www.samajalive.in
Thursday, December 11, 2025
14.1 C
Bhubaneswar

ରାସ୍ତା ଖୋଳି ଭୁଲିଯାଉଛି ପ୍ରଶାସନ; ବାରମ୍ବାର ଦୃଷ୍ଟି ଆକର୍ଷଣ ସତ୍ତ୍ବେ କାର୍ଯ୍ୟ ଶୂନ 

ସମ୍ବଲପୁର: ସମ୍ବଲପୁରରେ ପ୍ରଶାସନିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡି ପଡ଼ିଥିବା ବେଳେ ରାସ୍ତାଘାଟ, ପରିମଳ ଆଦି ସର୍ବନିମ୍ନ ସୁବିଧାରୁ ମଧ୍ୟ ଏବେ ସହରବାସୀ ବଞ୍ଚିତ ରହିଛନ୍ତି। ଏବେ ସହରର ପ୍ରତିଟି ରାସ୍ତା ସହିତ ଗଳିକନ୍ଦି ପାଣି ପାଇପ ବିଛାଇବା ଓ ସ୍ୱେରେଜ ପାଇପ ବିଛାଇବା ନାଁରେ ଖୋଳି ଦିଆଯାଇଥିବା ବେଳେ କାର୍ଯ୍ୟ ଶୀଘ୍ର ସରୁନାହିଁ କି କାର୍ଯ୍ୟ ଶେଷ ପରେ ପୂର୍ବାବତ ଅବସ୍ଥାକୁ ଅଣା ମଧ୍ୟ ଯାଉନାହିଁ। ସ୍ଥାନୀୟ ଶକ୍ତି ସଂଘ ଛକରୁ ଜିଲା ସ୍କୁଲ ଛକ ପର୍ଯ୍ୟନ୍ତ ଯାଇଥିବା ରାସ୍ତାରେ ସ୍ୱେରେଜ ଓ ପାଣି ପାଇପ ବିଛାଇବା ନାଁରେ ଦୀର୍ଘ ଦିନ ଧରି ରାସ୍ତାକୁ ଅବରୋଧ କରାଯାଇ କାର୍ଯ୍ୟ କରାଯାଉଥିବା ବେଳେ ତାହା ଶେଷ ହେବାର ନାମ ନେଉନାହିଁ। ଓଡ଼ିଶା ସାଂସ୍କୃତିକ ସମାଜ ସମ୍ମୁଖରେ ପୂର୍ବରୁ ସ୍ୱେରେଜ ପାଇପ ଲାଇନ ବିଛାଇବାର କାର୍ଯ୍ୟ କରାଯାଇଥିଲେ ସୁଦ୍ଧା ତାର ମରାମତି ଠିକ ଭାବରେ କରାଯାଇ ନାହିଁ। ସ୍ୱେରେଜ କାର୍ଯ୍ୟ ଏବେ ମଧ୍ୟ ଏହି ରାସ୍ତାରେ ଚାଲିଥିବା ବେଳେ ପେନସନପଡ଼ାଠାରେ ଅତ୍ୟନ୍ତ ବିପଦଶଙ୍କୁଳ ଅବସ୍ଥାରେ କେବଳ ଦୁଇ ଚକିଆ ଯାନ ଯାତାୟତର ବ୍ୟବସ୍ଥା କରାଯାଇଛି। ଦୀର୍ଘ ମାସ ହେବ ଏହି ରାସ୍ତାରେ ଚାରି ଚକିଆ ଯାନବାହାନ ଚଳାଚଳ ବନ୍ଦ ରହିଛି। କାର୍ଯ୍ୟ କେବେ ସରିବ ତା’ର ଉତ୍ତର ପ୍ରଶାସନ ନିକଟରେ ନ ଥିବା ବେଳେ ଠିକାଦାର ମନଇଚ୍ଛା କାର୍ଯ୍ୟ କରୁଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି।

ଅପରପକ୍ଷରେ ସହରର ପ୍ରମୁଖ ଅନୁଷ୍ଠାନ ଓଡ଼ିଶା ସାଂସ୍କୃତିକ ସମାଜ ସମ୍ମୁଖରେ ମଧ୍ୟ ଅନୁରୂପ ଅବସ୍ଥା ଦୀର୍ଘ ମାସ ହେବ ଲାଗି ରହିଛି। ପ୍ରଥମେ ଅନୁଷ୍ଠାନର କାର୍ଯ୍ୟାଳୟ ସମ୍ମୁଖକୁ ସ୍ୱେରେଜ ଲାଇନ ପାଇଁ ଖୋଳିବା ପରେ ଏହାକୁ ଠିକ ଭାବରେ ମରାମତି କରାଯାଇ ନାହିଁ। ଏହାର କିଛି ଦିନ ପରେ ପାଣି ପାଇପ ଲାଇନ ନାମରେ କାର୍ଯ୍ୟାଳୟ ସମ୍ମୁଖ ଓ ନିକଟସ୍ଥ ଅଞ୍ଚଳକୁ ଖୋଳି ଦିଆଯାଇଥିଲା। କାର୍ଯ୍ୟ ଶେଷ ହେବା ପରେ ଉକ୍ତ ଖାଲଗୁଡିକୁ ପୋତି ଠିକ ଭାବରେ ପୂର୍ବଭଳି ସମତଳ କରାଯାଇ ନ ଥିବାରୁ ଧୁଳି ଉଡିବା ସହିତ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନୁଷ୍ଠାନରେ ନିୟମିତ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଗୁଡିକ ଆୟୋଜିତ ହେଉଛି ଏବଂ ଏଥିରେ ଶିଶୁମାନଙ୍କଠାରୁ ବରିଷ୍ଠ ନାଗରିକମାନେ ଯୋଗ ଦେଇଥିବା ବେଳେ କିନ୍ତୁ ଅଞ୍ଚଳଟି ଖାଲ ଢ଼ିପ ମଧ୍ୟରେ ରହିଥିବାରୁ ଯାତାୟତ ସମୟରେ ପଡ଼ି ଉଠି ଖଣ୍ଡିଆ ଖାବରା ମଧ୍ୟ ହେଉଛନ୍ତି। ବାରମ୍ବାର ଏ ସମ୍ପର୍କରେ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରି ନାହିଁ। ଅପରପକ୍ଷରେ ଏହି ଅଞ୍ଚଳରେ ଅଳିଆ ଗଦା କରାଯାଉଥିବା ବେଳେ ନିୟମିତ ଆବର୍ଜନା ସଫେଇ କରାଯାଉ ନାହିଁ। ଫଳରେ ଅଞ୍ଚଳଟି ପ୍ରଦୂଷିତ ଓ ଦୁର୍ଗନ୍ଧମୟ ହୋଇ ରହୁଛି। ଜିଲା ପ୍ରଶାସନ ଓ ମହାନଗର ନିଗମ ସ୍ୱଚ୍ଛତା ଉପରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସ୍ୱଚ୍ଛ ଓ ନିର୍ମଳ ପରିବେଶର ଦାବି କରି ପ୍ରଚାର ପ୍ରସାର କରୁଥିବା ବେଳେ ପ୍ରକୃତ କ୍ଷେତ୍ରରେ ଏହା ଓଲଟା ପ୍ରତିଫଳିତ ହେଉଛି। ଏଣୁ ସହରରେ ଚାଲିଥିବା ମନମୁଖୀ କାର୍ଯ୍ୟଗୁଡିକୁ ଶୀଘ୍ର ଶେଷ କରି ଜନତାଙ୍କୁ ଧୂଳି ଧୂସରିତ ପରିବେଶରୁ ମୁକ୍ତି ପ୍ରଦାନ କରିବା ସହିତ ପରିମଳ ବ୍ୟବସ୍ଥାକୁ ସୁନିଶ୍ଚିତ କରି ଜନତାଙ୍କ ଟିକସ ଟଙ୍କାର ସଦୁପଯୋଗ କରାଯାଉ ବୋଲି ସବୁ ମହଲରୁ ଦାବି ହେଉଛି।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories