ବେଙ୍ଗାଲୁରୁ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ଦିନିକିଆ ବିଶ୍ବକପ୍ରେ ରବିବାର ଭାରତୀୟ ଟିମ୍ ଦମଦାର ପ୍ରଦର୍ଶନ କରିଛି। ଶ୍ରେୟସ ଆୟର ଓ କେଏଲ ରାହୁଲଙ୍କ ଦମଦାର ଶତକ ଏବଂ ରୋହିତ, ଶୁବମନ ଓ କୋହିଲିଙ୍କ ଅର୍ଦ୍ଧ ଶତକ ବଳରେ ନେଦରଲାଣ୍ଡସକୁ ୪୧୧ ରନର ଟାର୍ଗେଟ ଦେଇଛି ଭାରତ। ୫୦ ଓଭରରେ ଭାରତର ସ୍କୋର ୪୧୦/୪ ରହିଥିବାବେଳେ ବିଶ୍ବକପ ଇତିହାସରେ ଭାରତର ଏହା ଦ୍ବିତୀୟ ସର୍ବାଧିକ ସ୍କୋର ବୋଲି ଜଣାପଡ଼ିଛି। ପୂର୍ବରୁ ବରମୁଡ଼ା ବିରୋଧରେ ବିଶ୍ବକପ-୨୦୦୭ରେ ଭାରତ ୪୧୩ ରନ୍ କରିପାରିଥିଲା। ଏହି ମ୍ୟାଚରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ମାତ୍ର ୪ଟି ୱିକେଟ୍ ହରାଇ ୪୧୦ ରନ୍ କରିଛି। ଫଳରେ ନେଦରଲାଣ୍ଡ୍ସକୁ ଏହି ମ୍ୟାଚ୍ ବିଜୟ ପାଇଁ ୪୧୧ ରନ୍ର ଲକ୍ଷ୍ୟ ମିଳିଛି।
ଆଜି ଭାରତ ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲା। ରୋହିତ ଶର୍ମା ୬୧ ଓ ଶୁବମନ୍ ଗିଲ ୫୧ ରନ ସଂଗ୍ରହ ସହ ପ୍ରଥମ ୱିକେଟ୍ରେ ଶତକୀୟ ରନ୍ ଭାଗିଦାରୀ କରିଥିଲେ। ଏହାପରେ ଶ୍ରେୟସ ଆୟର ଓ କେଏଲ୍ ରାହୁଲ ୨୦୮ ରନ୍ର ଭାଗିଦାରୀ ଭାରତକୁ ବିଶୋଳ ସ୍କୋର କରିବାରେ ସହାୟକ ହୋଇଥିଲା। ଶ୍ରେୟସ ଆୟର ଅପରାଜିତ ୧୨୮ ରନ୍ କରିଥିବାବେଳେ କେଏଲ୍ ରାହୁଲ ୧୦୨ ରନ୍ କରିଥିଲେ।
ନେଦରଲାଣ୍ଡସର ବାସ ଲିଡ୍ ୨ ୱିକେଟ ନେଇଥିବାବେଳେ ମେରୱେ ଏବଂ ମିକରିନ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।
ବିଶ୍ବକପ୍: ନେଦରଲାଣ୍ଡସକୁ ୪୧୧ ରନର ଟାର୍ଗେଟ ଦେଲା ଭାରତ, ଶ୍ରେୟସ ଆୟର ଓ କେଏଲ ରାହୁଲଙ୍କ ଦମଦାର ଶତକ
Popular Categories



