www.samajalive.in
Saturday, December 13, 2025
21.1 C
Bhubaneswar

ଏବେ ବି ୭ ଜିଲା ମେଲେରିଆ ପ୍ରବଣ

ଭୁବନେଶ୍ବର: ଜାତୀୟ ହାର ତୁଳନାରେ ଓଡ଼ିଶାରେ ମେଲେରିଆ ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଛି। ୨୦୧୪ ରୁ ୨୦୨୩ ମଧ୍ୟରେ ୧୦ ବର୍ଷରେ ପ୍ରାୟ ୯୫ ପ୍ରତିଶତ ମେଲେରିଆ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଛି। ସେହିପରି ମେଲେରିଆ ଜନିତ ମୃତ୍ୟୁସଂଖ୍ୟା ହ୍ରାସ ପାଇ ୮୬ ପ୍ରତିଶତରେ ରହିଛି। ଏହି ସମୟ ମଧ୍ୟରେ ମେଲେରିଆରେ ଆକ୍ରାନ୍ତ ୩୧୩ ଜଣଙ୍କ ମୃତ୍ୟୁ ହୋଇଛି। ଏହି ସମୟ ମଧ୍ୟରେ ରାଜ୍ୟରେ ୭,୦୧,୦୪,୨୧୪ ଜଣଙ୍କ ପରୀକ୍ଷା କରାଯାଇଥିବାବେଳେ ୧୮,୬୩,୪୦୮ ଜଣ ମେଲେରିଆରେ ଆକ୍ରାନ୍ତ ହୋଇଛନ୍ତି। ୨୦୧୮ରୁ ମେଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିବାବେଳେ ମୃତ୍ୟୁ ସଂଖ୍ୟାରେ ମଧ୍ୟ ଅଙ୍କୁଶ ଲାଗିପାରିଛି।

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ୨୦୩୦ ସୁଦ୍ଧା ମେଲେରିଆ ମୁକ୍ତ କରିବାକୁ ଲକ୍ଷ୍ୟ ରଖିଥିବାବେଳେ ସେହି ଆଧାରରେ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଛି। ସେହିପରି ୨୦୨୭ ସୁଦ୍ଧା ମେଲେରିଆ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ରାଜ୍ୟକୁ ମେଲେରିଆ ମୁକ୍ତ କରିବା ପାଇଁ ଏବେ ଅଧିକ ପରୀକ୍ଷଣକୁ ଗୁରୁତ୍ବ ଦିଆଯାଉଛି। ଏହାଦ୍ବାରା ଅଧିକ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଲେ ତାଙ୍କର ଚିକିତ୍ସା ହୋଇ ପାରିବ ଏବଂ ସମ୍ପୃକ୍ତ ଅଞ୍ଚଳ ମେଲେରିଆ ମୁକ୍ତ ହୋଇପାରିବ।

- Advertisement -

ଏହାସତ୍ତ୍ବେ ରାଜ୍ୟରେ ୭ ଜିଲା ରାୟଗଡ଼ା, କଳାହାଣ୍ଡି, କୋରାପୁଟ, କନ୍ଧମାଳ, ଗଜପତି, ବୌଦ୍ଧ ଏବଂ ମାଲକାନଗିରି ସର୍ବାଧିକ ମେଲେରିଆପ୍ରବଣ ଭାବେ ଶୀର୍ଷରେ ରହିଛି। ସ୍ଥିତିରେ ସୁଧାର ଆଣିବା ପାଇଁ ତୃଣମୂଳସ୍ତରରୁ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଆଶାକର୍ମୀ ସଚେତନତା କରିବା ସହିତ ଔଷଧ ପ୍ରଦାନ କରୁଛନ୍ତି।

ପ୍ରାୟ ୪୮ ହଜାରୁ ଅଧିକ ଆଶାକର୍ମୀ ଘରକୁ ଘର ବୁଲି ସଚେତନ କରିବା ସହିତ ନିଧି ମଉସା ରଥ ମଧ୍ୟ ଏଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ସେହିପରି ଲୋକକଳା ମାଧ୍ୟମରେ ମଧ୍ୟ ବିଭିନ୍ନ ଅଞ୍ଚଳରେ ସଚେତନତା ଜାରି ରହିଛି। ଦୁର୍ଗମ ଅଞ୍ଚଳରେ ଦମନ କାର୍ଯ୍ୟକ୍ରମ ଜାରି ରହିଛି। ୨୦୧୭ରେ ଦମନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏପର୍ଯ୍ୟନ୍ତ ୨୦୨୩ ସୁଦ୍ଧା ୩୦,୬୭୮ ଦମନ ଶିବିର ହୋଇଥିବାବେଳେ ଏହା ଜରିଆରେ ୧,୪୨,୩୧୭ ମେଲେରିଆ ରୋଗୀ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ୨୦୨୪-୨୫ ବର୍ଷ ପାଇଁ ଦେଢ କୋଟି ଔଷଧୀୟ ମଶାରି ଦେବା ନିମନ୍ତେ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଶୀତ, କମ୍ପ ସହିତ ଜ୍ବର ହେବା, ବାତ ମାରିବା, ବାନ୍ତି ହେବା ସାଙ୍ଗକୁ ମୁଣ୍ଡ ବିନ୍ଧିବା ଏସବୁ ମେଲେରିଆର ଲକ୍ଷଣ। ଏଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରି ମେଲେରିଆ ପରୀକ୍ଷା କରାଇ ନେବା ଉଚିତ୍‌ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନ କରାଯାଇଛି। ଉଚିତ୍‌ ସମୟରେ ଓ ସଠିକ୍‌ ଭାବେ ମେଲେରିଆ ରୋଗୀଙ୍କର ଚିକିତ୍ସା କରାନଗଲେ ରୋଗୀର ମସ୍ତିଷ୍କ, କିଡନୀ, ଯକୃତ ତଥା ଅନ୍ୟାନ୍ୟ ମୁଖ୍ୟ ଅଙ୍ଗ ଉପରେ କୁପ୍ରଭାବ ପକାଇଥାଏ।

ସେହିପରି ଗର୍ଭାବସ୍ଥାରେ ମେଲେରିଆର ଠିକ୍‌ ଚିକିତ୍ସା କରାନଗଲେ ଗର୍ଭପାତ ହେବା ସହିତ ମୃତ ପିଲା ଜନ୍ମ ଓ ପ୍ରସବ ଆଗରୁ ଜନ୍ମ ହେବା ସମସ୍ୟା ଦେଖାଦେଇଥାଏ। ତେଣୁ ମେଲେରିଆ ନିରାକରଣ ନେଇ ସ୍ବାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ କରିଛି। ସଚେତନତା ସାଙ୍ଗକୁ ମାଗଣା ଔଷଧ ଓ ମଶାରି ବଣ୍ଟନ କାର୍ଯ୍ୟ ଜାରି ରହିଛି।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories