ବାରାହା ପାଇଁ ଉଜୁଡିଗଲା ବର୍ଷକର ଆହାର

ଗୁରୁଡିଝାଟିଆ: ଚାଷ କାମ ଯାହାର, କେତେ ସୁଖ ତାହାର। ସେହି ସିନା ଦୁନିଆକୁ ଯେଗାଇଥାଏ ଆହାର। ଏହା ଓଡିଆ ଘରର ପ୍ରତ୍ୟେକ ବ୍ୟକ୍ତିବିଶେଷ ଭଲଭାବରେ ଜାଣନ୍ତି। କୃଷକ ହିଁ ଦେଶ ପ୍ରଗତିର ମେରୁଦଣ୍ଡ। ତାହାର ଶ୍ରମ ଓ ମୁଣ୍ଡଝାଳ ତୁଣ୍ଡରେ ମାରି ନିଜେ ବଞ୍ଚିବା ସହ ଅନ୍ୟ ପାଇଁ ବଞ୍ଚିବାର ରାହା ଯୋଗାଇଥାନ୍ତି। ହେଲେ ପରିବର୍ତ୍ତିତ ବ୍ୟବସ୍ଥା ଭିତରେ ଜଳବାୟୁର ଦୃତ ଅବକ୍ଷୟ ଯୋଗୁଁ ଜଙ୍ଗଲ ସଂପଦ ମଧ୍ୟ କ୍ଷୟ ହୋଇଛି। ବନ୍ୟପ୍ରାଣୀ ଏବେ ଗାଁ ମୁହାଁ। ଯାହାଦ୍ୱାରା କି ବାରାହାମାନେ ଜଙ୍ଗଲରେ ରହିବା ପରିବର୍ତ୍ତେ ଏବେ ଆବଶ୍ୟକ ମୁତାବକ ଖାଦ୍ୟ ଓ ପାନୀୟ ଓ ଅନୁକୂଳ ସହାବସ୍ଥାନ ପାଉଥିବାରୁ ବଂଶବିସ୍ତାର କରିଛନ୍ତି। ଏହା କୃଷକଙ୍କ ପାଇଁ କାଳ ହୋଇଛି। ନିଜ କ୍ଷେତରେ ଡେରିଥିବା ଧାନ ଫସଲ କ୍ଷତି ପାଇଁ ହାତୀଠାରୁ ଏବେ ବାରାହାମାନେ ଅଧିକ କ୍ଷତିଗ୍ରସ୍ତ କରୁଛନ୍ତି। ପଲପଲ ବାରାହା ସଞ୍ଜ ହେଲେ ଧାନ କିଆରୀରେ ପ୍ରବେଶ କରି ଧାନ ଗଛର ମୂଳକୁ ତାଡିବା ସହିତ ପାଚିଲା ଅବସ୍ଥାକୁ ଆସିଥିବା ଧାନ କିଆରୀ ଉପରେ ଗଡିବା ଫଳରେ ଧାନଗଛ ମାଟିରେ ମିଶିଛି। ନିକଟସ୍ଥ ଯୋର ମୂଳରେ ଥିବା ଘଞ୍ଚ ବହଳିଆ ଘାସବୁଦା ମୂଳେ ଦିନ ବେଳେ ଲୁଚି ରହିବା ସହିତ ରାତିରେ ଧାନ କ୍ଷେତକୁ ଆସି ଧାନ ଫସଲ ଉଜାଡୁଛନ୍ତି। ଯାହା ଫଳରେ କି ଚଳିତବର୍ଷ ଲିଙ୍ଗାପଦା, ପ୍ରଶନ୍ନାପୁର ଓ ନୂଆଡିହ ମାଳରେ ଚାଷିମାନେ ଧାନଚାଷ ନକରି ଜମିକୁ ପଡିଆ ପକାଇବାକୁ ବାଧ୍ୟ ହେଉଛନ୍ତି।

prayash

ଏବେ ବାରାହାପଲ କଖଡି, ନାରଙ୍ଗବସ୍ତ, ବ୍ରାହ୍ମଣବସ୍ତ, ବିଷ୍ଣୁପୁର, ନିଧିପୁର, ଘଣ୍ଟିଖାଲ, ରାଧାଶ୍ୟାମପୁର, ରାମଶ୍ୟାମପୁର କାପ୍ତାବରାଇ, ଗୋପିନାଥପଡା ମୌଜାର କୃଷକମାନଙ୍କ ଧାନ ଫସଲକୁ ବ୍ୟାପକ ଭାବରେ ନଷ୍ଟ କରିବାରେ ଲାଗିଛନ୍ତି। କେହି କେହି କୃଷକ ରାତ୍ରି ଉଜାଗର ଗଛ ଉପରେ ମଞ୍ଚା କରି ଜୀବନକୁ ବାଜି ଲଗାଇ ବାରାହା ଘଉଡାଇବା ପାଇଁ ଉଜାଗର ରହିବାକୁ ପଡୁଛି। କଖଡିର ଶରତ ଚନ୍ଦ୍ର ମହାନ୍ତି, ନବକିଶୋର ରାଉତ, ଗଙ୍ଗାଧର ବେହେରା ଙ୍କ ପାଚିଲା ଅବସ୍ଥାକୁ ଆସିଥିବା ଧାନକ୍ଷେତରେ ପଶି ବାରାହାମାନେ ବ୍ୟାପକ କ୍ଷୟକ୍ଷତି କରିବା ସହ ମାଟିରେ ମିଶାଇଦେଇଛନ୍ତି। ସେହିଭଳି ଘଣ୍ଟିଖାଲ ଗ୍ରାମର ସନ୍ତୋଷ ବେହେରା, ଆଶିଷ କୁମାର ସାହୁ, ଅନିରୁଦ୍ଧ ସାହୁ, ରାଧାଶ୍ୟାମ ନାୟକ, ପ୍ରମୋଦ ଚନ୍ଦ୍ର ଧଳ, ଗୋଲଖ ବିହାରୀ ବରାଳ, ବାମଦେବ ବିଶ୍ୱାଳ, ରୋହିତାସୁ ଦେହୁରୀ, ଘଣ୍ଟିଖାଲ ଶବର ସାହିର ନଣ୍ଡା ସ୍ୱାଇଁ, ସନାତନ ସ୍ୱାଇଁ, ଅକାରଣ ଦେହୁରୀଙ୍କ ଧାନ କିଆରୀରେ ପଶି ନଷ୍ଟ କରିଛନ୍ତି। ଏପରିକି ପ୍ରାତଃ ସମୟରେ କୃଷକ ଜମିକୁ ଗଲାବେଳେ ଜମିରେ ଛପି ରହିଥିବା ବାରାହା ଆକ୍ରମଣରେ ଭୟଭୀତ ହୋଇ ଆହତ ହୋଇଛନ୍ତି। ବାରାହାପଲଙ୍କ ପାଇଁ ଫସଲହାନୀ ହେଉଥିବାରୁ କୃଷକ ପରିବାରରେ ଏକ ପ୍ରକାର ଚଡକ ପଡିଛି।

ବର୍ଷକର ଆହାର ତାହାର ଉଜୁଡିଯାଇଛି। ଦିନ କେଇଟା ପରେ ଧାନ ଅମଳ କରି ଘରକୁ ଆଣିଥାଆନ୍ତା। ହେଲେ କ୍ଷେତରେ ଉଜୁଡି ଯାଉଥିବାରୁ କିଭଳି ପିଲାଛୁଆଙ୍କ ପେଟରେ ଦାନା ଦେବ । ସେହି ଚିନ୍ତାରେ ଭାଙ୍ଗି ପଡିଛି। ବାରାହା କବଳରୁ ଫସଲକୁ ସୁରକ୍ଷା ଦେବା ପାଇଁ ବନ ବିଭାଗ କୌଣସି ପଦକ୍ଷେପ ନେଉନାହାନ୍ତି ବା ପଦକ୍ଷେପ ନେବା ପାଇଁ ଉଦ୍ୟମ ମଧ୍ୟ କରୁନାହାନ୍ତି। କେବଳ ବନ୍ୟପ୍ରାଣୀଙ୍କ ଦ୍ୱାରା ଫସଲହାନୀର କ୍ଷତିପୂରଣ ବ୍ୟବସ୍ଥା ରହିଛି ବୋଲି କହିବୁଲୁଛନ୍ତି। ତାହାପୁଣି ସମୁଦ୍ରକୁ ଶଙ୍ଖେ ପୁଣି କେବେ ପାଇବ ତାହାର ନିର୍ଦ୍ଦିଷ୍ଟ ସମୟସୀମା ନାହିଁ। ଏଥିପାଇଁ କରଜ କରି ଧାନଫସଲ କରିଥିବା କୃଷକ ଚାଷଠାରୁ ମୁହଁ ଫେରାଇବା ଆରମ୍ଭ କଲାଣି। ଏଭଳି ଅବସ୍ଥା ଆଠଗଡ ବନଖଣ୍ଡ ଅନ୍ତର୍ଗତ ଖୁଣ୍ଟୁଣୀ ବନାଞ୍ଚଳର ଉପରୋକ୍ତ ଗାଁଗୁଡିକରେ ଦେଖାଦେଇଛି।

Comments are closed.