www.samajalive.in
Friday, December 12, 2025
27.1 C
Bhubaneswar

ମା ଦକ୍ଷିଣ କାଳୀଙ୍କ ସମ୍ବତ୍ସରିକ ପୂଜା, ମହାଭୈରବୀ ବେଶରେ ଦର୍ଶନ 

ସାକ୍ଷୀଗୋପାଳ :  କାର୍ତ୍ତିକ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି ଅବସରରେ ସତ୍ୟବାଦୀ ଥାନା ଅନ୍ତର୍ଗତ ବୀର ଗୋବିନ୍ଦ ପୁରସ୍ଥିତ ପ୍ରସିଦ୍ଧ ବାମାବର୍ତ୍ତୀ ବଙ୍ଗୀୟ ତନ୍ତ୍ରପୀଠ ମା ଦକ୍ଷିଣ କାଳୀଙ୍କ ପୀଠରେ ପବିତ୍ର କାଳୀପୂଜା ଅନୁଷ୍ଠିତ ହୋଇଥିଲା। ବର୍ଷସାରା ଏହି ପୀଠରେ ମା ଦକ୍ଷିଣ କାଳୀଙ୍କ ପଟ୍ଟି ପୂଜା ହୋଇଥାଏ। ବର୍ଷକରେ ଏହି ପବିତ୍ର ଅବସରରେ ମାଙ୍କ  ପୀଠରେ ମା ଦକ୍ଷିଣ କାଳୀଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ଅନୁଷ୍ଠିତ ହୁଏ। ମାଆଙ୍କ ପୂଜାର୍ଚ୍ଚନା ଓ ଦର୍ଶନ ନିମନ୍ତେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।  ଭକ୍ତ ଓ ଶ୍ରଦ୍ଧାଳୁ ମନେ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ମା ଦକ୍ଷିଣ କାଳୀଙ୍କର ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ।
ଚଳିତ କାର୍ତ୍ତିକ ମାସ କୃଷ୍ଣପକ୍ଷ ଦ୍ଵିତୀୟା ତିଥି ଅବସରରେ ମାଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ନିମନ୍ତେ କାଳୀକା ପଡିଆରେ ମାଟି ଅନୁକୂଳ ହୋଇଥିଲା। ନିକଟସ୍ଥ ଦାଣ୍ଡ ସାହିର ପୂର୍ଣଚନ୍ଦ୍ର ମହାରଣାଙ୍କ ସମେତ ୩ ଜଣ ମା ଦକ୍ଷିଣକାଳୀ ଓ ମହାଦେବଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ  କରିଥିଲେ। ଗତ  ୧୧ ତାରିଖ  ଅପରାହ୍ନରେ ମା ଓ ମହାଦେବଙ୍କ ମୂର୍ତ୍ତିରେ ମସ୍ତକ ସଂଯୋଗ ହୋଇଥିଲା। ରାତ୍ର ସମୟରେ ମାଟି ନିର୍ମିତ ଅଳଙ୍କାର ଲାଗି ହୋଇଥିଲା। ମଧ୍ୟ ରାତ୍ରରେ ଭୋଗ ପରେ ପହୁଡ଼ ହୋଇଥିଲା।୧୨ ତାରିଖରେ ମୂର୍ତ୍ତି  ପ୍ରଲେପନ କରା ଯାଇଥିଲା।
ପୀଠରେ ମୁରୁଜ ପଡିବା ପରେ ମାଙ୍କର ମୃଣ୍ମୟୀ ମୂର୍ତ୍ତି ଆସ୍ଥାନରେ ବିଜେ କରିଥିଲେ। ମଧ୍ୟ ରାତ୍ରରେ ଘଟ ଆନୟନ, ଘଟ ସ୍ଥାପନ, ଘଟ ପୂଜା, ସଂସ୍କାର, ଚକ୍ଷୁଦାନ, କୁସ୍ମାଣ୍ଡ ବଳି, ଜୀବନ୍ୟାସ, ଷୋଡଶ ଉପଚାର ପୂଜା ଵିଧି, କୋଠ ଭୋଗ, କୋଟି ଯୋଗିନୀ ପୂଜା, ବଳୀ, ବଳୀ ଧୂପ, ବଡ଼ ସିଂହାର ବେଶ, ପହୁଡ଼, ଶାନ୍ତି ହୋମ ଓ ପୀଠ ବିସର୍ଜନ ଅନୁଷ୍ଠିତ ହୋଇଥିଲା।
ମା ଦକ୍ଷିଣକାଳୀଙ୍କ ଅନ୍ୟ ୨ ଭଉଣୀ ସମଜାଜ ପୁରର ମା ଉଗ୍ରତାରା ଓ ବୀର ପ୍ରତାପ ପୁରର ମା କାମରୁପାଙ୍କ ପୀଠରେ ମଧ୍ୟ ସମାନ ଧରଣର ପୂଜା ନୀତି ଅନୁଷ୍ଠିତ ହୋଇଥିଲା। ସୋମବାର (ଆଜି)  ମଧ୍ୟ ରାତ୍ରରେ ମା ଦକ୍ଷିଣକାଳୀ ମହା ଆଡମ୍ବରରେ ଏକ ବିଶାଳ  ଶୋଭାଯାତ୍ରାରେ ବିସର୍ଜନ ନିମନ୍ତେ ବାହାରିବେ।ମାଙ୍କର ଅନ୍ୟ ୨ ଭଉଣୀ ସମଜାଜ ପୁରର ମା ଉଗ୍ରତାରା ଓ ବୀର ପ୍ରତାପ ପୁରର ମା କାମରୂପା ଏକ ମିଳିତ ଶୋଭାଯାତ୍ରାରେ ଯାଇ ଭଗବାନ ପୁର ଗ୍ରାମ ନିକଟରେ ଭାର୍ଗବୀ ନଦୀର କାଳୀ ଘାଟରେ ପହଞ୍ଚିବେ। ସେଠାରେ ପଣା ପୂଜା ପରେ ମା ଙ୍କୁ ଭାର୍ଗବୀ ନଦୀରେ ବିସର୍ଜନ କରାଯିବ।

Hot this week

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

Related Articles

Popular Categories