www.samajalive.in
Sunday, December 14, 2025
26.1 C
Bhubaneswar

ଦ୍ବିତୀୟ ଟି-୨୦ : ଅଷ୍ଟ୍ରେଲିଆକୁ ୪୪ରନରେ ହରାଇଲା ଭାରତ

ତିରୁଅନନ୍ତପୁରମ  : ଋତୁରାଜ ଗାଏକ୍ବାର୍ଡ, ଈଶାନ କିଷନ ଓ ଯଶସ୍ବୀ ଜୟସୱାଲଙ୍କ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ଶୃଙ୍ଖଳା​ରେ‌ ଭାରତ କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିଛି । ରବିବାର ତିରୁଅନନ୍ତପୁରରେ ଆୟୋଜିତ ମ୍ୟାଚରେ ଭାରତ ୪୪ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଏଥି ସହିତ ଭାରତ ୫ ମ୍ୟାଚ ବିଶିଷ୍ଟ ଟି୨୦ ଶୃଙ୍ଖଳାରେ ୨-୦ରେ ଆଗୁଆ ରହିଛି । ପ୍ରଥମ ମ୍ୟାଚକୁ ଭାରତ ୨ ୱିକେଟରେ ଜିତିଥିବାବେଳେ ୨୮ରେ ୩ୟ ମ୍ୟାଚ ଗୁଆାହାଟୀରେ ଖେଳାଯିବ। ଭାରତ ଋତୁରାଜ ଗାଏକ୍ବାର୍ଡ ୫୮, ଯଶସ୍ବୀ ଜୟସୱାଲ ୫୩ ଓ ଈଶାନ କିଷନଙ୍କ ୫୨ରନ ବଳରେ ୨୩୫ରନ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ମାର୍କୋସ ଷ୍ଟୋଇନିସଙ୍କ ୪୫ ରନ ବଳରେ ୧୯୧ରନ କରିବାକୁ ସକ୍ଷମ ହୋଇଥିଲା।

୨୩୬ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଦୁଇ ଅଷ୍ଟ୍ରେଲୀୟ ଓପନର ଷ୍ଟିଭେନ ସ୍ମିଥ୍‌ ଓ ମାଥ୍ୟୁ ସର୍ଟ ଦ୍ରୁତ ଗତିରେ ରନ ସଂଗ୍ରହ କରିଥିଲେ। ସ୍କୋର ୩୫ରନ ଥିବାବେଳେ ସର୍ଟ ୧୯ରନ କରି ଆଉଟ୍‌ ହୋଇଥିଲେ। ୪୨ରନରେ ଦ୍ବିତୀୟ ୱିକେଟର ପତନ ଘଟିଥିଲା। ପ୍ରଥମ ମ୍ୟାଚରେ ଶତକ ହାସଲ କରିଥିବା ଜୋଶ ଇଙ୍ଗଲିଶ ୨ରନ କରି ଆଉଟ୍‌ ହୋଇଥିଲେ। ୫୮ରନ ମଧ୍ୟରେ ଦଳ ୪ଟି ୱିକେଟ ହରାଇଥିଲା। ଗ୍ଲେନ ମ୍ୟାକ୍ସୱେଲ ୧୨ ଓ ସ୍ମିଥ୍‌ ୧୯ରନ କରି ଆଉଟ୍‌ ହୋଇଥିଲେ। ୫ମ ୱିକେଟରେ ମାର୍କୋସ ଷ୍ଟୋଇନିସ୍‌ ଓ ଟିମ୍‌ ଡେଭିଡ୍‌ ୮୧ରନ ସଂଗ୍ରହ କରିଥିଲେ। ସ୍କୋର ୧୩୯ରନ ଥିବାବେଳେ ଡେଭିଡ୍‌ ୩୭ରନ କରି ଆଉଟ୍‌ ହୋଇଥିଲେ। ଷ୍ଟୋଇନିସ୍‌ଙ୍କ ୪୫ ଓ ମାଥ୍ୟୁ ୱାଡେଙ୍କ ଅପରାଜିତ ୪୨ରନ ସତ୍ତ୍ବେ ୯ ୱିକେଟ ହରାଇ ୧୯୧ରନ କରିବାକୁ ସକ୍ଷମ ହୋଇଥିଲା।
ଭାରତ ପକ୍ଷରୁ ରବି ବିଷ୍ଣୋୟି ଓ ପ୍ରସିଦ୍ଧ କ୍ରିଷ୍ଣା ୩ଟି ଲେଖାଏଁ, ଅକ୍ଷର ପଟେଲ ,ମୁକେଶ କୁମାର ଓ ଅର୍ଶଦୀପ୍‌ ସିଂହ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ଅଷ୍ଟ୍ରେଲିଆ ଅଧିନାୟକ ମାଥ୍ୟୁ ୱେଡ୍‌ ଟସ୍‌ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତର ଦୁଇ ଓପନର ଯଶସ୍ବୀ ଜୟସୱାଲ ଓ ଋତୁରାଜ ଗାଏକ୍ବାର୍ଡ ଦ୍ରୁତ ଗତିରେ ରନ କରିଥିଲେ। ଉଭୟେ ୩.୫ ଓଭରରୁ ୫୦ରନ ପୂରଣ କରିଥିଲେ । ୭୭ରନରେ ପ୍ରଥମ ୱିକେଟର ପତନ ଘଟିଥିଲା। ଜୟସୱାଲ ୨୫ଟି ବଲରୁ ୯ଟି ଚୌକା ଓ ୨ଟି ଛକା ସହ ୫୩ରନ କରି ଆଉଟ୍‌ ହୋଇଥିଲେ। ଦ୍ବିତୀୟ ୱିକେଟରେ ଋତୁରାଜ ଓ ଈଶାନ କିଷନ ୮୭ରନ ସଂଗ୍ରହ କରିଥିଲେ। ଭାରତ ୧୦ ଓଭରରୁ ୧୦୧ରନ କରିଥିଲା। ୧୬୪ରନ ସ୍କୋର ଥିବାବେଳେ ଈଶାନ ୩୨ଟି ବଲରୁ ୩ଟି ଚୌକା ଓ ୪ଟି ଛକା ସହ ୫୨ରନ କରି ଆଉଟ୍‌ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ୧୦ଟି ବଲରୁ ୨ଟି ଛକା ସହ ୧୯ରନ କରି ଆଉଟ୍‌ ହୋଇଥିଲେ। ଋତୁରାଜ ଓ ରିଙ୍କୁ ସିଂହ ୪ର୍ଥ ୱିକେଟରେ ୩୩ରନ ସଂଗ୍ରହ କରିବା ସହିତ ସ୍କୋରକୁ ୨୨୧ରନରେ ପହଞ୍ଚାଇଥିଲେ। ଋତୁରାଜ ୪୩ଟି ବଲରୁ ୩ଟି ଚୌକା ଓ ୨ଟି ଛକା ସହ ୫୮ରନ କରି ଆଉଟ୍‌ ହୋଇଥିଲେ। ରିଙ୍କୁ ସିଂହଙ୍କ ୯ଟି ବଲରୁ ୪ଟି ଚୌକା ଓ ୨ଟି ଛକା ସହ ୩୧ ଓ ତିଲକ ବର୍ମାଙ୍କ ଅପରାଜିତ ୭ରନ ବଳରେ ଭାରତ ୪ ୱିକେଟ ହରାଇ ୨୩୫ରନ କରିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ନାଥନ ଏଲିସ ୩ଟି ୱିକେଟ ନେଇଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories