶତ ଯୁବବର୍ଗ ବେକାର ହୋଇ ବୁଲୁଛନ୍ତି। ଏଠାକାର ଲୋକେ ପେଟପାଟଣା ପାଇଁ ବାହାର ରାଜ୍ୟକୁ ଯାଇ ସ୍ୱଳ୍ପ ଅର୍ଥରେ ଶ୍ରମିକ ଭାବେ କାମ କରୁଛନ୍ତି। ତେଣୁ ବିଜେପି ଓ ବିଜେଡି ମେଂଟ ସରକାର ଓଡ଼ିଶାକୁ ଏକ ଶସ୍ତା ଶ୍ରମିକ ଚାଲାଣ ରାଜ୍ୟରେ ପରିଣତ କରିଛନ୍ତି ବୋଲି ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି।

ଗୁରୁବାର ଓଡ଼ିଶା ଗସ୍ତରେ ଆସି ହୋଟେଲ ମେଫେୟାରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଖଡଗେ ଉଭୟ ବିଜେପି ଓ ବିଜେଡି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ କିଛିଦିନ ତଳେ ବିଜେପି ଓ ବିଜେଡି ମେଂଟ ପାଇଁ ଖୋଲା ଆଲୋଚନା କରୁଥିଲେ। ବର୍ତ୍ତମାନ ନିଜ ସ୍ୱାର୍ଥ ପାଇଁ ସେମାନେ ଭିତିରି ବୁଝାମଣାରେ ନିର୍ବାଚନ ଲଢ଼ୁଛନ୍ତି। କେବଳ ଲୋକ ଦେଖାଣିଆ ଭାବେ ନିର୍ବାଚନୀ ସଭାରେ ପରସ୍ପରକୁ ସମାଲୋଚନା କରୁଛନ୍ତି। ସେମାନଙ୍କ ଏହି ଅଘୋଷିତ ମେଂଟ ଓଡ଼ିଶା ଓ ଓଡ଼ିଶାର ଜନସାଧାରଣଙ୍କୁ ଅଧିକ କ୍ଷତିଗ୍ରସ୍ତ କରିଛି। ଏହି ମେଂଟ ପାଇଁ ଓଡ଼ିଶାରେ ବେକାରୀ ସମସ୍ୟା ବଢ଼ିଛି। ଦରଦାମ କଥା ନ କହିବା ଭଲ। ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବାବେଳେ କୃଷି କ୍ଷେତ୍ରରେ ବ୍ୟବହୃତ ସାମଗ୍ରୀ ଉପରେ ଜିଏସ୍ଟି ଲଗାଇ କୃଷକଙ୍କ ମେରୁଦଣ୍ଡ ଭାଙ୍ଗି ଦିଆଯାଇଛି। ରାଜ୍ୟର ସବୁଠାରୁ ବଡ଼ ଖଣି ଦୁର୍ନୀତିର ତଦନ୍ତ ହୋଇପାରୁନି। ଚିଟଫଣ୍ଡ ଦୁର୍ନୀତିରେ କ୍ଷତିଗ୍ରସ୍ତ ଲୋକମାନେ ଏହି ମେଂଟ ପାଇଁ ନ୍ୟାୟ ପାଇପାରୁନାହାନ୍ତି। ତେଣୁ ଓଡ଼ିଶାବାସୀ ଏହି ଅଘୋଷିତ ମେଂଟକୁ ଠିକ୍ ଭାବେ ଚିହ୍ନି ସାରିଲେଣି।

- Advertisement -

ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ନିର୍ବାଚନୀ ସଭାରେ ଅବ୍କି ବାର ୪୦୦ ପାର ନାରା ଦେଉଛନ୍ତି। ହେଲେ ଏହି ସଂଖ୍ୟା ସେ କେମିତି ଆକଳନ କରୁଛନ୍ତି ବୋଲି ଶ୍ରୀ ଖଡଗେ ପ୍ରଶ୍ନ କରିଛନ୍ତି। ବର୍ତମାନ ତାମିଲନାଡୁ ଓ କେରଳରେ ବିଜେପି ନଥିବାବେଳେ କର୍ଣ୍ଣାଟକ, ମହାରାଷ୍ଟ୍ରରେ ଅଧା ଆସନ ପାଇବ। ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରେ ମଧ୍ୟ ବିଜେପି ନାହିଁ। ଏସବୁ ସତ୍ୱେ ୪୦୦ ପାରର ଏକ ମିଛ ନାରା ଦେଇ ନରେନ୍ଦ୍ର ମୋଦି ଭୋଟରଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି। ଗତ ନିର୍ବାଚନବେଳେ ମଧ୍ୟ ମୋଦି କଳାଧନ ଫେରାଇ ଆଣିବା, ପ୍ରତ୍ୟେକ ଲୋକଙ୍କ ଆକାଉଂଟକୁ ୧୫ଲକ୍ଷ ଟଙ୍କା ପ୍ରଦାନ, ୨ କୋଟି ଚାକିରି, କୃଷକଙ୍କ ରୋଜଗାର ଦୁଇଗୁଣା କରିବା ଆଦି ଅନେକ କଥା କହିଥିଲେ। ହେଲେ ଦେଶବାସୀଙ୍କୁ ମିଳିଲା କ’ଣ। ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ, ଖାଇବା ତେଲଠାରୁ ଆରମ୍ଭ କରି ଔଷଧ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ଆକାଶ ଛୁଅାଁ ହେଲା। ନୋଟ୍ ବନ୍ଦୀ କରି ଲୋକମାନଙ୍କୁ ହଇରାଣ କରାଗଲା। ଅଥଚ ଆଦାନୀ, ଅମ୍ବାନୀଙ୍କ ଟଙ୍କା ବଢ଼ିଲା। ତେଣୁ ଚଳିତ ନିର୍ବାଚନରେ ମୋଦି ସରକାରଙ୍କ ବିରୋଧରେ ଦେଶର ଜନସାଧାରଣ ଲଢ଼େଇ କରୁଛନ୍ତି। କଂଗ୍ରେସ ପ୍ରତି ସେମାନଙ୍କ ବିଶ୍ୱାସ ଆହୁରି ଦୃଢ଼ ହୋଇଛି। ଫଳରେ ଏଥର ଇଣ୍ଡିଆ ମେଂଟ ବହୁମତ ହାସଲ କରିବା ସହ ଦେଶରେ ସରକାର ଗଢ଼ିବ ବୋଲି ଶ୍ରୀ ଖଡଗେ କହିଛନ୍ତି।

ଦେଶରେ ଏକତା ବଜାୟ ରଖିବା ସହ ସମ୍ବିଧାନର ସୁରକ୍ଷା ପାଇଁ କଂଗ୍ରେସ ଲଢ଼େଇ କରୁଛି। ଅତିତରେ କଂଗ୍ରେସ ସରକାର ଖାଦ୍ୟ ସୁରକ୍ଷା ଆଇନ୍, ନରେଗା, ଶିକ୍ଷା ଅଧିକାର, ସୂଚନା ଅଧିକାର ଆଇନ୍ ଭଳି ଯୁଗାନ୍ତକାରୀ ଆଇନ୍ ଆଣିଥିଲା। ଓଡ଼ିଶା ସମେତ ସମଗ୍ର ଦେଶରେ ବହୁ ସରକାରୀ ଉଦ୍ୟୋଗ, ଶିଳ୍ପ ପ୍ରତିଷ୍ଠାନ ପ୍ରତିଷ୍ଠା କରିଥିଲା। ଏଥର ମଧ୍ୟ କଂଗ୍ରେସ ୫ ନ୍ୟାୟ ୨୫ ଗ୍ୟାରେଂଟିକୁ ନେଇ ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରିଛି। ଏଥିରେ ନାରୀ ନ୍ୟାୟ, ଯୁବା ନ୍ୟାୟ, କୃଷକ ନ୍ୟାୟ, ଶ୍ରମିକ ନ୍ୟାୟ ଓ ଭାଗିଦାରୀ ନ୍ୟାୟକୁ ଗୁରୁତ୍ୱ ଦିଆଯାଇଛି। କଂଗ୍ରେସ କ୍ଷମତାକୁ ଆସିଲେ ଗରିବ ପରିବାରର ମହିଳା ମୁଖ୍ୟଙ୍କୁ ବାର୍ଷିକ ୧ଲକ୍ଷ ଟଙ୍କା ପ୍ରଦାନ ସହ ୫୦୦ ଟଙ୍କାରେ ଗ୍ୟାସ୍ ସିଲିଣ୍ଡର ଯୋଗାଇଦେବ। ସ୍ନାତକ ଓ ଡିପ୍ଲମାଧାରୀ ଯୁବବର୍ଗଙ୍କୁ ପ୍ରଥମେ ଚାକିରି ପକ୍କା କରିବା, ବେକାରୀ ଭତା ପ୍ରଦାନ କରିବାକୁ କଂଗ୍ରେସ ଗୁରୁତ୍ୱ ଦେଉଛି। ସବୁଠାରୁ ବଡ଼ କଥା ହେଲା ଜାତି ଜନଗଣନା। ଓଡ଼ିଶାରେ ଏସ୍ସି, ଏସ୍ଟି, ଆଦିବାସୀ ଓ ଅନ୍ୟାନ୍ୟ ପଛୁଆବର୍ଗର ଲୋକସଂଖ୍ୟା ୯୦ପ୍ରତିଶତରୁ ଅଧିକ ହୋଇଥିଲେ ମଧ୍ୟ ସେମାନେ ଅବହେଳିତ ହୋଇଅଛନ୍ତି। କଂଗ୍ରେସ କ୍ଷମତାକୁ ଆସିଲେ ସେମାନଙ୍କୁ ନ୍ୟାୟ ଓ ଅଧିକାର ପ୍ରଦାନ କରିବ। ତେଣୁ ଓଡ଼ିଶାବାସୀ ଚଳିତ ନିର୍ବାଚନରେ କଂଗ୍ରେସକୁ ଉଭୟ ଲୋକସଭା ଓ ବିଧାନସଭା ଆସନରେ ବିଜୟୀ ହେବାକୁ ସହଯୋଗ କରିବା ପାଇଁ ଶ୍ରୀ ଖଡଗେ ଅନୁରୋଧ କରିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ତେଲେଙ୍ଗାନାର ଉପ ମୁଖ୍ୟମନ୍ତ୍ରୀ ମାଲୁଭାଟି ବିକ୍ରମାର୍କା, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପିସିସି ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ଅଧ୍ୟକ୍ଷ ଡ. ବିଶ୍ୱରଞ୍ଜନ ମହାନ୍ତି, ଏଆଇସିସି ସମ୍ପାଦକ ପ୍ରଣବ ଝା, ଶିବାନନ୍ଦ ରାୟ, ଏଆଇସିସି ମିଡିଆ ସଂଯୋଜକ ପ୍ରଭାତ କୁମାର ଓ ରିତୁ ଚୌଧୁରୀ, ଭୁବନେଶ୍ୱର ଲୋକସଭା ସାଂସଦ ପ୍ରାର୍ଥୀ ୟାସିର ନୱାଜ, ପ୍ରକାଶ ଜେନା, ରାଜ୍ୟ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

 

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories