ପାଟଣା : ସାହାରପଡା ବ୍ଲକ ପରିସର ଦୀର୍ଘ ବର୍ଷ ହେବ ସୁବ୍ୟବସ୍ଥିତ ହୋଇ ପାରୁନାହିଁ । ବ୍ଲକ କାର୍ଯ୍ୟାଳୟ ପଛପଟେ ଥିବା ଏକ ପୋଖରୀ ସଦୃଶ୍ୟ ଖାଲକୁ ପୋତି ସମତୁଲ କରିବା ପାଇଁ ଦୀର୍ଘ ୨୦ ବର୍ଷ ହେଲା କୌଣସି ବିଡିଓ ଆଗ୍ରହ ପ୍ରକାଶ ନକରିବା ଚିନ୍ତାର କାରଣ ହୋଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସ୍ବଚ୍ଛତାକୁ ଗୁରୁତ୍ଵ ଦେଉଥିବା ବେଳେ ବ୍ଲକ ପରିସରରେ ଥିବା ଡ୍ରେନ ମଧ୍ୟ ସଫା କରାଯାଉନଥିବାରୁ ମଇଳା ଓ ପଚା ପାଣି ଏଠାରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରିଛି। ବ୍ଲକ ପ୍ରଶାସନ ଦ୍ବାରା ନିର୍ମିତ ଅତିଥି ଭବନ ନିର୍ମାଣ ଓ ଫୁଲ ଗଛ ଲଗାଇବା ପାଇଁ ଇଟା କୁଣ୍ଡ କରାଯାଇଥିଲେ ମଧ୍ୟ ଏହି ଭବନ ଏବେ ପରିତ୍ୟକ୍ତ ହୋଇ ପଡ଼ି ରହିଛି। ପରିସରରେ ଥିବା କିଛି ବିଭାଗରେ ରେକର୍ଡ ପତ୍ର ରଖିବା ପାଇଁ ଷ୍ଟିଲ ଆଲମିରା ନଥିବାରୁ ଏହା ଖୋଲା ମେଲାରେ ପଡି ରହୁଛି । ଯେଉଁ ବ୍ଲକ ଅଞ୍ଚଳରେ ବର୍ଷକୁ ଶହେ କୋଟି ଟଙ୍କା ମନରେଗା ଯୋଜନାରେ ଖର୍ଚ୍ଚ ହୋଇଛି ସେହି ବ୍ଲକ ପଛପଟେ ଥିବା ଖାଲ ପୋତା ନଯିବା ଘଟଣାରୁ ସାହାରପଡା ବ୍ଲକ କାର୍ଯ୍ୟାଳୟ ପରିସର କେତେ ସୁବ୍ୟବସ୍ଥିତ ସେ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି। ସେହିପରି ଏହି ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ହେଉ କି ପଞ୍ଚାୟତ ସମିତି ବୈଠକ ଅଥବା ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ଭଲ ସଭାଗୃହଟିଏ ମଧ୍ୟ ନଥିବାରୁ ଏହି ସବୁ ଦିଗ ପ୍ରତି ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି ।
Popular Categories



