ଆଠଗଡ : ୧୯ରେ ଆମ ଓଡିଶା ନବୀନ ଓଡିଶାର ଶୁଭାରମ୍ଭ
ପଞ୍ଚାୟତ ସମିତି ସ୍ୱତନ୍ତ୍ର ବୈଠକରେ ନିଷ୍ପତ୍ତି
ଆଠଗଡ : ରାଜ୍ୟ ସରକାରଙ୍କ ନୂତନ ଯୋଜନା ଆମ ଓଡିଶା ନବୀନ ଓଡିଶା ଓ ଲକ୍ଷ୍ମୀ ଯୋଜନା ଆଠଗଡରେ ଆଗାମୀ ୧୯ତାରିଖରେ ଶୁଭାରମ୍ଭ ହେବ ବୋଲି ସୋମବାର ପଞ୍ଚାୟତ ସମିତିରେ ଏକ ସ୍ୱତନ୍ତ୍ର ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପଞ୍ଚାୟତ ସମିତି ଅଧ୍ୟକ୍ଷା ମୀନତି ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗଦେଇ କଟକ ଜିଲ୍ଲାରେ ୧୯ତାରିଖରେ ସରକାରଙ୍କର ଏହି ଅଭିନବ ଯୋଜନା ଆମ ଓଡିଶା ନବୀନ ଓଡିଶା ଏବଂ ଲକ୍ଷ୍ମୀ ଯୋଜନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶୁଭାରମ୍ଭ କରାଯିବ ବୋଲି ସୂଚନା ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଆଠଗଡ ବ୍ଲକ ଅନ୍ତର୍ଗତ ୩୪ ଟି ପଞ୍ଚାୟତରେ ଥିବା ଧାର୍ମିକ ଅନୁଷ୍ଠାନ ଗୁଡିକରେ ଉନ୍ନତିକରଣ ପାଇଁ କାର୍ଯ୍ୟାଦେଶ ବଣ୍ଟନ କରାଯିବ ଏବଂ ଏଥିପାଇଁ ପ୍ରତି ପଞ୍ଚାୟତକୁ ୫୦ଲକ୍ଷ ଟଙ୍କା ଲେଖାଏଁ ମୋଟ ୧୭କୋଟି ଟଙ୍କା ରାଜ୍ୟ ସରକାର ମଞ୍ଜୁର କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ। ସେହିପରି ପ୍ରତ୍ୟେକ ଗ୍ରାମ ପଞ୍ଚାୟତରୁ ବ୍ଲକ ସଦରମହକୁମାକୁ ଯାତାୟତ ସୁବିଧା ପାଇଁ ଲକ୍ଷ୍ମୀ ଯୋଜନାରେ ବସ୍ ସେବା ଯୋଜନାର ମଧ୍ୟ ଶୁଭାରମ୍ଭ କରାଯିବ ବୋଲି ଜଣାପଡିଛି। ଏଥି ସହିତ ଅନେକଗୁଡିଏ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ବୋଲି ଅଧ୍ୟକ୍ଷା ଶ୍ରୀମତୀ ଆଚାର୍ଯ୍ୟ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ସୁବାସ ଚନ୍ଦ୍ର ମଲ୍ଲିକ, ଜିଲ୍ଲା ପରିଷଦ ସଦସ୍ୟ ଶାନ୍ତିଲତା ବେହେରା, ମୀନତି ଗାଗରାଇ ଓ ବଳଭଦ୍ର ବାଘ, ବିଡିଓ ପ୍ରଦୀପ କୁମାର ସାହୁ , ଅତିରିକ୍ତ ବିଡିଓ ଉପେନ୍ଦ୍ର କୁମାର ଜେନା, ମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି ରଞ୍ଜନ କୁମାର ଆଚାର୍ଯ୍ୟଙ୍କ ସମେତ ସମସ୍ତ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି, ସମସ୍ତ ବ୍ଲକ ଅଧିକାରୀ ଓ କର୍ମଚାରୀ ଯୋଗ ଦେଇଥିଲେ । ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ମନୋଜ କୁମାର ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.