ମୁମ୍ବଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମାଲିକ ମୁକେଶ ଓ ନୀତା ଅମ୍ବାନୀଙ୍କ ଝିଅ ଇଶାଙ୍କ ବିବାହ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ପିରାମଲ ଶିଳ୍ପ ଗୋଷ୍ଠୀର ଆନନ୍ଦ ପିରାମଲଙ୍କ ସହିତ ଇଶା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ପିରାମଲ ପରିବାର ବିଳମ୍ବିତ ସନ୍ଧ୍ୟାରେ ବରଯାତ୍ରୀ ସହିତ ପହଞ୍ଚିବା ପରେ ମୁମ୍ବଇସ୍ଥିତ ମୁକେଶଙ୍କ ନିଜସ୍ବ ବାସଭବନ ଆଣ୍ଟିଲିଆରେ ଏହି ଉତ୍ସବ ଅନୁଷ୍ଠିତ ହୋଇଛି। ରାଜସ୍ଥାନର ଉଦୟପୁରଠାରେ ପ୍ରାକ୍ବିବାହ ଓ ସଙ୍ଗୀତ ଉତ୍ସବ ଭଳି ଏହି କାର୍ଯ୍ୟକ୍ରମରେ ବଲିଉଡ୍ ସମେତ କ୍ରୀଡ଼ା, ରାଜନୀତି ଓ ସାମାଜିକ କ୍ଷେତ୍ରର ବହୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ଉତ୍ସବରେ ଯୋଗ ଦେଇଥିଲେ। ଅତିଥିଙ୍କ ସଂଖ୍ୟା ପ୍ରାୟ ୬୦୦ ଥିବା ଜଣାପଡ଼ିଛି। ବଲିଉଡ ତାରକାଙ୍କ ନୃତ୍ୟରେ ବିବାହ ମଣ୍ଡପ ମୁଖରିତ ହୋଇଉଠିଥିଲା। ଇଶା ରଙ୍ଗିନ ଛିଟ ଥିବା ରୁପେଲୀ ରଙ୍ଗର ଲେହଙ୍ଗାରେ ଉଜ୍ଜଳ ଦିଶୁଥିବାବେଳେ ଆନନ୍ଦ ମଧ୍ୟ ଧଳା ଶେରୱାନୀରେ ଚମକୁଥିଲେ। ଆସନ୍ତା ୧୪ ଓ ୧୫ତାରିଖରେ ଜିଓ ଗାର୍ଡନ୍ଠାରେ ଦୁଇଟି ଭୋଜି କାର୍ଯ୍ୟକ୍ରମ ରହିଛି। ପ୍ରଥମ ଭୋଜି ଅମ୍ବାନୀ ଓ ପିରାମଲ ପରିବାର ପାଇଁ ଉଦ୍ଦିଷ୍ଟ ଥିଲାବେଳେ ଦ୍ବିତୀୟଟି ରିଲାଏନ୍ସ ଶିଳ୍ପଗୋଷ୍ଠୀର କର୍ମଚାରୀମାନଙ୍କ ପାଇଁ ଧାର୍ଯ୍ୟ ହୋଇଥିବା ଜଣାପଡ଼ିଛି।



