ଇଂ ଆଶିଷ ମାହାଣାଙ୍କ ସ୍ମାର୍ଟ ସେନ୍ସର ଷ୍ଟିକ୍ ଓ ମଲ୍ଟି ସେନ୍ସର ଡିଭାଇସ୍କୁ ସରକାରୀ ସ୍ବୀକୃତି ପାଇଁ ସୁପାରିଶ
ରେଙ୍ଗାଲି: ଦୃଷ୍ଟିବାଧିତ ଲୋକେ ଦୈନନ୍ଦିନ ଜୀବନ ଯାପନ ତଥା ଦିନଚର୍ଯ୍ୟାରେ ଅନ୍ୟ ଉପରେ ନିର୍ଭର ହୋଇ ବିଷମ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ତେବେ ଦୃଷ୍ଟିବାଧିତଙ୍କ ଏହି ସମସ୍ୟାର ସମାଧାନ ପାଇଁ ହିଣ୍ଡାଲକୋ କମ୍ପାନୀରେ ଇଞ୍ଜିନିୟର ଥିବା ସମ୍ବଲପୁର ଜିଲା ରେଙ୍ଗାଲି ନିକଟସ୍ଥ ରମ୍ପେଲାକେମ୍ପ ଗ୍ରାମର ଯୁବ ଇଞ୍ଜିନିୟର ଆଶିଷ ମାହାଣା ସେନ୍ସର୍ ଷ୍ଟିକ୍ ଏବଂ ମଲ୍ଟି ସେନ୍ସର୍ ହେଣ୍ଡି ଡିଭାଇସ୍ ତିଆରି କରି ଚର୍ଚ୍ଚିତ ହୋଇଛନ୍ତି। ଦୃଷ୍ଟିବାଧିତଙ୍କ ପାଇଁ ଏହା ଖୁସି ଖବର ଏବଂ ବରଦାନ ସଦୃଶ ହେବ ବୋଲି ଇଂ ମାହାଣା ଆଶାବ୍ୟକ୍ତ କରିଛନ୍ତି। ଏ ସଂକ୍ରାନ୍ତରେ ମାର୍ଚ୍ଚ ୧୯ ତାରିଖ ଦିନ ଦୈନିକ ଖବରକାଗଜ ‘ସମାଜ’ରେ ‘ଦୃଷ୍ଟି ବାଧିତଙ୍କ ପାଇଁ ଖୁସି ଖବର…ସ୍ମାର୍ଟ ସେନ୍ସର୍ ଷ୍ଟିକ୍ ଓ ମଲ୍ଟି ସେନ୍ସର୍ ଡିଭାଇସ୍ ତିଆରି କଲେ ଇଂ ଆଶିଷ’ ଶୀର୍ଷକ ଖବର ପ୍ରକାଶିତ ହୋଇଥିଲା। ଏହାପରେ ରାଜ୍ୟ ଭିନ୍ନକ୍ଷମ କମିଶନର ଓ ଜିଲାପାଳଙ୍କ ନିର୍ଦ୍ଦେଶରେ ମାର୍ଚ୍ଚ ୩୦ ତାରିଖ ଦିନ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ତ୍ରିନାଥ ମହାନନ୍ଦ ଇଂ ମାହାଣାଙ୍କ ଘରକୁ ତଦନ୍ତରେ ଆସି ସେ ତିଆରି କରିଥିବା ସ୍ମାର୍ଟ ସେନ୍ସର୍ ଷ୍ଟିକ୍ ଓ ମଲ୍ଟି ସେନ୍ସର୍ ଡିଭାଇସ୍ ପରୀକ୍ଷା ନୀରିକ୍ଷା କରିବା ପରେ ଏହି ଉପକରଣ ଦୃଷ୍ଟିବାଧିତଙ୍କ ଦୈନନ୍ଦିନ ଜୀବନ ପାଇଁ ଅତି ଉପକାରୀ ଓ ସହାୟକ ବୋଲି ଶ୍ରୀ ମହାନନ୍ଦ ମତବ୍ୟକ୍ତ କରି ଆଧୁନିକ ବୈଷୟିକ ଉପକରଣ ଓ ଗୁଣବତ୍ତା ଥିବା ଏହି ଉପକରଣକୁ ସରକାର ଗ୍ରହଣ କରି ସ୍ବୀକୃତୀ ପ୍ରଦାନ କରିବାକୁ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଚିଠି ନଂ ୬୬୦/ଏସ୍ ଏସ୍/ଏସ୍ ସିପିଡି/ତା.୨।୪।୨୦୨୪ ମାଧ୍ୟମରେ ରାଜ୍ୟ ଭିନ୍ନକ୍ଷମ କମିଶନରଙ୍କୁ ପତ୍ର ମାଧ୍ୟମରେ ସୁପାରିଶ କରିଛନ୍ତି।
ସୂଚିତ ଯେ, ଇଂ ମାହାଣା ତିଆରି କରିଥିବା ସ୍ମାର୍ଟ ଷ୍ଟିକ୍ ରାଡାର୍ ସେନ୍ସର୍ ଏବଂ ଜିପିଆରଏସ ଯୁକ୍ତ। ଦୃଷ୍ଟିବାଧିତ ବ୍ୟକ୍ତି ଚଳପ୍ରଚଳ ସମୟରେ କୌଣସି ପ୍ରକାର ବାଧା ବିଘ୍ନ ଥିଲେ ୫ଫୁଟ ଦୂରତା ଆଗରୁ ମ୍ୟୁଜିକ୍ କିମ୍ବା ଭାଇବ୍ରେସନ୍ ଜରିଆରେ ଆଲାର୍ମ୍ ଦେଇ ସତର୍କ ସୂଚନା ଦେବାର ବ୍ୟବସ୍ଥା ରହିଛି। ଷ୍ଟିକ୍ରେ ଜିପିଆରଏସ୍ ଲାଗିଥିବାରୁ ଦୃଷ୍ଟିବାଧିତ ବ୍ୟକ୍ତି ବାଟବଣା କି ନିଖୋଜ ହୋଇଗଲେ ତାଙ୍କୁ ଠାବ କରିବାରେ ସହଜ ହେବ। ଷ୍ଟିକ୍ ଅଲଟ୍ରା ସେନ୍ସର୍ ଯୁକ୍ତ ଅଟେ। ୩ହଜାର ଟଙ୍କାରେ ଏହା ଉପଲବ୍ଧ ହୋଇପାରିବ। ଏହାବ୍ୟତୀତ ଇଂ ମାହାଣା ତିଆରି କରିଥିବା ମଲ୍ଟି ସେନ୍ସର୍ ହେଣ୍ଡି ଡିଭାଇସରେ ୫ଟି ସେନ୍ସର୍ ରହିଛି। ନିଆଁ, ବିଦ୍ୟୁତ, ସମ୍ପର୍କରେ ସତର୍କ ସୂଚନା ପାଇଁ ଆଲର୍ଟ ରହିବାକୁ ସତର୍କ ସୂଚନା ଦେବା ସହିତ ଧାତୁ ଚିହ୍ନଟ କରିବା ଓ ମାଟିର ଆଦ୍ରତା ଜାଣିବା ଏବଂ କୌଣସି ବାଧା ବିଘ୍ନ ବିପଦ ସଂକ୍ରାନ୍ତରେ ଆଗୁଆ ସତର୍କ କରିବାର କାରିଗରି କୌଶଳ ନିହିତ ହୋଇଥିବାରୁ ଦୃଷ୍ଟିବାଧିତଙ୍କୁ ଦୈନନ୍ଦିନ ଜୀବନଯାପନ ଚଳ ପ୍ରଚଳରେ ଅନ୍ୟ ଉପରେ ନିର୍ଭରଶୀଳ ନହୋଇ ଆତ୍ମ ନିର୍ଭରଶୀଳ ହେବାରେ ଏହା ସହାୟକ ହୋଇପାରିବ । ଷ୍ଟିକ୍ରେ ଏବଂ ମଲ୍ଟି ସେନ୍ସର୍ ଡିଭାଇସ୍ରେ ଚାର୍ଜେବଲ୍ ବ୍ୟାଟେରୀ ଲାଗିଛି। ଡିଭାଇସ ମଧ୍ୟ ୩ହଜାର ଟଙ୍କାରେ ଉପଲବ୍ଧ ହୋଇପାରିବ ବୋଲି ଇଂ ମାହାଣା କହିଛନ୍ତି।
ଇଂ ମାହାଣା ତିଆରି କରିଥିବା ସ୍ମାର୍ଟ ଷ୍ଟିକ୍ ଓ ମଲ୍ଟି ସେନ୍ସର୍ ଡିଭାଇସକୁ ଗତ ମାର୍ଚ୍ଚ ୧୬ ତାରିଖ ଦିନ ରାଜଗାଙ୍ଗପୁରଠାରେ ଡଃ ନିଳାଞ୍ଚଳ ସାହୁ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜଗାଙ୍ଗପୁର ଏସଡିପିଓ ଲୋକାର୍ପିତ କରିଥିଲେ। ଏହା ପୂର୍ବରୁ ଇଂ ମାହାଣା କୋଭିଡ୍ ସମୟରେ ତିଆରି କରିଥିବା ରୋବଟିକ୍ ନର୍ସ ଚର୍ଚ୍ଚାର ପ୍ରସଙ୍ଗ ହୋଇଥିବା ବେଳେ ତା’ପୂର୍ବରୁ ଟେମ୍ପରିଂ ପ୍ରୁଫ୍ ଭୋଟିଂ ମେସିନ୍, ସ୍ମାର୍ଟ ହେଲମେଟ୍, ସ୍ମାର୍ଟ ଗମଲା, ଭିକ୍ଟିମ୍ ଲୋକେସନ୍ ଡିଟେକ୍ସନ୍ କ୍ୟାମେରା ଭଲି ଆଧୁନିକ ବୈଷୟିକ ଗୁଣବତ୍ତା ସମ୍ପନ୍ନ ଉପକରଣ ତିଆରି ଚର୍ଚ୍ଚାରେ ରହିଆସିଛନ୍ତି। ଜନହିତ ପାଇଁ ଇଂ ମାହାଣା ତାଙ୍କର ଗବେଷଣା ଜାରି ରଖିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କ ସାଧନାକୁ ସରକାରୀ ସ୍ବୀକୃତି ମିଳିନାହିଁ ତେବେ ଏବେ ତିଆରି କରି ଥିବା ସ୍ମାର୍ଟ ସେନ୍ସର୍ ଷ୍ଟିକ୍ ଓ ମଲ୍ଟି ସେନ୍ସର୍ ଡିଭାଇସକୁ ସରକାର ଗ୍ରହଣ କରି ସ୍ବୀକୃତି ପ୍ରଦାନ ପାଇଁ ସୁପାରିସ କରାଯାଇ ଥିବାରୁ ଏହି ଖବର ମୋତେ ଖୁବ୍ ଉତ୍ସାହିତ କରିଛି ବୋଲି ଇଂ ମାହାଣା ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ସମାଜର ହିତ ପାଇଁ ମୁଁ ତିଆରି କରିଥିବା ଉପକରଣ ବ୍ୟବହାର ହୋଇପାରିଲେ ଯାଇ ମୋର ଦୀର୍ଘ ଦିନର ସାଧନା ସାର୍ଥକ ହେବ ବୋଲି ସେ କହିଛନ୍ତି।
Comments are closed.