୫୦ବର୍ଷରେ ଭାଇଚାରାର ପର୍ବ ଝୁମ୍ପୁରା ଦଶହରା

ସପ୍ତାହେ ବ୍ୟାପୀ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ,୨୯ରେ ଭସାଣୀ

କେନ୍ଦୁଝରଗଡ଼ : ଶାରଦୀୟ ପାର୍ବଣ ଦୁର୍ଗାପୂଜା ପାଇଁ ଝୁମ୍ପୁରା ବଜାର ବେଶ ଚଳଚଞ୍ଜଳ ହୋଇପଡିଛି । ଝୁମ୍ପୁରା ମୁଖ୍ୟ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ବସବାସ କରୁଥିଲେ ହେଁ ହିନ୍ଦୁଧର୍ମର ଏହି ପବିତ୍ର ପୂଜାରେ ନିଜକୁ ସାମିଲ କରି ଭାଇଚାରାର ନିଦର୍ଶନ ସୃଷ୍ଟି ଉକ୍ତ ଅଞ୍ଚଳରେ ପୂଜାର ଗୁରତ୍ୱକୁୁ ସମୃଦ୍ଧ କରିଆସିଛି । ମା’ଦୁର୍ଗତୀ ନାଶିନୀ ଯୁବ ସଂଘ ଝୁମ୍ପୁରା ପକ୍ଷରୁ ଆୟୋଜିତ ହୋଇଆସୁଥିବା ମା’ଦୁର୍ଗାଙ୍କ ପୂଜାତ୍ସୋବ ଚଳିତବର୍ଷ ୫୦ବର୍ଷରେ ପଦାର୍ପଣ କରିଛି। ଚଳିତବର୍ଷ ପୂଜାତ୍ସୋବ ସୁବର୍ଣ୍ଣଜୟନ୍ତୀ ପାଳନ କରିବାକୁ ଯାଉଥିବାରୁ ଅନୁଷ୍ଠାନ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। କେନ୍ଦୁଝର ସଦର ଓ ଝୁମ୍ପୁରା ବ୍ଲକର ୩୦ରୁ ଅଧିକ  ପଞ୍ଚାୟତବାସୀ ଏହି ପୂଜାତ୍ସୋବକୁ ଉପଭୋଗ କରିବା ପାଇଁ ବର୍ଷତମାମ ଚାହିଁ ରହିଥାନ୍ତି। ଶୁକ୍ରବାର ସନ୍ଧ୍ୟାରୁ ବିଲ୍ୱବରଣୀ ପରେ ଷଷ୍ଠୀ ପୂଜାତ୍ସୋବ ଆରମ୍ଭ ହୋଇ ଶନିବାର ମହାସପ୍ତମୀ, ରବିବାର ମହାଅଷ୍ଟମୀ, ସୋମବାର ମହାନବମୀ ପୂଜା ଆରମ୍ଭ ହୋଇ ୨୪ ତାରିଖ ମଙ୍ଗଳବାର ବିଜୟାଦଶମୀ ଅପରାହ୍ନ ୨ଟା ୪୫ମି.ରେ ପୂର୍ଣ୍ଣାହୁତି ପରେ ଘଟ ବିସର୍ଜନ କରାଯିବ। ତେବେ ପୁଜାତ୍ସୋବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବାରୁ ୨୯ ତାରିଖ ରବିବାର ଧୁମଧାମରେ ଭସାଣୀ ଉତ୍ସବ ପାଳନ କରାଯିବ ବୋଲି ସଂଘ ସଭାପତି ଶଶିଭୂଷଣ ସାହୁ ଜଣାଇଛନ୍ତି। ଏହି ଅବସରରେ ୨୦ରୁ ୨୬ ତାରିଖ ପ୍ରତି ସନ୍ଧ୍ୟାରେ ସୁବର୍ଣ୍ଣ ଜୟନ୍ତୀ ସାଂସ୍କୃତିକ କାର୍ଯ୍ୟକ୍ରମ ‘ସୁନେଲୀ’ରେ କୃଷ୍ଣଲୀଳା, ଛଉ ନୃତ୍ୟ, ଓଡିଶୀ, ଚାଙ୍ଗୁ, ସମ୍ବଲପୁରୀ ଓ ଝୁମର ଭଳି ପାରମ୍ପରିକ ନୃତ୍ୟକଳା ପ୍ରଦର୍ଶିତ ହେବ। ସେହିଭଳି ୨୪ ତାରିଖ ମଙ୍ଗଳବାର ସନ୍ଧ୍ୟାରେ ବିଜୟଦଶମୀ ଅବସରରେ ସୁବର୍ଣ୍ଣ ଜୟନ୍ତୀ ସ୍ମରଣୀକା ଉନ୍ମୋଚନ ସହ ବିଭିନ୍ନକ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ପ୍ରତିଭାଧାରୀଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିିତ କରାଯିବ। ଚଳିତବର୍ଷ ସୁଦୃଶ୍ୟ ତୋରଣ ସାଙ୍ଗକୁ ଆଲୋକ ସାଜସଜ୍ଜା ଭକ୍ତଙ୍କୁ ବେଶ୍‌‌ ଆକୃଷ୍ଟ କରିଛି। ପୂଜାକୁ ଉପଭୋଗ କରିବା ପାଇଁ ଭକ୍ତଙ୍କ ନିମନ୍ତେ ପୂଜାକମିଟି ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଚଳିତମାସ ୨୦ରୁ ୨୬ ତାରିଖ ପର୍ଯ୍ୟନ୍ତ ମୀନାବଜାର ନିମନ୍ତେ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ୨୦ରୁ ୨୫ତାରିଖ ୬ଦିନଧରି ‘ଯାତ୍ରା ଇନ୍ଦ୍ରଭୁବନ’ ଅପେରା ଅନୁଷ୍ଠିତ ହେବାକୁଥିବା ବେଳେ ଅପେରାର ପ୍ରତିସନ୍ଧ୍ୟାରେ ଓଡିଆ ଅଭିନେତ୍ରୀ ଯୋଗଦେଇ ସେମାନଙ୍କ କଳାଭିନୟ ପ୍ରଦର୍ଶନ କରିବେ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ଭକ୍ତଙ୍କ ସମାଗମ ଦୃଷ୍ଟିରେ ରଖି ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ପୂଜାତ୍ସୋବକୁ ଶାନ୍ତିଶୃଙ୍ଖଳାର ସହ ଉପଭୋଗ କରିବା ପାଇଁ ସୁବର୍ଣ୍ଣ ଜୟନ୍ତୀ ଉତ୍ସବର ଅଧ୍ୟକ୍ଷ ଇଂ ଦେବବ୍ରତ ବେହେରା, ସଭାପତି ଶଶିଭୂଷଣ ସାହୁ, ଉପସଭାପତି ଅନୁପ ରାମ, ସମ୍ପାଦକ ଧନେଶ୍ୱର ବେହେରା, ଯୁଗ୍ମସମ୍ପାଦକ ପ୍ରଦ୍ୟୁମ୍ନ ପ୍ରଧାନ, ସଂଯୋଜକ ନିର୍ମଳ ଚନ୍ଦ୍ର ବାରିକ, ଡମ୍ବରୁଧର ଦାସ ପ୍ରମୁଖ ନିବେଦନ କରିଛନ୍ତି।

Comments are closed.