www.samajalive.in
Monday, December 8, 2025
27.1 C
Bhubaneswar

ରାଫେଲ ଆଶ୍ବାସନା

ରାଫେଲ ଯୁଦ୍ଧ ବିମାନ କ୍ରୟ ଘଟଣାରେ ଲାଞ୍ଚ ଓ ଦୁର୍ନୀତିର ଯେଉଁ ସଂଶୟ ସୃଷ୍ଟି ହୋଇଥିଲା ସର୍ବୋଚ୍ଚ ଅଦାଲତଙ୍କ ରାୟ ଫଳରେ ତାହା ଆପାତତଃ ଦୂର ହୋଇଛି। ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କ ନେତୃତ୍ବରେ ଗଠିତ ପୀଠ ପ୍ରତିରକ୍ଷା ଓ ରାଜନୀତି ଦୃଷ୍ଟିରୁ ଅତ୍ୟନ୍ତ ସମ୍ବେଦନଶୀଳ ଏ ସଂକ୍ରାନ୍ତ ମାମଲାକୁ ଅଗ୍ରାହ୍ୟ କରିଦେବା ଫଳରେ ମୋଦୀ ସରକାରଙ୍କୁ ଆଶ୍ବସ୍ତି ମିଳିଛି। ସର୍ବୋଚ୍ଚ ଅଦାଲତ ଏହି ପ୍ରସଙ୍ଗରେ କେବଳ ସରକାରଙ୍କୁ ଦୋଷମୁକ୍ତ କରିନାହାନ୍ତି, ବରଂ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ନିଜର ମତାମତ ଓ ନିଷ୍ପତ୍ତି ସ୍ପଷ୍ଟ କରିଦେଇଛନ୍ତି।
ବୋଫର୍ସ କମାଣ କାରବାର ପରେ ରାଫେଲ ବିମାନ କ୍ରୟକୁ ସବୁଠୁ ବଡ଼ ଦୁର୍ନୀତି ପ୍ରସଙ୍ଗ କରିବା ପାଇଁ କଂଗ୍ରେସ ସହ କିଛି ବିରୋଧୀଦଳ ଯେଉଁ ପ୍ରୟାସ କରୁଥିଲେ ତାହା ଏକ ପ୍ରକାର ଫସରଫାଟି ଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ। ସଦ୍ୟ ସମାପିତ ବିଧାନସଭା ନିର୍ବାଚନରେ ପରାଜୟର ସମ୍ମୁଖୀନ ହୋଇ ଅନ୍ତର୍ବେଦନାରେ ଥିବା ବିଜେପି ପାଇଁ ଏହା ଏକ ବଡ଼ ଆଶ୍ବାସନା। ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସ କେବଳ ରାଫେଲ ଚୁକ୍ତିରୁ ଦୁର୍ନୀତିର ଖିଅ ଉଣ୍ଡାଳୁ ନଥିଲା, ପୁରୁଣା ସହଯୋଗୀ ସଂଜୟ ସିଂହ, ଅରୁଣ ସୌରୀ ଓ ଯଶୋବନ୍ତ ସିହ୍ନା ପ୍ରମୁଖ ଏଥିରେ ଦୁର୍ନୀତି ନେଇ ସରକାରଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦେଶକରି ରାଜରାସ୍ତାକୁ ଓହ୍ଲାଇଥିଲେ। ବିମାନର ମାନକୁ ବିରୋଧୀ ପ୍ରଶ୍ନ କରୁନଥିବାବେଳେ ଏହାର ମୂଲ୍ୟ ଓ ପାର୍ଟନର ବାଛିବାକୁ ପ୍ରଶ୍ନ କରୁଥିଲେ। ଦୁର୍ନୀତିକୁ ପ୍ରମାଣ କରିବା ପାଇଁ ତଥ୍ୟ ପ୍ରମାଣ ଲୋଡ଼ା। ଏହା ତଥ୍ୟଭିତ୍ତିକ ଓ ପ୍ରମାଣସର୍ବସ୍ବ ହେବା ଚାହିଁ। ଅନୁମାନ ବା ସଂଶୟ/ସନ୍ଦେହ ଭିତ୍ତିରେ ଦୁର୍ନୀତି ଅଭିଯୋଗ ଉଠାଇବା ଏବଂ ଅପରକୁ କାଠଗଡ଼ାକୁ ଟାଣିବା ଯେ ଅନୈତିକତା ଓ ଆଇନବିରୋଧ, ସେ କଥା ସର୍ବୋଚ୍ଚ ଅଦାଲତ ଏହି ପିଟିସନ ଖାରଜ କରିବା ଅବସରରେ ସ୍ପଷ୍ଟ କରିଦେଇଛନ୍ତି। ଏହା ଏ କ୍ଷେତ୍ରରେ ଭବିଷ୍ୟତ ପାଇଁ ଏକ ମାର୍ଗଦର୍ଶିକା ରୂପେ ଅବଶ୍ୟ କାର୍ଯ୍ୟ କରିବ। ରାଫେଲ ବିମାନର ମାନ ନିଃସନ୍ଦେହ ଥିବାରୁ ଏହାର ମୂଲ୍ୟ ନିର୍ଦ୍ଧାରଣ ଏବଂ ନିର୍ମାତା ଅଂଶୀଦାର (ଅଫ୍‌ସେଟ ପାର୍ଟନର) ବାଛିବାରେ ସରକାରଙ୍କ ନିଷ୍ପତ୍ତିରେ ହସ୍ତକ୍ଷେପ କରିବାକୁ ଅଦାଲତ ମନାକରି ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି। ଭାରତରେ ପ୍ରତିରକ୍ଷା ସାମଗ୍ରୀ କ୍ରୟରେ ଦୁର୍ନୀତି ଓ ଲାଞ୍ଚ କାରବାର ନୂଆ କଥା ନୁହେଁ। ପାଣ୍ଠି ସଂଗ୍ରହ ପାଇଁ ସରକାରରେ ଥିବା ଦଳ ଏସବୁ କରିଥାନ୍ତି। ଏହା କେବଳ ​‌େଲାକ ଓ ରାଜନୈତିକ ଦଳଙ୍କ ଧାରଣା ନୁହେଁ; କେତେକ କ୍ଷେତ୍ରରେ ପରୀକ୍ଷିତ ମଧ୍ୟ। ସେହିପରି ରାଫେଲ ଭଳି ପ୍ରତିରକ୍ଷା ପ୍ରସଙ୍ଗରେ ସର୍ବୋଚ୍ଚ ଅଦାଲତ ନିଜର କ୍ଷମତା ପରିସରର ସୀମିତତା କେବଳ ଉଲ୍ଲେଖ କରିନାହାନ୍ତି, ଦେଶର ବିଚାରଧାରାକୁ ଅଗ୍ରାଧିକାର ଦେଇ ଅତ୍ୟାଧୁନିକ ପ୍ରତିରକ୍ଷା ସାମର୍ଥ୍ୟ ଦୃଷ୍ଟିରୁ ସରକାରୀ ଓ ରାଜନୈତିକ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ଏଭଳି ରାୟ ପ୍ରତିରକ୍ଷା କ୍ଷେତ୍ରରେ ଦୁର୍ନୀତି ପାଇଁ ସୁଯୋଗ ସୃଷ୍ଟି କରିପାରେ ଏବଂ ଏହାକୁ ‘ସୁରକ୍ଷିତ ଦୁର୍ନୀତି’ କହିଲେ ଭୁଲ ହେବନାହିଁ। ସୁପ୍ରିମକୋର୍ଟଙ୍କ କ୍ଳିନ୍‌ଚିଟ୍‌ ସରକାରଙ୍କୁ ସୁହାଇପାରେ ସତ; କିନ୍ତୁ ଏ କ୍ଷେତ୍ରରେ ଲୋକଙ୍କ ମନରୁ ଦୁର୍ନୀତିର ଆଶଙ୍କା ହଟିବା ସମ୍ଭାବନା କ୍ଷୀଣ। ପ୍ରତିରକ୍ଷା ଭଳି ସବୁ ଗୁରୁତ୍ବପୂର୍ଣ୍ଣ ଜାତୀୟ ପ୍ରସଙ୍ଗରେ ହେଉଥିବା କାରବାର ଯେତେ ସ୍ବଚ୍ଛ ଓ ନିର୍ମଳ ହେବ ସେତେ​‌ ଭଲ। ଜାତୀୟ ସ୍ବାର୍ଥକୁ ଅଗ୍ରାଧିକାର ଦେବାବେଳେ ପ୍ରତ୍ୟେକ କାରବାର ଯେପରି ସ୍ବଚ୍ଛ ହେବ ସେଥିପାଇଁ ବ୍ୟବସ୍ଥା ନିର୍ଦ୍ଧାରିତ ହେଉ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories