ଗୋପାଳପୁର ବେଳାଭୂମି ମହୋତ୍ସବ ବନ୍ଦ
ଗୋପାଳପୁର: ପ୍ରତିବର୍ଷ ଡିସେମ୍ବର ୨୪ ରୁ ୨୮ ତାରିଖ ପର୍ଯ୍ୟନ୍ତ ଗୋପାଳପୁରରେ ବେଳାଭୂମି ମହୋତ୍ସବ ଆୟୋଜିତ ହୋଇ ଆସୁଥିବା ବେଳେ ଚଳିତ ବର୍ଷ କୌଣସି କାରଣ ନଥାଇ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇ ଥିବାରୁ ପର୍ଯ୍ୟଟକ ସମେତ ଅଞ୍ଚଳବାସୀଙ୍କ ମଧ୍ୟରେ କ୍ଷୋଭ ଦେଖା ଦେଇଛି।ଏହା ପୂର୍ବରୁ ୬ ଥର ମହୋତ୍ସବକୁ ବିଭିନ୍ନ କାରଣ ଦର୍ଶାଇ ବନ୍ଦ କରାଯାଇଥିବା ବେଳେ ଚଳିତବର୍ଷ କିନ୍ତୁ ପ୍ରଶାସନ ପକ୍ଷରୁ ଆଜିଯାଏଁ ଏହା ନେଇ କୌଣସି କାରଣ ଦର୍ଶାଇ ଯାଇ ନାହିଁ। ଶେଷଦିନ ପର୍ଯ୍ୟନ୍ତ ଅଞ୍ଚଳବାସୀ ଚଳିତବର୍ଷ ମହୋତ୍ସବ ଆୟୋଜନ ହେବା ବୋଲି ମଧ୍ୟ ଆଶା ବାନ୍ଧି ରଖିଥିଲେ।
ଦୀର୍ଘ ୨୬ ବର୍ଷ ଧରି ନିର୍ଦ୍ଧାରିତ ତାରିଖରେ ମହୋତ୍ସବ ଆୟୋଜନ ହେବା ଫଳରେ ଏହା ଏକ ଆନ୍ତର୍ଜାତୀୟ ମହୋତ୍ସବର ମାନ୍ୟତା ପାଇ ପାରିଥିଲା। ଏଠାକୁ ବୁଲିବାକୁ ଆସୁଥିବା ଅନେକ ପର୍ଯ୍ୟଟକ ମହୋତ୍ସବ ଉପଭୋଗ କରିବା ସହ ମହୋତ୍ସବ ସମୟରେ ପଡୁଥିବା ବିଭିନ୍ନ ଷ୍ଟଲ ରୁ ମନମୁତାବକ ଜିନିଷ କିଣିବାରେ ମଧ୍ୟ ସୁଯୋଗ ପାଇ ପାରୁଥିଲେ। ଏଥି ସହ ମହୋତ୍ସବ କୁ ଆଧାର କରି ସ୍ଥାନୀୟ ବ୍ୟବସାୟୀମାନେ ଦୁଇ ପଇସା ରୋଜଗାର କରିବାରେ ସୁଯୋଗ ମଧ୍ୟ ପାଉଥିଲେ। କିନ୍ତୁ ମହୋତ୍ସବ ଆୟୋଜନ ବନ୍ଦ ହେବା ଫଳରେ ଛୋଟ ଛୋଟ ବ୍ୟବସାୟୀ ମାନେ ଦୁଃଖ ରେ ଥିବା ଦେଖିବାକୁ ମିଳିଛି।ପର୍ଯ୍ୟଟକ ଙ୍କୁ ଗୋପାଳପୁର କୁ ଆକୃଷ୍ଟ କରିବା ସହ ଗୋପାଳପୁର କୁ ଆନ୍ତର୍ଜାତିକ ସ୍ତରରେ ପରିଚିତ କରିବା ଲକ୍ଷ୍ୟରେରେ ଗତ ୨୬ ବର୍ଷ ତଳେ ୧୯୯୬ ମସିହାରେ ଗଞ୍ଜାମ ଜିଲ୍ଲା ହୋଟଲ ସଂଘ ପକ୍ଷରୁ ଗୋପାଳପୁର କୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବାକୁ ଡ଼ିସେମ୍ବର ମାସରେ ସଂଘର ସଦସ୍ୟ ଭି ସନ୍ତୋଷ କୁମାର ଓ ସୟଦ ରହିମ ଙ୍କ ଉଦ୍ୟମ ରେ ଏହି ମହୋତ୍ସବ ଆରମ୍ଭ କରାଯାଇଥିଲା।
ଏହା ପରେ ଏହି ମହୋତ୍ସବ ଆଗକୁ ଆଗକୁ ବଢି ଚାଲିବା ସହ ହୋଟଲ ସଂଘ କୁ ଛାଡି ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ପାଳିତ ହୋଇ ଆସୁଥିଲେ।ଏହା ମଧ୍ୟରେ ଦୀର୍ଘ ୨୬ ବର୍ଷ ର ଯାତ୍ରା ମଧ୍ୟରେ କେବଳ ୬ ଥର ବିଭିନ୍ନ କାରଣ ପାଇଁ ମହୋତ୍ସବ ବନ୍ଦ ରହିଥିବାବେଳେ ଚଳିତ ବର୍ଷ କୌଣସି କାରଣ ନ ଦର୍ଶାଇ ଏହାକୁ ବନ୍ଦ ରଖାଯାଇଛି। ବିଶେଷ କରି ୧୯୯୯ରେ ମହାବାତ୍ୟା କାରଣରୁ ମହୋତ୍ସବ ହୋଇପାରିନଥିଲା । କିନ୍ତୁ ତାହା ପରଠାରୁ ୨୦୧୦ ପର୍ଯ୍ୟନ୍ତ ବିନା ସମସ୍ୟାରେ ମହୋତ୍ସବ ଧୁମଧାମରେ ପାଳିତ ହୋଇ ଆସୁଥିଲା। ୨୦୧୨ରେ ପଞ୍ଚାୟତ ନିର୍ବାଚନ ଥିବାରୁ ୨୦୧୧ରେ ମହୋତ୍ସବ ହୋଇପାରିନଥିଲା। ୨୦୧୩ରେ ଫାଇଲିନ୍ କାରଣରୁ ବନ୍ଦ ହୋଇଥିବା ବେଳେ ୨୦୧୯ ସାଧାରଣ ନିର୍ବାଚନ ପାଇଁ ୨୦୧୮ ମହୋତ୍ସବକୁ ବାତିଲ କରାଯାଇଥିଲା।
୨୦୧୯ରେ ପୁଣିଥରେ ମହୋତ୍ସବ ଆୟୋଜନ ହେବା ପରେ କୋଭିଡ୍ କାରଣରୁ ୨୦୨୦ ଓ ୨୦୨୧ରେ ପୁଣିଥରେ ହୋଇପାରିନଥିଲା । ପ୍ରତିବର୍ଷ ମହୋତ୍ସବ ଆୟୋଜନ ରେ ନିଜେ ନେତା ଓ ମନ୍ତ୍ରୀ ସାମିଲ ରହି ଗୋପାଳପୁର ର ବହୁବିଧ ଉନ୍ନତି ନିମନ୍ତେ ଅନେକ ପ୍ରତିଶ୍ରୁତି ସହ ଘୋଷଣା କରୁଥିଲେ ସୁଦ୍ଧା ଆଜି ଯାଏଁ ଗୋପାଳପୁର ର ଉନ୍ନତି ନିମନ୍ତେ କୌଣସି ବଡ଼ ଧରଣର କାର୍ଯ୍ୟ କରା ଯାଇ ପାରିନାହିଁ। ଏଣୁ ମହୋତ୍ସବ କୁ ନିର୍ଦ୍ଧାରିତ ତାରିଖରେ ଆୟୋଜନ କରାଗଲେ ମହୋତ୍ସବ ନିଜର ଗାରିମା ବଜାୟ ରଖିବା ସହ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବାରେ ସହାୟକ ହୋଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ଅନ୍ୟ ପଟେ ମହୋତ୍ସବ ଆୟୋଜନ କରାଯାଇଥିଲେ କୁଆଡ଼େ ଗୋପାଳପୁର ବିଧାୟକ ଡ଼ ପ୍ରଦୀପ ପାଣିଗ୍ରାହୀ ମହୋତ୍ସବ ରେ ସାମିଲ ହୋଇ ଯାଆନ୍ତେ, ଏହାକୁ ଭୟରେ ରଖି ପ୍ରଶାସନ ପକ୍ଷରୁ ମହୋତ୍ସବ ଆୟୋଜନ କରା ଯାଇନଥିବା ମଧ୍ୟ ଆଲୋଚନା ହେଉଛି। ଗତ କିଛି ମାସ ତଳେ ଗୋପାଳପୁର ବିଧାୟକ ଡ଼ ପାଣିଗ୍ରାହୀ ଙ୍କ ପକ୍ଷରୁ ୨୦୧୯ ରେ ଆୟୋଜନ ହୋଇଥିବା ମହୋତ୍ସବ ର ଲକ୍ଷାଧିକ ଟଙ୍କା ବକେୟା ରହିଥିବା ବେଳେ ପ୍ରଶାସନ ପକ୍ଷରୁ ଏହାର ଭରଣା ନିମନ୍ତେ କୈଳାସ ପଦକ୍ଷେପ ନେଉ ନଥିବା ପ୍ରକାଶ କରିଥିଲେ। ଯାହାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ହୋଇ ଥିଲା। ସୂଚନା ଯୋଗ୍ୟ ଦୀର୍ଘ ୨୬ ବର୍ଷ ପରେ ମଧ୍ୟ ମହୋତ୍ସବ ର ଆୟବ୍ୟୟ କୁ ଲୋକଙ୍କ ଠାରେ ପରିପ୍ରକାଶ କରା ଯାଉନଥିବା ବେଳେ ପ୍ରତିବର୍ଷ କିନ୍ତୁ ମହୋତ୍ସବ ଆୟୋଜନ ନାମରେ ପ୍ରାୟ ୬ କୋଟିରୁ ଉର୍ଦ୍ଧ୍ବ ଟଙ୍କା ସ୍ବାହା ହୋଇ ଯାଉଥିଲା। ଏଣୁ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେବାର ସହ ଗୋପାଳପୁର ମହୋତ୍ସବ କୁ ଆୟୋଜନ କରିବାରେ ଚେଷ୍ଟା କରନ୍ତୁ ବୋଲି ସାଧାରଣରେ ମତପ୍ରକାଶ ପାଇଛି।
Comments are closed.