www.samajalive.in
Sunday, December 14, 2025
26.1 C
Bhubaneswar

ଆଜିଠୁ ଶ୍ରୀମନ୍ଦିର ନାଟ ମଣ୍ଡପ ମରାମତି, ମନ୍ଦିର ପ୍ରଶାସନର ସର୍ତ୍ତମୂଳକ ଅନୁମତି

ପୁରୀ : ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ ଶୁକ୍ରବାରଠାରୁ ଆରମ୍ଭ କରାଯିବ। ଏଥିପାଇଁ ସର୍ତ୍ତମୂଳକ ଭାବେ ଅନୁମତି ଦେଇଛି ମନ୍ଦିର ପ୍ରଶାସନ। ଶ୍ରୀଜୀଉଙ୍କ ନୀତିକାନ୍ତି ଏବଂ ଭକ୍ତଙ୍କ ଦର୍ଶନ ଯେପରି ବାଧାପ୍ରାପ୍ତ ନହେବ ତାକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବାକୁ ଏଏସ୍‌ଆଇକୁ କୁହାଯାଇଛି । ବୈଷୟିକ କୋର୍‌ କମିଟି ସଭ୍ୟ, ମନ୍ଦିର ପ୍ରଶାସନ ଅଧିକାରୀ ଏବଂ ପରିଚାଳନା କମିଟି ସଭ୍ୟ ମରାମତି କାର୍ଯ୍ୟ ତଦାରଖ କରିବେ। ସକାଳ ୬ରୁ ରାତି ୧୦ଟା ପର୍ଯ୍ୟନ୍ତ ଏବେ ମରାମତି କାର୍ଯ୍ୟ କରାଯିବ। କାର୍ତ୍ତିକ ପୂର୍ଣ୍ଣିମା ପରେ ଏଥିପାଇଁ ଅଧିକ ସମୟ ଦିଆଯିବ ବୋଲି ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି।
ନାଟ ମଣ୍ଡପର ଗରୁଡ଼ ସ୍ତମ୍ଭ ଉପରେ ଥିବା ବିମ୍‌ରେ ଫାଟ ସୃଷ୍ଟି ହୋଇଛି। ପ୍ରଥମେ ତା’ର ମରାମତି କାର୍ଯ୍ୟ କରାଯିବ। ଏହାପରେ ଛାତ ତଳ ପଟୁ ଚୂନ ପଲସ୍ତରା ଛଡ଼ାଯାଇ ଅନ୍ୟ ଫାଟ ନେଇ ଅନୁଧ୍ୟାନ କରାଯିବ। ଶୁକ୍ରବାର ସକାଳୁ ନାଟ ମଣ୍ଡପରେ ଏଏସ୍‌ଆଇ ପକ୍ଷରୁ ଭାରା ବନ୍ଧାଯିବା ସହ ଏକ ଅସ୍ଥାୟୀ ପ୍ଲାଟଫର୍ମ ନିର୍ମାଣ କରାଯିବ। ସକାଳୁ ରାତି ମଧ୍ୟରେ ଯେତେବେଳେ ମହାପ୍ରଭୁଙ୍କ ବିଶେଷ ନୀତିକାନ୍ତି ନଥିବ ମନ୍ଦିର କମାଣ୍ଡର ଏବଂ ସୁପରଭାଇଜରଙ୍କ ପରାମର୍ଶକ୍ରମେ ମରାମତି କାର୍ଯ୍ୟ କରାଯିବ। ଆଗାମୀ ୨୪ ତାରିଖ ଦିନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯିବ ବୋଲି ଶ୍ରୀ ଦାସ କହିଛନ୍ତି । ଗୁରୁବାର ଅନୁଷ୍ଠିତ ବୈଠକରେ ଏଥିପାଇଁ ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି। ନାଟ ମଣ୍ଡପ ମରାମତି ସମୟରେ ଭକ୍ତଙ୍କ ପାଇଁ ବିକଳ୍ପ ଯାତାୟାତ ବ୍ୟବସ୍ଥା ସମେତ ଆବଶ୍ୟକ ସୁରକ୍ଷା ଗ୍ରହଣ କରାଯିବ।
ସେହିପରି ଶ୍ରୀଜୀଉଙ୍କ ଗଜଦନ୍ତ ରତ୍ନପଲଙ୍କ ଦୁର୍ବଳ ହୋଇପଡ଼ିଥିବାରୁ ଶୁକ୍ରବାରଠାରୁ ନୂଆ ରତ୍ନପଲଙ୍କ ନିର୍ମାଣ ଆରମ୍ଭ କରାଯିବ। ବର୍ମା ଶାଗୁଆନ କାଠରେ ପଲଙ୍କ ନିର୍ମାଣ କରାଯିବା ସହ ସେଥିରେ ହାତୀଦାନ୍ତ ଏବଂ ରୁପା ଛାଉଣି କରାଯିବ। ଜଣେ ଭକ୍ତ ଏଥିପାଇଁ ରୁପା ଯୋଗାଇ ଦେଇଛନ୍ତି। ମନ୍ଦିର ପ୍ରଶାସନ ପାଖରେ କିଛି ବର୍ମା ଶାଗୁଆନ କାଠ ମହଜୁଦ ରହିଛି। ଆବଶ୍ୟକ ହେଲେ ଆଉ କିଛି କାଠ କିଣାଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ପୂର୍ବାପେକ୍ଷା ହାଲୁକା ରତ୍ନପଲଙ୍କ ନିର୍ମାଣ ପାଇଁ ସ୍ଥିର କରାଯାଇଛି। ଆଗାମୀ ଓଡ଼ିଆ ନୂଆବର୍ଷ ପଣା ସଂକ୍ରାନ୍ତିଠାରୁ ମହାପ୍ରଭୁ ନୂଆ ପଲଙ୍କରେ ଶୟନ କରିବେ। ଏହାଛଡ଼ା ନୂତନ ପ୍ରଭା ନିର୍ମାଣ ପାଇଁ ସ୍ଥିର କରାଯାଇଛି। ଅପରପକ୍ଷେ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଉତ୍ତରଦ୍ୱାର ଦେଇ ଦର୍ଶନ ବ୍ୟବସ୍ଥା କରାଯିବ। ଏଥିପାଇଁ ଆଗୁଆ ପଞ୍ଜୀକରଣ ବ୍ୟବସ୍ଥା ନିମନ୍ତେ ବୈଠକରେ ଆଲୋଚନା କରାଯାଇଛି।
ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଅଧୀକ୍ଷଣ ପ୍ରତ୍ନତତ୍ତ୍ୱବିତ୍‌ ଡି.ବି ଗଡ଼ନାୟକ, ଉପ ଅଧୀକ୍ଷକ (ପ୍ରତ୍ନତତ୍ତ୍ୱ) ଚିତ୍ତରଞ୍ଜନ ମିଶ୍ର, ଶ୍ରୀମନ୍ଦିର ପ୍ରଶାସକ (ନୀତି) ଜିତେନ୍ଦ୍ର କୁମାର ସାହୁ, ସ୍ୱତନ୍ତ୍ର ପଦାଧିକାରୀ (ଉନ୍ନୟନ) ଅଜୟ କୁମାର ଜେନା, ପରିଚାଳନା କମିଟି ସଭ୍ୟ ଡ. ଦୁର୍ଗାପ୍ରସାଦ ଦାସ ମହାପାତ୍ର, ମାଧବ ଚନ୍ଦ୍ର ମହାପାତ୍ର, ମାଧବ ଚନ୍ଦ୍ର ପୂଜାପଣ୍ଡା, ଜଗନ୍ନାଥ କର, ଅନନ୍ତ ତିଆଡ଼ି, ଅଧୀକ୍ଷଣ ଯନ୍ତ୍ରୀ ନରେଶ ଚନ୍ଦ୍ର ରାଉତଙ୍କ ସମେତ ବିଭିନ୍ନ ସେବକ ନିଯୋଗ କର୍ମକର୍ତ୍ତା ବୈଠକରେ ଉପସ୍ଥିତ ଥିଲେ।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories