ଭୁବନେଶ୍ୱର: ରାଜ୍ୟର ପାଖାପାଖି ୧୯ଟି ଜିଲାର ୨୦୦ ବ୍ଲକରେ ସ୍ୱଳ୍ପବୃଷ୍ଟି ଜନିତ ସମସ୍ୟା ଯୋଗୁ ଧାନ ବିଲ ଫାଟି ଆଁ କଲାଣି। ଯେଉଁ କେତେକ ସ୍ଥାନରେ ମାଟି ବତର ଅଛି, ସେଠାରେ ଧାନଗଛ ସବୁ ନାଲିଆ ପଡ଼ିଗଲାଣି। ବର୍ତ୍ତମାନ ଖରିଫ ଧାନ ଫୁଲ ଉଡ଼ାଉଛି ଏବଂ କିଛି କିଛି ସ୍ଥାନରେ କ୍ଷୀର ଢୋକିବା ଆରମ୍ଭ କରିଛି। ଏହି ସମୟରେ ପାଣିର ଘୋର ଅଭାବ ସାଙ୍ଗକୁ ଚକଡ଼ା ପୋକ ଚାଷୀଙ୍କ ପାଇଁ ମୁଣ୍ଡ ବିନ୍ଧାର କାର ସାଜିଛି। ଯେତେ ପୋକମରା ଔଷଧ ପକାଇଲେ ମଧ୍ୟ ପୋକ ମରୁନାହାଁନ୍ତି। ଶହ ଶହ ଏକର ଧାନଜମି ଚକଡ଼ା ପୋକ ଯୋଗୁ ନଷ୍ଟ ହେବାକୁ ବସିଲାଣି। ଚାଷୀ ବିଲମୁଣ୍ଡରେ ହାତ ଦେଇ ବସିଛି। ବେଶୀ ଦୂରକୁ ଯିବା ଆବଶ୍ୟକ ନାହିଁ, ରାଜଧାନୀର ଚାରିକଡ଼ ବିଲବାଡ଼ିରେ ଲକ୍ଷ୍ୟ କଲେ ଏକଥା ସହଜରେ ବୁଝାପଡ଼େ।
ବ୍ୟାଙ୍କ ଋଣ ଓ ଧାର କରଜ କରି ଚାଷୀ ବିଳମ୍ବିତ ବର୍ଷା ଯୋଗୁ ବହୁ ଡ଼େରିରେ ଚାଷକାର୍ଯ୍ୟ ଆରମ୍ଭ କରିଥିଲା, ଭାବିଥିଲା ଧାନ ଫସଲ ଅମଳ ହେଲେ କିଛି ଋଣ ଶୁଝିବ ଏବଂ ନିଜର ବର୍ଷକର ଗୁଜୁରାଣ ମେଣ୍ଟାଇବ। ଧାନ ଥୋର ସମୟରେ ଦାଉ ସାଜିଲା ବର୍ଷାର ଅଭାବ ଓ ଚକଡ଼ା ପୋକଙ୍କ ଆକ୍ରମଣ। ରାଜ୍ୟ ସରକାରଙ୍କର କୃଷି ବିଭାଗ ଚାଷୀଙ୍କ ଏହି ବିପଦ ସମୟରେ ନୀରବଦ୍ରଷ୍ଟା ସାଜିଛି। ସରକାରୀ ଘରର ବାର ଦୁଆର ସୁଣ୍ଢିପିଣ୍ଡା ହେବା ସତ୍ତେ୍ୱ ବି ଚାଷୀ ଯେଉଁ ସାହାଯ୍ୟ ସହଯୋଗ ପାଇବା କଥା ତାହା ପାଇପାରୁ ନାହିଁ। ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି, ଋଣ ଶୁଝିବ କିପରି? ଗୋଟିଏ ଦୁଇଟି ଜାଗାରେ ଜଣେ ଦୁଇଜଣ ଚାଷୀ ନିଜ ଧାନ ବିଲରେ କ୍ଷୟକ୍ଷତିକୁ ଦେଖି ଆତ୍ମହତ୍ୟା କଲେଣି। ୨୦୧୫ ମସିହା ଭଳି ଆଗାମୀ ଦିନରେ ଚାଷୀ ଆତ୍ମହତ୍ୟା ବଢିବାର ଆଶଙ୍କାକୁ ଟାଳି ଦିଆଯାଇ ନପାରେ। ତେଣୁ ଏହି ପରିପ୍ରେକ୍ଷୀରେ ଚାଷୀ ସମାଜର ସୁରକ୍ଷା ପାଇଁ ସମାଜବାଦୀ ପାର୍ଟି ରାଜ୍ୟ ସରକାରଙ୍କ ପାଖରେ ନିମ୍ନୋକ୍ତ ଦାବୀଗୁଡ଼ିକୁ ଉପସ୍ଥାପିତ କରୁଛି। ସରକାର ତୁରନ୍ତ କୃଷି କ୍ୟାବିନେଟ ବୈଠକ ଡ଼ାକି ଏ ଦିଗରେ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବାର ଆବଶ୍ୟକ ଅଛି।
ଅବିଳମ୍ବେ କୃଷି କ୍ୟାବିନେଟ ବୈଠକ ଡ଼ାକି ଖରିଫ କ୍ଷତିଗ୍ରସ୍ତ ଚାଷୀଙ୍କର ଋଣ ଛାଡ଼ ପାଇଁ ପଦକ୍ଷେପ ନିଆଯାଉ, ରବି ଋତୁ ଆରମ୍ଭ ହେବାକୁ ଯାଉଥିବା ଯୋଗୁ ଚାଷୀଙ୍କୁ ରବି ଚାଷ ପାଇଁ ବିନା ସୁଧରେ କୃଷି ଋଣ ଓ ବିନା ମୂଲ୍ୟରେ ପନିପରିବା ମଞ୍ଜି ଓ ପୋକମରା ଔଷଧ ଯୋଗାଇ ଦିଆଯାଉ, ଯେଉଁ ଚାଷୀମାନେ କୁକୁଡ଼ା, ଛେଳି, ଘୁଷୁରୀ ଓ ଗାଈ ଗୋରୁ ପାଳନ କରି ନିଜର ଜୀବିକା ନିର୍ବାହ କରୁଛନ୍ତି, ସେମାନଙ୍କୁ ମଧ୍ୟ ବିନା ସୁଧରେ ବ୍ୟାଙ୍କ ଋଣ ଯୋଗାଇ ଦିଆଯାଉ, ଚଳିତବର୍ଷ ଠାରୁ ଆଗାମୀ ବର୍ଷ ଫସଲ ଅମଳ ପର୍ଯ୍ୟନ୍ତ ପ୍ରତ୍ୟେକ ମରୁଡ଼ି ଓ ରୋଗପୋକ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବା ସହିତ ମାସିକ ୩ ହଜାର ଟଙ୍କା ମରୁଡ଼ି ସୁରକ୍ଷା ଭତ୍ତା ପ୍ରଦାନ କରାଯାଉ। ସେହିଭଳି ମୁଣ୍ଡପିଛା ଏହି କ୍ଷତିଗ୍ରସ୍ତ ଚାଷୀଙ୍କ ପରିବାରକୁ ମାସିକ ୧୦କେଜି ଚାଉଳ ମୁଖ୍ୟମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା କରାଯାଇ ଚାଷୀ ପରିବାରର ଜୀବିକାକୁ ନିଶ୍ଚିତ କରାଯାଉ।
ବିନା ସୁଧରେ ଚାଷୀଙ୍କୁ ଋଣ ଯୋଗାଇ ପାଣିପମ୍ପ ଦିଆଯାଉ ଏବଂ ଜଳଉତ୍ସ, ଉଠା ଜଳସେଚନ ପଏଣ୍ଟ ଗୁଡ଼ିକୁ ମରାମତି କରାଯାଇ ଜଳସେଚନ ପାଇଁ ଚାଷୀଙ୍କୁ ସରକାରୀ ସହଯୋଗ ଦିଆଯାଉ। ଯୁଦ୍ଧକାଳୀନ ଭିତ୍ତିରେ କ୍ଷତିଗ୍ରସ୍ତ ଅଞ୍ଚଳରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁ୍କ୍ତି ଯୋଜନା କାର୍ଯ୍ୟକ୍ରମ ଗ୍ରହଣ କରି ପ୍ରତି ହାତକୁ କାମ ଯୋଗାଇବା ସହିତ ଦାଦନ ଚାଲାଣକୁ ରୋକାଯାଉ।
ଏହି ସାମ୍ବାଦିକ ସମ୍ମିଳନୀରେ ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ସମେତ ଚାଷୀନେତା ପ୍ରେମାନନ୍ଦ ସାମନ୍ତରା, ବିଜୟ ବେହେରା, ପାର୍ଟି କୋଷାଧ୍ୟକ୍ଷ ସଞ୍ଜୟ ନାୟକ, ଯୁବନେତା ଦେଶପ୍ରିୟ ଦାସ, ନରେଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।



