ମସ୍ତିଷ୍କ ମ୍ୟାଲେରିଆରେ ବାଳିକା ସେବାଶ୍ରମ ଛାତ୍ରୀ ମୃତ

କଲ୍ୟାଣସିଂହପୁର: ମସ୍ତିଷ୍କ ମ୍ୟାଲେରିଆ ଜ୍ୱରରେ ପୀଡିତ ହୋଇ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାରସାଲି ପଞ୍ଚାୟତର କାଣସୁର (ଏସଏସଡି) ବାଳିକା ସେବାଶ୍ରମର ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ସେବାଶ୍ରମର ସାତ ବର୍ଷର ଛାତ୍ରୀ ତିଲସା (ତେଲେସୁ) ଜାକେସିକାକୁ ଚଳିତ ମାସ ୯ ତାରିଖରେ କାଶ ଆରମ୍ବ ହୋଇଥିଲା। ୧୧ ତାରିଖ ଦିନ ସକାଳୁ ଛାତ୍ରୀ ଜଣକ କିଛି ଖାଇନଥିଲେ। ଏହାକୁ ନେଇ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ଡକାଇ ସ୍ୱାସ୍ଥ୍ୟ ପରୀକ୍ଷା କରି ସଙ୍ଗେ ସଙ୍ଗେ କଲ୍ୟାଣସିଂହପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏଠାରେ ଡାକ୍ତର ଚିକିତ୍ସା କରି ଛାତ୍ରୀର ଅବସ୍ଥା ଗୁରୁତର ହୋଇଥିବାରୁ ରାୟଗଡା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦେଇଥିଲେ। ସେଠାରେ ଚିକିତ୍ସା କରିବା ପରେ ମଧ୍ୟ ଛାତ୍ରୀର ଅବସ୍ଥା ଅତି ଗୁରୁତର ଥିବାରୁ ୧୨ତାରିଖ ଦିନ ମଧ୍ୟାହ୍ନରେ କୋରାପୁଟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ସେହିଦିନ କୋରାପୁଟରେ ଚିକିତ୍ସା କରିବା ପରେ ଛାତ୍ରୀର ଅବସ୍ଥା ଅତି ସଙ୍କଟାପନ୍ନ ହେବାରୁ ବ୍ରହ୍ମପୁର ବଡ଼ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ଶନିବାର ଅପରାହ୍ନରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ଧଳଙ୍କ ଠାରୁ ସୂଚନା ମିଳିଛି। ଉକ୍ତ ଛାତ୍ରୀଙ୍କ ପିତା ରାନୁ ଜାକେସିକା ମାତା ଲିମ୍ବେ ଜାକେସିକା ବିଷମକଟକ ବ୍ଲକର କୂରଲୀ ପଞ୍ଚାୟତର ମୁଣ୍ଡୁବାଲିର ବୋଲି ଜଣାପଡିଛି। ସେବାଶ୍ରମକୁ ରାଷ୍ଟ୍ରୀୟ ବାଳବିକାଶ ଡାକ୍ତରୀ ଦଳ ପହଞ୍ଚି ୧୨୦ଜଣ ଛାତ୍ରୀ ମାନଙ୍କର ରକ୍ତ ନମୂନା ପରୀକ୍ଷା କରିଥିବା ବେଳେ ୭ ଜଣଙ୍କୁ ମ୍ୟାଲେରିଆ ହୋଇଥିବା ସେବାଶ୍ରମର ପ୍ରଧାନ ଶିକ୍ଷକ ସୂଚନା ଦେଇଛନ୍ତି। ଖବର ପାଇ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଚନ୍ଦନ ଦାସ ବାଙ୍ଗାରି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।

kalyan agarbati

Comments are closed.