ନବରଙ୍ଗପୁର: ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧିନ ଥିବା ଜଣେ ରୋଗୀଙ୍କୁ ରକ୍ତଦାନ କରିଛନ୍ତି ଭେଷଜ ବିଶେଷଜ୍ଞ ଡାକ୍ତର। ସେ ରୋଗୀଙ୍କର ଜୀବନ ବଞ୍ଚାଇବା ସହ ଅନ୍ୟପାଇଁ ସାଜିଲେ ଉଦାହରଣ। ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଭେଷଜ ବିଶେଷଜ୍ଞ ଡାକ୍ତର ମନମୋହନ ବିଷୋୟୀଙ୍କୁ ସୁନାମ ରହିଛି। ସେ ଏକ ଦକ୍ଷ ଡାକ୍ତର ଭାବରେ ସମଗ୍ର ଜିଲାରେ ପରିଚିତ।
ଡାକ୍ତର ବିଷୋୟୀ ରୋଗୀ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସହ ତାଙ୍କର କର୍ତ୍ତବ୍ୟନିଷ୍ଠା ପାଇଁ ସେ ସୁପରିଚିତ। ଡାକ୍ତର ଭାବରେ ସେ ସମସ୍ତଙ୍କ ପ୍ରିୟ , କିନ୍ତୁ ଆଜି ଏକ ରୋଗୀଙ୍କୁ ରକ୍ତଦାନ କରି ସେ ନିଜର ପ୍ରକୃତ ମଣିଷପଣିଆର ପରିଚୟ ଦେଇଛନ୍ତି। ଆଜି ଏକ ପରିବାର ବର୍ଗ ଅସହାୟ ହୋଇ ରକ୍ତ ଯୋଗାଡ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ତାଙ୍କ ପାଇଁ ଦେବଦୂତ ସାଜିଥିଲେ ଡାକ୍ତର ବିଷୋୟୀ। ସେ ନିଜେ ରକ୍ତଦାନ କରି ରୋଗୀଙ୍କ ଜୀବନ ବଞ୍ଚାଇବାରେ ସେ ସହାୟକ ହୋଇଥିଲେ। ଏହି ମହତକାର୍ଯ୍ୟ ପାଇଁ ବିଭିନ୍ନ ମହଲରେ ତାଙ୍କୁ ଶୁଭେଛା ଜଣା ଯାଇଛି।



