ଡେସ୍କ: ଆନ୍ଧ୍ରପ୍ରଦେଶର ବିଶାଖାପାଟନମରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୮ ଜଣ ଶିଶୁ ଆହତ ହୋଇଛନ୍ତି। ଏକ ଟ୍ରକ ଓ ଛୋଟ ପିଲାଙ୍କୁ ନେଇ ଯାଉଥିବା ଅଟୋ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ଏହି ଭୟଙ୍କର ଦୁର୍ଘଟଣା ନିକଟସ୍ଥ ଦୋକାନର ସିସିଟିଭି କ୍ୟାମେରାରେ କଏଦ ହୋଇଛି।
ଏହି ଦୁର୍ଘଟଣା ଆଜି ସକାଳ ୭ଟା ସମୟରେ ଘଟିଛି। ପିଲାମାନେ ସେହି ଅଟୋରେ ବିଥାନିଆ ସ୍କୁଲକୁ ଯାଉଥିଲେ। ୩୫ ସେକେଣ୍ଡର ସିସିଟିଭି ଫୁଟେଜରେ ସଙ୍ଗମ୍ ସରାଟ ଥିଏଟର ଜଙ୍କସନରେ ଭିଡ଼ କମ ରହିଥିଲା। ସକାଳ ୭.୩୫ରେ, ଏକ ଟ୍ରକ୍ ଫ୍ଲାଏ ଓଭର ତଳେ କ୍ରସିଂ ଅତିକ୍ରମ କରୁଥିବା ବେଳେ ବାମ ପଟର ଏକ ଦ୍ରୁତଗାମୀ ଅଟୋ ସହ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଅଟୋରେ ଥିବା ପିଲାମାନେ ବାହାରକୁ ଉଡି ଆସି ଦୂରକୁ ଛିଟିକି ପଡ଼ିଥିଲେ।
ସୂଚନା ଅନୁଯାୟୀ, ଆଠ ଜଣ ସ୍କୁଲ ପିଲାଙ୍କ ମଧ୍ୟରୁ ଚାରିଜଣ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିବା ବେଳେ ଅନ୍ୟ ତିନିଜଣ ଚିକିତ୍ସିତ ହେଉଛନ୍ତି। ଜଣେ ଛାତ୍ରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ପୁଲିସ କହିଛି। ଇତି ମଧ୍ୟରେ ପୁଲିସ ଉଭୟ ଟ୍ରକ ଓ ଅଟୋର ଚାଳକକୁ ଅଟକ ରଖି ପଚରାଉଚୁରା କରୁଛି।



