www.samajalive.in
Saturday, December 13, 2025
18.1 C
Bhubaneswar

ଭୂତଳ ଜଳ ଲୁଟୁଛନ୍ତି ଖଣି ଓ ଶିଳ୍ପାନୁଷ୍ଠାନ, ଜିଲାବ୍ୟାପୀ ଉତ୍କଟ ପାନୀୟଜଳ ସମସ୍ୟା

କେନ୍ଦୁଝରଗଡ଼: ଖଣି ଓ ଶିଳ୍ପ ନାମରେ ବ୍ୟାପକ ଜଙ୍ଗଲ ନଷ୍ଟ ଯୋଗୁଁ ଜଙ୍ଗଲ ସମ୍ପଦରେ ଭରପୁର କେନ୍ଦୁଝର ବାୟୁମଣ୍ଡଳରେ ପରିବର୍ତ୍ତନ ସହ ବର୍ଷା ପରିମାଣ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଏଥିସହ ଜିଲାରେ କାର୍ଯ୍ୟକ୍ଷମ ଖଣି ଓ ଶିଳ୍ପାନୁଷ୍ଠାନ ସେମାନଙ୍କ ଆବଶ୍ୟକତା ପାଇଁ ଗଭୀର ନଳକୂପ ଖନନ ଦ୍ୱାରା ଜିଲାର ଭୂତଳଜଳସ୍ତର ମଧ୍ୟ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଗୋଟିଏପଟେ ଭୂତଳଜଳ ବ୍ୟବହାର ଯୋଗୁଁ ଜିଲାର ଜଳସ୍ତର ହ୍ରାସପାଇ ପ୍ରାୟ ୧ହଜାର ଫୁଟତଳକୁ ଖସି ପଡ଼ିଥିବା ବେଳେ ସରକାରୀସ୍ତରରେ ସର୍ବାଧିକ ୨ଶହରୁ ୩ଶହ ଫୁଟ ପର୍ଯ୍ୟନ୍ତ ନଳକୂପ ଖୋଳାଯାଉଥିବାରୁ ପାଣି ନବାହାରିବା ହିତାଧିକାରୀଙ୍କୁ ନିରାଶ କରିଛି। ଅନ୍ୟପକ୍ଷରେ ଜିଲାର କୃଷି ଉପରେ ନିର୍ଭରଶୀଳ ପ୍ରମୁଖ ବୈତରଣୀ ନଦୀର ଜଳ ଉତ୍ସକୁ ପାଇପଲାଇନ ଯୋଗେ ଲୁହାଗୁଣ୍ଡ ପରିବହନ ଏବଂ କେତେକ ଶିଳ୍ପାନୁଷ୍ଠାନକୁ ବ୍ୟବହାର ଅନୁମତି ଫଳରେ ଜିଲାବ୍ୟାପୀ ଜଳ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି।

ଜିଲାବ୍ୟାପୀ ଦେଖାଦେଇଥିବା ଉତ୍କଟ ଜଳ ସମସ୍ୟାର ସମାଧାନ ନିମନ୍ତେ କେନ୍ଦୁଝର ଜିଲାର ବିଭିନ୍ନ ସଙ୍ଗଠନ ଓ ବୁଦ୍ଧିଜୀବୀ ପକ୍ଷରୁ ବିଭିନ୍ନ ସମୟରେ ସରକାର ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇ ଆସୁଥିଲେ ହେଁ ଆଜିପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରି ନଥିବାରୁ ଆଗାମୀ ଦିନରେ ପାନୀୟଜଳ ସମସ୍ୟା ଜିଲାରେ ଏକ ଗଣ ଆନ୍ଦୋଳନର ରୂପ ନେବା ଆଶଙ୍କାକୁ ଏଡାଇ ଦିଆଯାଇନପାରେ। ଜିଲାର ଭୂତଳ ଜଳସ୍ତର ହ୍ରାସ ନେଇ ଉଦ୍‌‌ବେଗ ପ୍ରକାଶ ପାଇଆସୁଥିବା ବେଳେ ଶିଳ୍ପସଂସ୍ଥା ସମୂହ ସେମାନଙ୍କ ବ୍ୟବହାର ପାଇଁ ବନ୍ଧ ଗଠନ ମାଧ୍ୟମରେ ବର୍ଷାଜଳକୁ ସଂରକ୍ଷଣ କରି ବ୍ୟବହାର କରାଯିବା ଉପରେ ବାରମ୍ବାର ଗୁରୁତ୍ୱାରୋପ କରାଯାଇଆସୁଛି। ଏତଦ୍‌‌ବ୍ୟତୀତ ଜିଲାର ପ୍ରମୁଖ ସ୍ଥାନମାନଙ୍କୁ ଚିହ୍ନଟ କରି ଚେକ୍‌‌ଡ୍ୟାମ୍‌‌ ନିର୍ମାଣ କରାଯାଇ ବର୍ଷାଜଳକୁ ସଂରକ୍ଷଣ କରାଯିବା ଦାବି କେବଳ ପ୍ରସ୍ତାବରେ ସୀମିତ ରହିଯାଇଛି। ନିର୍ମାଣାଧିନ କାନପୁର ଜଳସେଚନ ପ୍ରକଳ୍ପ କାର୍ଯ୍ୟରେ ମନ୍ଥରତା ଜିଲା ଚାଷୀଙ୍କୁ ନିରାଶ କରିଛି। ଆଜକୁ ୫୬ବର୍ଷ ତଳେ କେନ୍ଦୁଝର ସହରର ମାତ୍ର ୧୬ହଜାର ଲୋକଙ୍କ ପାଇଁ ସ୍ଥାନୀୟ ମାଛକାନ୍ଦଣା ନଦୀ ଜଳକୁ ବଡ଼ଘାଗରାଠାରେ ବନ୍ଧ ନିର୍ମାଣ କରାଯାଇ ଜୁଡିଆଠାରେ ସଂରକ୍ଷଣ ପରେ ବିଶୋଧନ କରାଯାଇ ସହରବାସୀଙ୍କୁ ପାନୀୟଜଳ ଯୋଗାଣ ଏବେ ସହରର ଲକ୍ଷାଧିକ ଲୋକଙ୍କ ଆବଶ୍ୟକତା ପୂରଣ କରିନପାରିବା ସହରବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। କେନ୍ଦୁଝର ସହରରେ ବର୍ଷତମାମ ଲାଗି ରହିଥିବା ପାନୀୟଜଳ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ୧୨କି.ମି.ଦୂର ଗୋପାଳପୁରସ୍ଥିତ କାଣିଝରୀ ନଦୀରୁ ଜଳଅମଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାପରେ ମଧ୍ୟ ଏହା ସହରବାସୀଙ୍କ ଆବଶ୍ୟକତାକୁ ପୂରଣ କରିବାରେ ବିଫଳ ହୋଇଛି। ସେହିଭଳି ଜିଲା ଖଣିଜ ପାଣ୍ଠିରୁ ଅର୍ଥ ବ୍ୟୟବରାଦ କରାଯାଇ ପାଇପଯୋଗେ ଜିଲାର ପ୍ରତି ଘରକୁ ପାନୀୟଜଳ ଯୋଗାଣ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇନପାରିବା ବାସ୍ତବପକ୍ଷେ ଜିଲାବାସୀଙ୍କୁ ଟୋପାଏ ବିଶୁଦ୍ଧ ପାନୀୟଜଳ କେବେ ମିଳିବ ସେ ନେଇ ଜିଲାବାସୀ ଅନ୍ଧାରରେ ଥିବା ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର କ୍ଷୋଭର ସହ ଏହା କହିଛନ୍ତି। କେନ୍ଦ୍ର ଓ ରାଜ୍ୟ ରାଜକୋଷକୁ ସର୍ବାଧିକ ରାଜସ୍ୱ ଦେଇ ଆସୁଥିବା କେନ୍ଦୁଝର ଜିଲା ପ୍ରତି ସରକାର ଓ ଜିଲା ପ୍ରଶାସନ ସର୍ବଦା ବୈମାତୃକ ମନୋଭାବ ପୋଷଣ ସହ ଜିଲାବାସୀଙ୍କ ମୌଳିକ ସମସ୍ୟାର ସ୍ୱରକୁ କଣ୍ଠରୋଧ କରାଯିବା ଭଳି ଘଟଣାକୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି ଶ୍ରୀ ମିଶ୍ର ଚେତାବନୀ ଦେଇଛନ୍ତି। ତେଣୁ ବେଳ ଥାଉଁଥାଉଁ ଯଦି ସରକାର ଜିଲାରୁ ପାନୀୟଜଳ ଭଳି ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ଦିଗରେ ଉଚିତ ପଦକ୍ଷେପ ଗ୍ରହଣ ନକରନ୍ତି ତାହାହେଲେ ଟୋପାଏ ପାଣି ପାଇଁ ଜିଲାବ୍ୟାପୀ ପୁଣିଥରେ ଗଣଆନ୍ଦୋଳନ ମୁଣ୍ଡ ଟେକିବ ଏଥିରେ ସନ୍ଦେହ ନାହିଁ ବୋଲି ଶ୍ରୀ ମିଶ୍ର ଚେତାଇ ଦେଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories