କୁଷ୍ଠ ରୋଗୀ ଅଛୁଆଁ ନୁହଁନ୍ତି

ବୌଦ୍ଧ: ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର କୁଷ୍ଠ ନିରାକରଣ ୟୁନିଟ୍ ତରଫରୁ ଏବଂ ଯୁବ ରେଡକ୍ରସ ମିଳିତ ସହଯୋଗରେ କୁଷ୍ଠ ରୋଗ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କୁଷ୍ଠ ନିରାକରଣ ଅଧିକାରୀ ଡଃ ହେମ୍ବ୍ରମ ଯୋଗଦାନ କରି କୁଷ୍ଠ ରୋଗୀମାନଙ୍କ ସେବା ପାଇଁ ମହତ୍ କାର୍ଯ୍ୟ କରିଥିବାରୁ ମହାବିଦ୍ୟାଳୟର ଯୁବ ରେଡକ୍ରସକୁ ଧନ୍ୟବାଦ ଦେଇ  ଔଷଧ ସେବନ କଲେ ଶତକଡା ଶହେ ଏହି ରୋଗ ସମ୍ପୁର୍ଣ୍ଣ ଭଲ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ ।

କୁଷ୍ଠ ରୋଗୀମାନଙ୍କୁ କେବେହେଲେ ଘୃଣା କରିବା ଉଚିତ ନୁହେଁ ବୋଲି ସେ କହିଥିଲେ । ସେମାନଙ୍କ ସହ ରହିଲେ ଖାଇଲେ ମଧ୍ୟ ଏହି ରୋଗ ସଂକ୍ରମଣ ହୁଏ ନାହିଁ ବୋଲି କହିଥିଲେ ।  କାର୍ଯ୍ୟକ୍ରମରେ ପୂର୍ବରୁ ହୋଇଥିବା କୁଇଜ ପ୍ରତିଯୋଗିତାରେ ବିଜେତାମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ପ୍ରମାଣପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା । ପରିଶେଷରେ ସମସ୍ତ  ଛାତ୍ରଛାତ୍ରୀମାନେ କୁଷ୍ଠ ରୋଗୀମାନଙ୍କ ସହ ବାଛ ବିଚାର ନକରିବାକୁ ଶପଥ ପାଠ କରିଥିଲେ । ଶେଷରେ ସ୍ୱାସ୍ଥ୍ୟ କର୍ମୀ ମୃତ୍ୟୁଞ୍ଜୟ ଭୁଜବଳ ସମସ୍ତଙ୍କୁ ଆନୁଷ୍ଠାନିକ ଭାବରେ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.