www.samajalive.in
Sunday, December 14, 2025
19.1 C
Bhubaneswar

ସମ୍ବଲପୁରରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

ସମ୍ବଲପୁର : ସାରା ରାଜ୍ୟରେ ରାଜ୍ୟର ଶାସକ ଦଳ ବିଜୁ ଜନତା ଦଳ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଅକ୍ଟୋବର ୨ ତାରିଖରୁ ଆଗାମୀ ନିର୍ବାଚନର ପ୍ରାକ ପ୍ରସ୍ତୁତି କ୍ରମରେ ଜନସମ୍ପର୍କ ପଦଯାତ୍ରା ଆୟୋଜନ କରାଯାଉଛି । ଏହି କ୍ରମରେ ନୂତନ ଜିଲା ସଭାପତି ତଥା ରେଢ଼ାଖୋଲ ବିଧାୟକ ଇଂ ରୋହିତ ପୂଜାରୀଙ୍କ ନେତୃତ୍ୱରେ ରବିବାର ଅପରାହ୍ନରେ ସମ୍ବଲପୁର ଠାରେ ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବାଲିବନ୍ଧା ଛକ ଠାରୁ ଏହି ପଦଯାତ୍ରା ଆରମ୍ଭ ହୋଇ କୁଞ୍ଜେଲପଡା ଛକ, ବଡ ସଡକ, ଝାଡୁଆପଡା, ନନ୍ଦପଡା, ହାଟପଡା, ଦଲେଇପଡା ଓ ମ୍ୟୁନିସିପାଲିଟି ଛକ ଦେଇ ଟାଉନ ହଲ ପଡିଆ ଠାରେ ସମ୍ପନ୍ନ ହୋଇଥିଲା। ଯାତ୍ରା ପରେ ଆୟୋଜିତ ସାଧାରଣ ସଭାରେ ଜିଲା ସଭାପତି ଇଂ ପୂଜାରୀ ଅଧ୍ୟକ୍ଷତା କରିଥିବା ବେଳେ ବିଜେଡିର ତୁଙ୍ଗ ନେତା ମାନେ ବିଶେଷତଃ ବିଜେପି ସମେତ ବିରୋଧି ଦଳ ଗୁଡିକ ଉପରେ ବର୍ଷିଥିଲେ। ଇଂ ପୂଜାରୀ କହିଥିଲେ ଯେ, ଆଜିର ଜନସମାଗମ ଦେଖି ଦ୍ୱିତୀୟ ଶୀତଳଷଷ୍ଠୀ ଯାତ୍ରା ଭଳି ଲାଗୁଛି। ଏହି ଜନ ସମର୍ଥନ ଆଗାମୀ ଦିନରେ ଜିଲାରେ ଆହୁରୀ ବୃଦ୍ଧି ପାଇବ ଏବଂ ଆଗାମୀ ନିର୍ବାଚନରେ ବିଜେଡି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ୪ଟି ଯାକ ବିଧାନସଭା ସମେତ ଲୋକସଭା ଆସନକୁ ମଧ୍ୟ ନିଶ୍ଚିତ ରୂପେ ହାସଲ କରିବ। ସମ୍ବଲପୁରର ବିକାଶ ଧିମେଇ ଯାଇଥିବା ବେଳେ ଏଥି ପାଇଁ ଅପାରଗ ସାଂସଦ ଓ ବିଧାୟକ ଦାୟୀ । ସେମାନଙ୍କର ନିଜର ଉପରେ ଭରସା ନ ଥିବାରୁ ଏବେ ବାହାର ନିର୍ବାଚନୀ କ୍ଷେତ୍ରରୁ ଅନ୍ୟ ଜଣେ କର୍ମୀଙ୍କୁ ଆମଦାନୀ କରି ଏଠି ନିର୍ବାଚନରେ ଲଢ଼ାଇବାର ଯୋଜନା କରୁଛନ୍ତି। ପଶ୍ଚିମ ଓଡିଶାରୁ ୫ଜଣ ସାଂସଦ ନିର୍ବାଚିତ ହୋଇଥିବା ବେଳେ ସମ୍ବଲପୁର ଜିଲା ସମେତ ପଶ୍ଚିମ ଓଡିଶାରେ ସେଭଳି କୌଣସି ଆଖିଦୃଶିଆ କାମ ହୋଇ ପାରି ନାହିଁ। ସମ୍ବଲପୁରରୁ କଟକ ପର୍ଯ୍ୟନ୍ତ ଜାତୀୟ ରାଜପଥର ୯ ବର୍ଷ ହେବ କାର୍ଯ୍ୟ ସରି ନାହିଁ । ଏଭଳି ଅପାରଗତାର ଅନେକ ନଜୀର ରହିଛି ବୋଲି ଜିଲା ସଭାପତି ଇଂ ପୂଜାରୀ କହିଛନ୍ତି।

- Advertisement -

କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ଯୋଗ ଦେଇ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସାରା ରାଜ୍ୟର ସମସ୍ତ ଜିଲା, ଗ୍ରାମାଞ୍ଚଳ ଆଦିରେ ଏହି ଜନସମ୍ପର୍କ କାର୍ଯ୍ୟକ୍ରମ ଜାରି ରହିଛି। ଏହି ପଦଯାତ୍ରାର ମୂଳ ଲକ୍ଷ୍ୟ ହେଉଛି ଯେ, ଆମେ ଜନତାଙ୍କ ନିିକଟକୁ ଯିବୁ, ସେମାନଙ୍କର କଣ ସୁବିଧା ଅସୁବିଧା ରହିଛି ବୁଝିବୁ, ସମସ୍ୟାର ନିରାକରଣ ଉପରେ ଆଲୋଚନା ଓ ଉଦ୍ୟମ କରି ଲୋକଙ୍କ ସହିତ ସମ୍ପର୍କ ନିବିଡ କରିବୁ। ମୁଁ ଅନେକ କାର୍ଯ୍ୟକ୍ରମରେ ସମ୍ବଲପୁର ଠାରେ ଯୋଗ ଦେଇଥିବା ବେଳେ ଆଜିର ଏହି କାର୍ଯ୍ୟକ୍ରମରେ ଯେଭଳି ଭାବରେ ଜନ ସମର୍ଥନ ଦେଖିବାକୁ ମିଳିଛି, ତାହା ଅବିଶ୍ୱସନୀୟ। ଆମେ ଏହି ଜନ ସମ୍ପର୍କ ଯାତ୍ରା ସମୟରେ ସରକାରଙ୍କ ଜନହିତକର ଯୋଜନା ଗୁଡିକ ସମ୍ପର୍କରେ ଲୋକଙ୍କୁ ଅବଗତ କରାଉଛୁ। ଆଗାମୀ ଦିନରେ ଭିମସାରର ନିର୍ଦ୍ଦେଶକଙ୍କ ନିଯୁକ୍ତି ସମେତ ଆହୁରୀ ସୁଧାର ଅଣାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।

କାର୍ଯ୍ୟକ୍ରମରେ ଯୁବନେତା ବିଶାଳ ଦାସ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜଣେ ନିଷ୍ଠାପର କର୍ମୀ ରୂପେ ଜନସମ୍ପର୍କ ଯାତ୍ରାରେ ସାମିଲ ହୋଇ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ବିଷୟରେ ଜନତାଙ୍କୁ ଜଣାଇଛନ୍ତି । ଆଜିର ସଫଳ କାର୍ଯ୍ୟକ୍ରମ ଆଗାମୀ ଦିନରେ ସମ୍ବଲପୁରରେ ଏକ ବିରାଟ ପରିବର୍ତ୍ତନକୁ ସୂଚାଉଛି । ମୁଖ୍ୟମନ୍ତ୍ରୀ ଆମକୁ ଯାହା ନିର୍ଦ୍ଦେଶ ଦେବେ, ସେଥିପାଇଁ ଆମେ ପ୍ରସ୍ତୁତ ରହିଛୁ ବୋଲି ଶ୍ରୀ ଦାସ କହିଛନ୍ତି।

ଅପରପକ୍ଷରେ ଏହି କାର୍ଯ୍ୟକ୍ରମ ପାଇଁ ଗତ ୧୨ ତାରିଖରେ ପ୍ରସ୍ତୁତି ବୈଠକରେ ବିଜେଡିର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇ କର୍ମୀ ମାନଙ୍କ ମଧ୍ୟରେ ଉତ୍ସାହ ଭରିଥିଲେ। ଶତଚେଷ୍ଟା ସତ୍ୱେ ଆଜିର କାର୍ଯ୍ୟକ୍ରମରେ ମଧ୍ୟ ଭଲ ଭିଡ ପରିଲକ୍ଷିତ ହୋଇଥିବା ବେଳେ  ଦଳୀୟ ନେତା ମାନେ କିନ୍ତୁ ତାଙ୍କର ଗୋଷ୍ଠୀ କନ୍ଦଳରୁ ଉପରକୁ ଉଠି ପାରି ନ ଥିଲେ। ଯୁବନେତା ବିଶାଳ ଦାସଙ୍କ ନେତୃତ୍ୱରେ ପୂର୍ବତନ ଜିଲା ସଭାପତି ସିଦ୍ଧାର୍ଥ ଦାଶ, ଦେବେନ ପତି ଏବଂ ହଜାର ହଜାର କର୍ମୀ ଏକ ବିରାଟ ପଟୁଆରରେ କୁଞ୍ଜେଲପଡା ଛକରେ ପଦଯାତ୍ରାରେ ସାମିଲ ହୋଇ ସଭାସ୍ଥଳକୁ ଯାଇଥିଲେ। ସେହିଭଳି ସିଦ୍ଧାର୍ଥ ସାହା, ଦିଲ୍ଲୀପ ଦୁରିଆ, ସଞ୍ଜୟ ବାବୁ, ସଞ୍ଜିତ ମହାନ୍ତି ଭଳି ଦଳର ନେତା ମାନେ ନିଜ ନିଜ ସମର୍ଥକ ଧରି ସଭାସ୍ଥଳକୁ ପ୍ରବେଶ କରିଥିଲେ। ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ଆଜି ମଧ୍ୟ କାର୍ଯ୍ୟକ୍ରମରେ ଅନୁପସ୍ଥିତ ଥିବାବେଳେ  ତାଙ୍କର ଗୋଷ୍ଠୀର ସମର୍ଥକ ମାନେ ଉପସ୍ଥିତ ରହିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ସାଧାରଣ ସଭାରେ କୁଚିଣ୍ଡା ବିଧାୟକ କିଶୋର ନାଏକ, ପୂର୍ବତନ ରାଜ୍ୟସଭା ସାଂସଦ ପ୍ରମିଳା ବହିଦାର, ଆର୍ତ୍ତତ୍ରାଣ ମିଶ୍ର, ବିଜୟ ମହାନ୍ତିଙ୍କ ସମେତ ଅନେକ ନେତା କର୍ମୀ ମାନଙ୍କୁ ଉଦବୋଧନ ଦେବା ସହିତ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କରାଯାଉଥିବାର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ବଖାଣିଥିଲେ। ଆଜିର କାର୍ଯ୍ୟକ୍ରମରେ ଭଲ ଭିଡ ପରିଲକ୍ଷିତ ହୋଇଥିବା ବେଳେ କିନ୍ତୁ ଶତଚେଷ୍ଟା ସତ୍ୱେ ନେତା ମାନଙ୍କ ମଧ୍ୟରେ ଥିବା ବିବାଦ ଥମୁ ନ ଥିବାରୁ ଏହା ଏବେ ବିଜେଡି ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories