www.samajalive.in
Saturday, December 13, 2025
26.1 C
Bhubaneswar

ପ୍ରତିଶ୍ରୁତିରେ ଅଟକିଛି ଥଇଥାନ : ଗାଁ ଛାଡିଲେ ୧୩ ଆଦିବାସୀ ପରିବାର

ପାତ୍ରପୁର :  ଗଞ୍ଜାମ ଜିଲା ପାତ୍ରପୁର ତହସିଲ ଦୁର୍ଗମ ଆଙ୍କୁଲି ପଞ୍ଚାୟତର ୫ଆଦିବାସୀ ଗ୍ରାମର ଲୋକମାନେ ବାଘଲଟି ଜଳଭଣ୍ଡାର ନିର୍ମାଣ ପରଠାରୁ ଯାବତୀୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତିତଲି ବାତ୍ୟା ପରେ ଲୋକଙ୍କ ଦୁଃଖ ଦ୍ବିଗୁଣିତ ହୋଇ ପଡ଼ିଥିଲା। ସେମାନଙ୍କୁ ଅନ୍ୟତ୍ର ଥଇଥାନ ପାଇଁ ଏଠାରୁ ସ୍ଥାନାନ୍ତର କରିବା ପାଇଁ ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଗାଁ ବାସୀଙ୍କ ବାରମ୍ବାର ଦାବି ସତ୍ତ୍ବେ ଦୀର୍ଘ ବର୍ଷ ବିତିଯାଇଥିଲେ ସୁଦ୍ଧା ସ୍ଥାନାନ୍ତର କାର୍ଯ୍ୟ ଆରମ୍ଭ ହୋଇନଥିବାରୁ ଏଲଗଲ ଏବଂ ବେହେରାପୁଟୁର ୧୩ ପରିବାର ଗ୍ରାମ ଛାଡି ଚାଲି ଯାଇଛନ୍ତି।
ବାଘଲଟି ମଧ୍ୟମ ଜଳସେଚନ ଯୋଜନାର ଉପର ମୁଣ୍ଡରେ ଏଲଗଲ, ବେହେରାପୁଟୁ,ଶିରିସୀଣ୍ଡ, ଝରିବାଡ଼ ,ମାଡୁଆ ଗ୍ରାମ ରହିଛି। ଗ୍ରାମର ଲୋକମାନେ ବାଘଲଟି ଜଳ ଭଣ୍ଡାର ଉପର ଅଂଶରେ ବସବାସ କରିବା ସହ ଜଙ୍ଗଲ ଜାତଦ୍ରବ୍ୟ ବିକ୍ରି କରି ଜୀବିକା ନର୍ବାହ କରନ୍ତି। ୫ଗ୍ରାମର ଗୋଟିଏ ପାର୍ଶ୍ୱ ରେ ବାଘଲଟି ଜଳଭଣ୍ଡାର ଥିବା ବେଳେ ଅନ୍ୟ ତିନି ପାର୍ଶ୍ୱ ରେ ଘଞ୍ଚ ଜଙ୍ଗଲ। ଜଳଭଣ୍ଡାରରେ ପାଣି ଭର୍ତ୍ତି ହେବା ପରଠାରୁ ୨୩ବର୍ଷ ହେଲା ଲୋକଙ୍କ ଯାତାୟାତ ସମସ୍ୟା ଲାଗି ରହିଛି। ବିଭିନ୍ନ କାର୍ଯ୍ୟ ପାଇଁ ଲୋକେ ଡଙ୍ଗାରେ ଜଳଭଣ୍ଡାର ପାର୍‌ ହେଉଥିବା ବେଳେ ଅନ୍ୟ ପଟରେ ୧୦ କିମି ଦୂର ତାଡ଼କା ସାହି ବିଭିନ୍ନ କାର୍ଯ୍ୟ ସମ୍ପାଦନ କରିଥାନ୍ତି। ତାଡକା ସାହି ରେ ବିଭିନ୍ନ ସରକାରୀ କାର୍ଯ୍ୟ ସହ ଜିନିଷ ସଂଗ୍ରହ କରି ଗ୍ରାମବାସୀ ବସ୍‌ ଧରି ପାତ୍ରପୁର ଏବଂ ଅନ୍ୟ ସ୍ଥାନକୁ ଯାଇଥାଆନ୍ତି। ଦେଶୀ ଡଙ୍ଗାରେ ପାର୍‌ ହେବା ବେଳେ ବିଭିନ୍ନ ସମୟରେ ଅଘଟଣକୁ ଦେଖି ପ୍ରଶାସନ ତରଫରୁ ଦୁଇଟି ଯନ୍ତ୍ର ଚାଳିତ ଡ଼ଙ୍ଗା ପ୍ରଦାନ କରାଯାଇଛି। ୨୦୧୩ ତିତଲି ବାତ୍ୟା ବେଳେ ଏହି ସବୁ ଗ୍ରାମରେ ପାଣି ପଶି ବ୍ୟାପକ କ୍ଷତି ହୋଇଥିଲା। ଏପରିକି ଅଦିନିଆ ବର୍ଷରେ ଏଲଗଲ କ୍ଷତିଗ୍ରସ୍ତ ହୋଇଥିଲା। ଅଧିକାରୀ ମାନେ ଏହି ସବୁ ଗ୍ରାମ ଗସ୍ତ କରି ଏଲଗଲ ଗ୍ରାମରେ ସଭାକରି ଲୋକମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ସ୍ଥିର କରିଥିଲେ। ଲୋକମାନେ ତୁରୁବୁଡି ପଞ୍ଚାୟତ ଝଗଡାପଲ୍ଲୀ ନିକଟରେ ଘର କରି ରହିବାପାଇଁ ନିଷ୍ପତ୍ତି ନେବା ପରେ ପ୍ରଶାସନ ପକ୍ଷରୁ ଉକ୍ତ ସ୍ଥାନକୁ ଚିହ୍ନଟ କରି ସମତଳ କାର୍ଯ୍ୟ ଆରମ୍ଭ କରାଯାଇଥିଲା। କିନ୍ତୁ ଏହି ଗ୍ରାମ ନିକଟରେ ଥିବା ଗଜପତି ଜିଲାର ୪ଟି ଗ୍ରାମକୁ ସେଠାକାର ପ୍ରଶାସନର ଚାରି ବର୍ଷ ପୂର୍ବେ ସ୍ଥାନାନ୍ତର କରିଥିବା ଗଞ୍ଜାମ ଜିଲାର ଏହି ୫ ଗ୍ରାମର ୧୫୦ରୁ ଊର୍ଦ୍ଧ୍ୱ ପରିବାର ଏଯାଏ ସ୍ଥାନାନ୍ତର ହୋଇପାରିନାହାନ୍ତି। ବାରମ୍ବାର ନିବେଦନ କରି ନୟାନ୍ତ ହେବା ପରେ ଶେଷରେ ୧୩ ପରିବାର ଗାଁ ଛାଡିଥିବା କହିଛନ୍ତି। ଗତ ୬ମାସ ମଧ୍ୟରେ ବେହେରାପୁଟୁ ଗ୍ରାମର ନରସିଂହ କାର୍ଜୀ, ଗଣପତି କାର୍ଜି, ବାଙ୍କ କାର୍ଜୀ, ଏଲଗଲ ଗ୍ରାମର ଲିମା କାର୍ଜୀ, ବାଇଧର ପ୍ରଧାନ, ଶ୍ରୀକାନ୍ତ ଗମାଙ୍ଗ, ଉମାକାନ୍ତ ଗମାଙ୍ଗ, ଘନ କାର୍ଜୀ ସମେତ ମୋଟ ୧୩ ପରିବାର ଗାଁ ଛାଡ଼ିଥିବା ଜଣାପଡ଼ିଛି। ଏହିସବୁ ଗ୍ରାମର ଲୋକମାନେ ତୁରୁବୁଡି ମହେନ୍ଦ୍ରଗଡ ରାସ୍ତାର ଢଉ ବାଡ ରାସ୍ତା ପାର୍ଶ୍ବ ରେ ଘର ନିର୍ମାଣ କରି ବହୁ କଷ୍ଟରେ ପରିବାର ସହିତ ରହୁଥିବା କହିଛନ୍ତି । ଲୋକମାନେ ଡିବିରିରେ ରାତି କାଟୁ ଥିବା ବେଳେ ପାଣି ପାଇଁ ଅଧା କିଲୋମିଟର, ରେସନ କାର୍ଡ ରେ ଜିନିଷ ଏବଂ ଅଙ୍ଗନବାଡି ସୁବିଧା ପାଇଁ ପ୍ରାୟ ୧୨ କିଲୋମଟର ଦୂର ଯିବାକୁ ପଡୁଛି। ତୁରନ୍ତ ପ୍ରଶାସନ ପାଞ୍ଚ ଆଦିବାସୀ ଗ୍ରାମର ଲୋକଙ୍କୁ ତୁରନ୍ତ ଥାଇଥନ ପାଇଁ ଦୃଷ୍ଟି ଦେଲେ ଦୁଃଖ ଦୂର ହୋଇ ପାରିବ ବୋଲି ମତ ପ୍ରକାଶ ପାଉଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories